ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସର ବ୍ୟାଡ୍ମିଣ୍ଟନ୍ ଇଭେଣ୍ଟ୍ ନିମନ୍ତେ ଗ୍ରୁପ୍ ସ୍ଥିର ହୋଇଛି । ଜୁଲାଇ ୨୭ରୁ ବ୍ୟାଡ୍ମିଣ୍ଟନ୍ ଇଭେଣ୍ଟ୍ ଆରମ୍ଭ ହେବ । ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟଙ୍କୁ ଏଥିରେ ସହଜ ଗ୍ରୁପ୍ ମିଳିଛି । ରିଓରେ ରୌପ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିବା ସିନ୍ଧୁଙ୍କ ୧୦ମ ସିଡ୍ ପ୍ରଦାନ କରାଯାଇଛି । ବିଶ୍ୱ ନଂ. ୧୩ ସିନ୍ଧୁଙ୍କୁ ମହିଳା ସିଙ୍ଗଲ୍ସର ଗ୍ରୁପ୍-ଏମ୍’ରେ ଏସ୍ତୋନିଆର କ୍ରିଷ୍ଟ୍ରିନ୍ କୁଉବା ଏବଂ ମାଳଦ୍ୱୀପର ଫାତିମାଥ ନବାହା ଅବ୍ଦୁଲ୍ ରଜାକ୍ଙ୍କ ସହ ରଖାଯାଇଛି । ଲଗାତାର ତୃତୀୟ ଅଲିମ୍ପିକ୍ରେ ପଦକ ଲକ୍ଷ୍ୟ ରଖିଥିବା ସିନ୍ଧୁ ପ୍ରି-କ୍ୱାର୍ଟର୍ରେ ୬ଷ୍ଠ ସିଡ୍ ହେ ବିଙ୍ଗ୍ ଜିଓଙ୍କୁ ଭେଟିପାରନ୍ତି । ସେହିପରି ଅଲିମ୍ପିକ୍ ପଦାର୍ପଣ କରିବାକୁ ଯାଉଥିବା ଏଚ୍ଏସ୍ ପ୍ରଣୟଙ୍କୁ ପୁରୁଷ ସିଙ୍ଗଲ୍ସରେ ୧୩ଶ ସିଡ୍ ମିଳିଥିବା ବେଳେ ସେ ଗ୍ରୁପ୍-କେ’ରେ ଭିଏତ୍ନାମ୍ର ଲେ ଡକ୍ ଫାଟ୍ ଏବଂ ଜର୍ମାନୀର ଫାବିୟନ୍ ରୋଥ୍ ରହିଛନ୍ତି । ବିଶ୍ୱ ନଂ.୧୯ ଲକ୍ଷ୍ୟ ସେନ୍ଙ୍କୁ ଗ୍ରୁପ୍-ଏଲ୍’ରେ ସାମିଲ କରାଯାଇଛି । ଅଣସିଡେଡ୍ ଲକ୍ଷ୍ୟଙ୍କ ଗ୍ରୁପ୍ରେ ତୃତୀୟ ସିଡ୍ ଇଣ୍ଡୋନେସିଆର ଜୋନାଥନ୍ କ୍ରିଷ୍ଟିଙ୍କ ବ୍ୟତୀତ କେଭିନ୍ କାର୍ଡନ୍ ଏବଂ ବେଲ୍ଜିୟମ୍ର ଜୁଲିୟନ୍ କେରାଗି ସାମିଲ ଅଛନ୍ତି । ପ୍ରଣୟ ଓ ଲକ୍ଷ୍ୟ ଯଦି ନିଜ ଗ୍ରୁପ୍ର ଶୀର୍ଷରେ ରୁହନ୍ତି, ତେବେ ଉଭୟ ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ପରସ୍ପରକୁ ଭେଟିବେ ।
ଅନ୍ୟପକ୍ଷରେ ବିଶ୍ୱ ନଂ. ୧୯ ତନୀଷା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନପ୍ପାଙ୍କ ଭାରତୀୟ ଯୋଡ଼ିକୁ ମହିଳା ଡବଲ୍ସର କଷ୍ଟକର ଗ୍ରୁପ୍-ସି’ରେ ସ୍ଥାନ ମିଳିଛି । ଏହି ଗ୍ରୁପ୍ରେ ଜାପାନର ନାମୀ ମତ୍ସୁୟାନା ଓ ଚିହାରୁ ଶିଦା (ବିଶ୍ୱ ନଂ. ୪)ଙ୍କ ଯୋଡ଼ି ବ୍ୟତୀତ ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ ବିଜେତା ଦକ୍ଷିଣ କୋରିଆର କିମ୍ ସୋ ୟେଓଙ୍ଗ ଓ କୋଙ୍ଗ୍ ହି ୟାଙ୍ଗ୍ (ବିଶ୍ୱ ନଂ.୭) ଏବଂ ଅଷ୍ଟ୍ରେଲିଆର ସେତ୍ୟାନା ମାପାଦା ଓ ଆଞ୍ଜେଲା ୟୁ (ବିଶ୍ୱ ନଂ. ୨୭)ଙ୍କ ଯୋଡ଼ି ରହିଛି । ପଦକ ଦାବିଦାର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଷ୍ଟାର୍ ଭାରତୀୟ ପୁରୁଷ ଯୋଡ଼ିକୁ ପୁରୁଷ ଡବଲ୍ସରେ ତୃତୀୟ ସିଡ୍ ପ୍ରଦାନ କରାଯାଇଛି । ତେବେ ସିଏଏସ୍ରେ ଯୋଡ଼ି ସଂଖ୍ୟାକୁ ନେଇ ଶୁଣାଣି ଚାଲିଥିବାରୁ ପୁରୁଷ ଡବଲ୍ସ ଡ୍ର’ ସ୍ଥଗିତ ରଖାଯାଇଥିଲା ଏବଂ ବିଡବ୍ଲ୍ୟୁଏଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଡ୍ର’ ତାରିଖ ଘୋଷଣା କରିନାହିଁ ।