19.1 C
Bhubaneswar
Tuesday, December 9, 2025
Homeଓଡିଶାସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

ଭୁବନେଶ୍ୱର: ଆସନ୍ତା ୧୧ ଜୁଲାଇ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ”, ମହାସମାବେଶରେ ଯୋଗଦେବା ପାଇଁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସଂଗଠନ ସାଧାରଣ ସମ୍ପାଦକ ଭେଣୁଗୋପାଳ ଭୁବନେଶ୍ବର ଆସୁଛନ୍ତି। ବୁଧବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତାଙ୍କ ଗହଣରେ ପିସିସି ସଭାପତି ଭକ୍ତଚରଣ ଦାସ ଏହି ଗସ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେମାନେ ସେଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦର ରେ ପହଁଚିବେ। ବିମାନ ବନ୍ଦର ରୁ ସିଧା ବରମୁଣ୍ଡା ପଡିଆ ଯିବେ। ରାସ୍ତାରେ ବିଭିନ୍ନ ଛକରେ ରାହୁଲଙ୍କ ସ୍ୱାଗତ ପାଇଁ ରହିବେ କଂଗ୍ରେସ କର୍ମୀ। ମଧ୍ୟାହ୍ନ ୧୨ଟାରେ ସଭାରେ ଯୋଗ ଦେବେ। ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଲକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ। ପ୍ରଥମେ ପଲିଟିକାଲ ଏଫାୟର୍ସ କମିଟି ସହ ବୈଠକ କରିବେ ରାହୁଲ ଓ ଏଆଇସିସି ସଭାପତି। ଏହା ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ହେବ ଆଲୋଚନା। ସନ୍ଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବେ।

ଶ୍ରୀ ଦାସ ଆହୁରି କହିଛନ୍ତି, ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥାକୁ କେନ୍ଦ୍ର ଦଳିମକଚି ନଷ୍ଟ କରିଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷ ପ୍ରତାରଣାର ପ୍ରତୀକ ପାଲଟିଛି। ରାଜ୍ୟ ସରକାର ଶ୍ରୀଜଗନ୍ନାଥ ସଂସ୍କୃତି ସହ ମଧ୍ୟ ଖେଳୁଛନ୍ତି। ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ ରାହୁଲଙ୍କ ଆଗାମୀ ଗସ୍ତ ରାଜ୍ୟରେ କଂଗ୍ରେସକୁ ପୁଣି ବଳଶାଳୀ କରିବ ବୋଲି ଆଶାପ୍ରକାଶ କରିଥିବା ବେଳେ ଅନ୍ୟତମ ଦୁଇ ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଗଣମାଧ୍ୟମମାନେ ରାହୁଲଙ୍କ ଗସ୍ତର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଥିଲେ। ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସର ଐତିହ୍ୟ ସ୍ମରଣ କରାଇଦେଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସରକାର ଖଣି ସେସ୍ ନ କରିବା ଦ୍ବାରା ରାଜ୍ୟ ଦୁଇ ଲକ୍ଷ କୋଟିର ଅଣରାଜସ୍ବ ଆୟ କାହା ସ୍ବାର୍ଥରେ ହରାଇଲେ ବୋଲି ପ୍ରଶ୍ନ କରିବା ସହ ପଛୁଆ ବର୍ଗ ପାଇଁ ଆବଶ୍ୟକ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଥିଲେ। ନବନିଯୁକ୍ତ ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ମହାସମାବେଶକୁ ସଫଳ କରିବାକୁ ଆହ୍ବାନ ଦେଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବହାନିପତି,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ,ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର,ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking