26.1 C
Bhubaneswar
Friday, March 6, 2026
Homeଓଡିଶାଉଦଘାଟନ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା

ଉଦଘାଟନ ହେଲା ପାରାଦୀପ କଳିଙ୍ଗ ବାଲିଯାତ୍ରା

ପାରାଦୀପ: ପାରାଦୀପ ସମୁଦ୍ର ବେଳାଭୂମି ନିକଟସ୍ଥ ବିଜୁ ମୈଦାନ ବାଲିଯାତ୍ରା ପଡ଼ିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପାରମ୍ପରିକ ପାରାଦୀପ ମହୋତ୍ସବ-୨୦୨୫ ମଙ୍ଗଳବାର ସନ୍ଧ୍ୟାରେ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ହେଲିକାପ୍ଟର ରେ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମ ରେ ଅବତରଣ କରିବା ପରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ବାଲିଯାତ୍ରା ମଞ୍ଚ ନିକଟକୁ ନିଆଯାଇଥିଲା l ଏହି ଅବସରରେ ସ୍ଥାନୀୟ ଜନସାଧାରଣ ଓ ଦଳୀୟ କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇଥିବାର ଦେଖିବାକୁ ମିଳିଥିଲା lଏହି ମହୋତ୍ସବ ଓଡ଼ିଶାର ପାରମ୍ପରିକ ସାମୁଦ୍ରିକ ବାଣିଜ୍ୟ, ମେଳା ଏବଂ ପୂର୍ବ ଓଡ଼ିଶାର ସମୃଦ୍ଧ ସଂସ୍କୃତିର ଏକ ରଙ୍ଗୀନ ସ୍ମରଣକାରୀ। କଳିଙ୍ଗ ବାଲିଯାତ୍ରା ହେଉଛି ବାଲି ସହିତ ପୁରୁଣା ପାରମ୍ପରିକ ସାଂସ୍କୃତିକ ଏବଂ ଅର୍ଥନୈତିକ ବାଣିଜ୍ୟ ସମ୍ପର୍କର ପ୍ରତୀକ। ଏହି ମହୋତ୍ସବ ପ୍ରାଚୀନ ଓଡ଼ିଶାର ଗୌରବମୟ ସାମୁଦ୍ରିକ ବାଣିଜ୍ୟ ଏବଂ ସମୃଦ୍ଧିର ପ୍ରତୀକ, ଯାହାକୁ କଳିଙ୍ଗ ନାମରେ ଜଣାଶୁଣା। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ପାରାଦୀପରେ କଳିଙ୍ଗ ବାଲିଯାତ୍ରା ଆରମ୍ଭ କରିଥିଲେ। କଳିଙ୍ଗର ସାମୁଦ୍ରିକ ଗୌରବର ସ୍ମୃତିକୁ ପୁନର୍ଜୀବିତ ଏବଂ ସତେଜ କରିବା ପାଇଁ, ୧୯୯୨ ମସିହାର କାର୍ତ୍ତିକ ପୂର୍ଣ୍ଣିମାରେ ଏକ ଅଭିଯାନ ଆୟୋଜନ କରାଯାଇଥିଲା। ଓଡ଼ିଶାର ପାରାଦୀପ ବନ୍ଦରରୁ ସାତ ଜଣ ସଦସ୍ୟଙ୍କୁ ନେଇ ଏକ ୧୩ ମିଟର ଲମ୍ବା ଏକ ପାଲଟଣା ନୌକା ବାଲି ଅଭିମୁଖେ ଯାତ୍ରା କରି ପ୍ରାଚୀନ ବାଣିଜ୍ୟ ପଥକୁ ପୁନର୍ବାର ଅନୁସରଣ କରିଥିଲେ। “ଆଇଏନଏସ ସମୁଦ୍ର” ନୌକାରେ ମାତ୍ର ୧୭ ସପ୍ତାହ ମଧ୍ୟରେ ୫,୮୧୦ ନଟିକାଲ୍ ମାଇଲ୍ ଦୂରତା ଅତିକ୍ରମ କରିଥିଲା। ସେବେଠାରୁ ବାଲିଯାତ୍ରା ପାଳନ ଚାଲିଛି ଯାହା ଏହି ଅଞ୍ଚଳର ଗୌରବମୟ ସାମୁଦ୍ରିକ ପରମ୍ପରାକୁ ମନେ ପକାଇଥାଏ।

ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ସ୍ମୃତିଚାରଣ କରିଥିଲେ। ଦୀର୍ଘ ବର୍ଷ ଧରି ମହୋତ୍ସବକୁ ସଫଳତାର ସହିତ ପରିଚାଳନା ପାଇଁ ଆୟୋଜକଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେହିପରି ପାରାଦୀପ ବିଧାୟକ ଏବଂ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଓଡ଼ିଶାର ପ୍ରାଚୀନ ସମୃଦ୍ଧ ପରମ୍ପରା ଏବଂ ସାମୁଦ୍ରିକ କାର୍ଯ୍ୟକଳାପ ବିଷୟରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ପି.ଏଲ.ହରନାଦ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଉଦଘାଟନୀ ସଭାରେ କଳିଙ୍ଗ ବାଲିଯାତ୍ରା କମିଟି (କେବିସି)ର ଅଧ୍ୟକ୍ଷ ଏବଂ ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଲୋକସମ୍ପର୍କ ଅଧିକାରିଣୀ ପ୍ରତୀଚୀ ତନୟା ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ତଥା ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ କମିଟିର ସମ୍ପାଦକ ତଥା ପାରାଦୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଏଥିରେ ସକ୍ରିୟ ସହଯୋଗ କରିଥିଲେ। ଏହି ଉଦଘାଟନୀ ଅବସରରେ ବହୁ ଜନସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା l ସୂଚନାଥାଉକି ଆସନ୍ତା କାଲି ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପାରାଦୀପ ବନ୍ଦର ୱେଟବେସିନ ଠାରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେବେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking