ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ଜୀବନ ନେଇଥିଲେ ଆତଙ୍କବାଦୀ । ଏହା ପରେ ସାରା ଦେଶରେ ଏହି ଘଟଣାକୁ ନେଇ ଲୋକଙ୍କ କ୍ରୋଧ ଥମିବାର ନାଁ ନେଉନାହିଁ । ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଏହି ଘଟଣା ଉପରେ କ୍ରୋଧ ପ୍ରକାଶ କରୁଛନ୍ତି ଏବଂ ସରକାରଙ୍କଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଗତକାଲି ପାକିସ୍ତାନ ବିରୋଧରେ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଭିସା ଛାଡ଼ ଯୋଜନା ଅଧୀନରେ ପାକିସ୍ତାନୀ ନାଗରିକଙ୍କୁ ଦିଆଯାଉଥିବା ସୁବିଧାକୁ ବନ୍ଦ କରି ଦିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ଏବେ ପାକିସ୍ତାନୀ ନାଗରିକମାନେ ଭାରତ ଯାତ୍ରା କରିପାରିବେ ନାହିଁ ।
ସେହି ପାକିସ୍ତାନୀ ନାଗରିକମାନେ ଯେଉଁମାନେ ଏହି ସୁବିଧା ଅଧୀନରେ ପୂର୍ବରୁ ଭାରତରେ ଉପସ୍ଥିତ ଅଛନ୍ତି । ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷ୍ପତ୍ତି ପରେ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନର ସୀମା ହାଇଦର ମେ ୨୦୨୩ ରେ ନେପାଳ ଦେଇ ବେଆଇନ ଭାବରେ ଭାରତ ଆସିଥିଲେ । ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ପାକିସ୍ତାନ ପଠାଇବାକୁ ଦାବି କରିଛନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ କିନ୍ତୁ ସୀମା ହାଇଦର ଏହି ବିଷୟରେ କିଛି କହି ନଥିଲେ । ଚାରିଟି ପିଲାଙ୍କ ସହିତ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦର ମାର୍ଚ୍ଚ ୧୮ ରେ ଏକ ଝିଅକୁ ଜନ୍ମ ଦେଇଥିଲେ । ଯାହାର ନାମ ମୀରା ରଖାଯାଇଛି । ସୀମା ହାଇଦରଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ରାବୁପୁରାର ବାସିନ୍ଦା ସଚିନ ମୀନାଙ୍କ ସହ ହୋଇଥିଲା । ଏହା ସୀମା ହାଇଦରଙ୍କ ପଞ୍ଚମ ସନ୍ତାନ ମୀରା ଏବଂ ସୀମା ସଚିନ ମୀନାଙ୍କ ପ୍ରଥମ ସନ୍ତାନ ।