21.1 C
Bhubaneswar
Tuesday, February 3, 2026
Homeଓଡିଶାକାମାକ୍ଷାନଗରରେ କେବ ଗଡ଼ିବ ପାସେଞ୍ଜର ଟ୍ରେନ୍

କାମାକ୍ଷାନଗରରେ କେବ ଗଡ଼ିବ ପାସେଞ୍ଜର ଟ୍ରେନ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର ସବୁଠାରୁ ବୃହତ୍ତମ ଉପଖଣ୍ଡ ଭାବେ କାମାକ୍ଷାନଗର ପରିଗଣିତ। କାମାକ୍ଷାନଗର, ଭୁବନ, ପରଜଙ୍ଗ ଓ କଙ୍କଡାହାଡ଼ ଭଳି ଚାରୋଟି ବ୍ଲକ୍‌କୁ ନେଇ ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ଏହି ଉପଖଣ୍ଡ ରାଜ୍ୟର ଏକ ଅଗ୍ରଣୀ ଅଞ୍ଚଳ ଭାବେ ଜଣାଶୁଣା। କିନ୍ତୁ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ବୃହତ୍ତମ ଉପଖଣ୍ଡର ଲକ୍ଷାଧିକ ଲୋକ ଟ୍ରେନ୍ ସେବାରୁ ବଞ୍ôଚତ। ସମସ୍ତ ଭିତ୍ତିଭୂମି ଥାଇ ଆଜି ପର୍ଯ୍ୟନ୍ତ କାମାକ୍ଷାନଗର ଉପଖଣ୍ଡରେ ଗଡି ପାରୁନାହିଁ ପାସେଞ୍ଜର ଟ୍ରେନ୍‌। ଢେଙ୍କାନାଳ ହେଉଛି ଓଡିଶା ରାଜ୍ୟର କେନ୍ଦ୍ରସ୍ଥଳ। ବିଶେଷ କରି ଗମନାଗମନ କ୍ଷେତ୍ରରେ ଢେଙ୍କାନାଳ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପୂର୍ବରୁ ପଶ୍ଚିମ ଓଡିଶା ଏବଂ ଉତ୍ତରରୁ ଦକ୍ଷିଣ ଓଡିଶାକୁ ଯିବା ଆସିବା ପାଇଁ ଢେଙ୍କାନାଳ ଜିଲ୍ଲା ଉପରେ ନିର୍ଭର କରନ୍ତି ରାଜ୍ୟବାସୀ। ଗମନାଗମନକୁ ବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ଦେଇ ତିନି ତିନୋଟି ଜାତୀୟ ରାଜପଥ ଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରେ ରହିଛି ରେଲୱେ ଷ୍ଟେସନ। କିନ୍ତୁ ଏତେସବୁ ପରେ ବି ଜିଲ୍ଲାର ବୃହତ୍ତମ ଉପଖଣ୍ଡ ଭାବେ ପରିଗଣିତ କାମାକ୍ଷାନଗର ଉପଖଣ୍ଡର ଲକ୍ଷାଧିକ ଜନସାଧାରଣ ଗମନାଗମନ କ୍ଷେତ୍ରର ବେଶ ପଛୁଆ।

ଆଉ ତାହାର କାରଣ ହେଉଛି କାମାକ୍ଷାନଗର ଉପଖଣ୍ଡର ଆଜି ପର୍ଯ୍ୟନ୍ତ ଟ୍ରେନ୍‌ସେବାରୁ ବଞ୍ଚିତ ଉପଖଣ୍ଡବାସୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା କାମାକ୍ଷାନଗର ଉପଖଣ୍ଡ ଦେଇ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଠାରୁ ଆରମ୍ଭ କରି ଯାଜପୁର ଜିଲ୍ଲାର ସୁକିନ୍ଦା ପର୍ଯ୍ୟନ୍ତ ଟ୍ରେନ ଲାଇନ ରହିଛି। ମାଲବାହୀ ଟ୍ରେନ୍ ଚଳାଚଳ ହେଉଛି। କିନ୍ତୁ ସମସ୍ତ ପ୍ରକାରର ଭିତିଭୂମି ଥାଇ ଆଜି ପର୍ଯ୍ୟନ୍ତ କୌଣସି ପାସେଞ୍ଜର ଟ୍ରେନ୍ ଚଳାଚଳ ହୋଇ ପାରୁନାହିଁ। ୧୯୯୭ ମସିହାରେ କାମାକ୍ଷାନଗର ସହରର ସାରଙ୍ଗଧର ଷ୍ଟାଡିୟମ ଠାରେ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ସ୍ୱର୍ଗତ ରାମବିଳାସ ପାଶ୍ୱାନ କାମାକ୍ଷାନଗର ଉପଖଣ୍ଡ ଦେଇ ଟ୍ରେନ୍ ଚଳାଚଳ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଏହାର ପ୍ରାୟ ୨୩ବର୍ଷ ପରେ ୨୦୨୦ ମସିହା ସମୟରେ କାମାକ୍ଷାନଗର ଉପଖଣ୍ଡ ଦେଇ ଟ୍ରେନ୍ ଚଳାଚଳ କରିବା ପାଇଁ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣ କରାଯାଇଥିଲା। ଟ୍ରେନ୍ ଚଳାଚଳ କରିବା ପାଇଁ ସ୍ଥାନୀୟ ଲୋକମାନେ ନିଜର ହଜାର ହଜାର ଏକର ଜମିକୁ ଶାଗମାଛ ଦରରେ ସରକାରଙ୍କ ହାତକୁ ଟେକି ଦେଇଥିଲେ। ବହୁଦିନର ଅପେକ୍ଷା ପରେ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଠାରୁ ଯାଜପୁର ଜିଲ୍ଲାର ସୁକିନ୍ଦା ପର୍ଯ୍ୟନ୍ତ ପ୍ରାୟ ୮୫ କିଲୋମିଟର ଟ୍ରେନ୍‌ଲାଇନ ନିର୍ମାଣ ହେଲା। ଏବଂ ଆଜିକୁ ପ୍ରାୟ ୪ବର୍ଷ ତଳେ ପ୍ରଥମକରି କାମାକ୍ଷାନଗର ଉପଖଣ୍ଡରେ ମାଲବାହୀ ଟ୍ରେନ ଗଡ଼ିଲା। ବହୁଦିନର ସ୍ୱପ୍ନ ବାସ୍ତବ ରୂପ ନେଉଥିବା ଜାଣି ସ୍ଥାନୀୟ ଲକ୍ଷାଧିକ ଜନସାଧାରଣ ବେଶ ଆନନ୍ଦିତ ଥିବାବେଳେ ଏହି ଆନନ୍ଦ ଅଳ୍ପ ଦିନ ମଧ୍ୟରେ ନିଜ ସ୍ୱପ୍ନର ବାସ୍ତବତାକୁ ନେଇ ନିରାଶାରେ ପରିଣତ ହେଲା।

ମାଲବାହୀ ଟ୍ରେନ ଗଡ଼ିବାର ପ୍ରାୟ ୪ବର୍ଷ ହୋଇଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମଧ୍ୟ ପାସେଞ୍ଜର ଟ୍ରେନ୍ ଏହି ଟ୍ରେନ୍‌ଲାଇନ ଦେଇ ଗଡି ପାରିଲା ନାହିଁ। ଯାହାକୁ ନେଇ ଅନେକ ସମୟରେ ସ୍ଥାନୀୟ ଲୋକ ଦୂର ସ୍ଥାନକୁ ଯିବାଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳର ଜନ ସାଧାରଣ ଟ୍ରେନ୍‌ରେ ରାଜ୍ୟର କୌଣସି ସହର କିମ୍ବା ରାଜ୍ୟ ବାହାରକୁ ଯିବାର ଥିଲେ କାମାକ୍ଷନଗର ଠାରୁ ୭୦ କିଲୋମିଟର ଦୂର ଯାଜପୁର ରୋଡ, ପଚାଶ କିଲୋମିଟର ଦୂର ତାଳଚେର ଏବଂ ଚାଳିଶ କିଲୋମିଟର ଦୂରରେ ଥିବା ଢେଙ୍କାନାଳ ଉପରେ ନିର୍ଭର କରିଥାନ୍ତି। ତେଣୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ପାସେଞ୍ଜର ଟ୍ରେନ୍ ଚଳାଇବାକୁ ଦାବି କରିଆସୁଥିଲେ ମଧ୍ୟ ଏହା କେବଳ ରାଜନୀତି ମଧ୍ୟରେ ସୀମିତ ରହିଯାଇଛି। ଆଜି ପର୍ଯ୍ୟନ୍ତ କାମାକ୍ଷାନଗର ଉପଖଣ୍ଡ ବାସୀ ପାସେଞ୍ଜର ଟ୍ରେନ ସେବାରୁ ବଞ୍ଚିତ ହୋଇଥିବା ବେଳେ ଆଗାମୀ ସମୟରେ ତୁରନ୍ତ ଏହି ଟ୍ରେନଲାଇନରେ ପାସେଞ୍ଜର ଟ୍ରେନ ଚଳାଇବାକୁ ସରକାରଙ୍କୁ ଦାବି କରିଛନ୍ତି। ରାଜ୍ୟରେ ଏବେ ଡବଲଇଞ୍ଜିନ୍ ସରକାର ଚାଲୁଥିବା ବେଳେ କାମାକ୍ଷାନଗର ଅଞ୍ଚଳ ବାସିନ୍ଦାଙ୍କୁ ଏକ ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍ ଦେଖାଇବାରେ ସରକାର ବିଫଳ ହୋଇଛନ୍ତି। ତେବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ପାର୍ଲାମେଣ୍ଟ୍‌ରେ ଏହି ରୁଟ୍‌ରେ ପାସେଞ୍ଜର ଟ୍ରେନ ଚଳାଚଳକୁ ନେଇ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାସ୍ତବରେ କୌଣସି ପ୍ରକାର ର କାର୍ଯ୍ୟ ଆରମ୍ଭ ହୋଇନାହିଁ।

ସ୍ଥାନୀୟ କଂଗ୍ରେସ ଓ ବିଜେଡି ନେତାଚଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି ଯେ, ପାସେଞ୍ଜର ଟ୍ରେନ ଚଳାଚଳକୁ ବିଜେପି କେବଳ ରାଜନୀତି କରାଉଥିବା କହିଛନ୍ତି ନଗର କଂଗ୍ରେସ ସଭାପତି କାମାକ୍ଷା ପ୍ରସାଦ ପଣ୍ଡା। ସେହିପରି ଭାବେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ତଥା କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ମଧ୍ୟ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। କାମାକ୍ଷାନଗର ଦେଇ ଯାଉଥିବା ମାଲବାହୀ ଟ୍ରେନ ଗୁଡିକରେ କୋଇଲା ଯାଇ ଷ୍ଟେସନ ନିକଟରେ ଡିପୋ କରାଯାଇ ସହର ପ୍ରଦୂଷିତ ହେଉଛି। ବଡ଼ବଡ଼ କମ୍ପାନୀମାନେ ଏହାର ଫାଇଦା ନେଉଥିବା ବେଳେ ସ୍ଥାନୀୟ ଲୋକ ଟ୍ରେନ ସେବାରୁ ବଞ୍ଚିତ ହେଉଛନ୍ତି। ତେଣୁ ତୁରନ୍ତ ପାସେଞ୍ଜର ଟ୍ରେନ୍ ଚଳାଇବା ପାଇଁ ଆଗାମୀ ଦିନରେ ବିଜେଡି ତରଫରୁ ଦାବି ଜୋରଦାର ହେବ। ତେବେ କଂଗ୍ରେସ ଓ ବିଜେଡିର କାଉଣ୍ଟର କରି ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା ତୁରନ୍ତ ଏହି ରୁଟ୍‌ରେ ପାସେଞ୍ଜର ଟ୍ରେନ ପାଇଁ ରେଳମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking