17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଏନ୍‌ଡିଏରୁ ଓହରିଲେ ପଶୁପତି

ଏନ୍‌ଡିଏରୁ ଓହରିଲେ ପଶୁପତି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆର୍‌ଏଲ୍‌ଜେପି) ଓହରିଯାଇଛି। ଏସମ୍ପର୍କରେ ଦଳ ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ୍ ମଙ୍ଗଳବାର ଘୋଷଣା କରିଛନ୍ତି। ପାରସ୍ ଏହି ଅବସରରେ ବିଜେପି ବିରୋଧରେ ଏକ ସଂଗୀନ୍ ଅଭିଯୋଗ ମଧ୍ୟ ଆଣିଛନ୍ତି। ଏନ୍‌ଡିଏ ମେଣ୍ଟରୁ ଓହରିଯିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସମୟରେ ପାରସ୍ କହିଛନ୍ତି ଯେ, ତାଙ୍କ ଦଳ ଆରଏଲ୍‌ଜେପି ଏକ ଦଳିତ ପାର୍ଟି ହୋଇଥିବାରୁ ମେଣ୍ଟରେ ଅଣଦେଖାର ଶିକାର ହୋଇଥିଲା। ଏକ ଅଂଶୀଦାର ଦଳ ଭାବେ ଯେଉଁସବୁ ସୁବିଧାସୁଯୋଗ ମିଳିବା କଥା ତାଙ୍କ ଦଳକୁ ମିଳୁନଥିଲା। ତାଙ୍କ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଥିଲା। ବିହାରରେ ଆୟୋଜିତ ହେଉଥିବା ଏନ୍‌ଡିଏର ବୈଠକଗୁଡ଼ିକରେ ବିଜେପି ଏବଂ ଜେଡିୟୁ ରାଜ୍ୟ ମୁଖ୍ୟମାନେ ତାଙ୍କ ଦଳର ନାମ ମଧ୍ୟ ଉଚ୍ଚାରଣ କରୁନଥିଲେ ବୋଲି ପାରସ କହିଛନ୍ତି। ୨୦୧୪ରୁ ଏନ୍‌ଡିଏ ସହ ରହିଆସିଥିବା ସମସ୍ତ ସମ୍ପର୍କକୁ ତୁଟାଇଥିବା ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ରାମବିଳାସ ପାଶୱାନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ ବିଭାଜନ ପରେ ୨୦୨୧ରେ ଆର୍‌ଏଲ୍‌ଜେପି ଗଠନ ହୋଇଥିଲା। ପଶୁପତି ପାରସ୍‌, ଦିବଂଗତ ରାମବିଳାସ ପାଶୱାନ୍‌ଙ୍କ ସାନ ଭାଇ ଏବଂ ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାଶୱାନ୍‌ଙ୍କ ସାନବାପା। ତେବେ ଦଳ ବିଭାଜନ ସହ ଚିରାଗ ଏବଂ ପଶୁପତିଙ୍କ ଭିତରେ ମଧ୍ୟ ତିକ୍ତତା ସୃଷ୍ଟି ହୋଇଥିଲା। କିନ୍ତୁ ଗତବର୍ଷ ଏନ୍‌ଡିଏର ସହଯୋଗୀ ଭାବେ ପୁତୁରା ଚିରାଗ ପାଶୱାନ୍‌ଙ୍କ ଦଳ ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି (ରାମ ବିଳାସ)କୁ ୫ଟି ଲୋକସଭା ଆସନରେ ଲଢ଼ିବା ପାଇଁ ସୁଯୋଗ ଦିଆଯିବା ଏବଂ ନିଜ ଦଳକୁ ଗୋଟିଏ ହେଲେ ଆସନରେ ଟିକଟ ଦିଆନଯିବାକୁ ନେଇ ପଶୁପତି କ୍ୟାବିନେଟ୍ ମନ୍ତ୍ରୀ ପଦ ଛାଡ଼ିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking