22.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶଆତଙ୍କବାଦୀଙ୍କୁ ସମର୍ଥନ, ତାଲିମ ଦେବା କଥା ସ୍ୱୀକାର କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଆତଙ୍କବାଦୀଙ୍କୁ ସମର୍ଥନ, ତାଲିମ ଦେବା କଥା ସ୍ୱୀକାର କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ôଥକ ସହାୟତା ଏବଂ ତାଲିମ ପ୍ରଦାନ କରିଆସୁଛି। ମୁଖ୍ୟତଃ ଆମେରିକା ଏବଂ ପଶ୍ଚିମୀ ଦେଶଗୁଡ଼ିକଙ୍କ ସପକ୍ଷରେ ତଥା ଏସବୁ ରାଷ୍ଟ୍ରଙ୍କ ସ୍ୱାର୍ଥ ସାଧନ ଦିଗରେ ଏହି “ଘୃଣ୍ୟ କାମ” କରାଯାଉଛି। ଆସିଫ୍‌ଙ୍କ ଏହି ବୟାନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୭ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଆସିଥିବା ବେଳେ ଏହାକୁ ନେଇ ବିଶ୍ୱସ୍ତରରେ ବୃହତ୍ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଦିନକ ପୂର୍ବେ ଆସିଫ୍ ଖ୍ୱାଜା ଭାରତକୁ ମଧ୍ୟ ଚେତାବନୀ ଦେଇ କହିଥିଲେ ଯେ, ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ କିମ୍ବା ପାକିସ୍ତାନୀ ନାଗରିକଙ୍କୁ ସାମାନ୍ୟତମ ଆଘାତ ମଧ୍ୟ ପହଞ୍ଚାଇବାକୁ ମଧ୍ୟ ଚେଷ୍ଟା କରେ ତେବେ ଭାରତ ପାଇଁ ଏହା ଘାତକ ସାବ୍ୟସ୍ତ ହେବ, ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ସେ ପାକିସ୍ତାନରେ ଘଟୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ଭାରତର ହାତ ଥିବା ଅଭିଯୋଗ କରିଥିଲେ। ରିପୋର୍ଟ ଅନୁସାରେ ପାକିସ୍ତାନର ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍‌କୁ ସାକ୍ଷାତକାର ଦେବା ଅବସରରେ ଆସିଫ୍‌ଙ୍କ ଏପ୍ରକାର ବୟାନ୍ ଆସିଛି। ସେ କହିଛନ୍ତି, ସୋଭିଏତ୍ ୟୁନିଅନ୍ ବିରୁଦ୍ଧରେ ଲଢ଼ିବା ପାଇଁ ସଶସ୍ତ୍ର ଆତଙ୍କବାଦୀମାନଙ୍କୁ ତାଲିମ୍ ଏବଂ ଆଶ୍ରୟ ଦେଇଥିଲା ପାକିସ୍ତାନ। ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠି ମଧ୍ୟ ଖର୍ଚ୍ଚ କରାଯାଇଥିଲା। ସେହିପରି ସୋଭିଏତ୍‌-ଆଫଗାନ ଯୁଦ୍ଧରେ ଆମେରିକାକୁ ପାକିସ୍ତାନ ସମର୍ଥନ କରିଥିଲା। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଙ୍କ ପାଇଁ ପାକିସ୍ତାନ ଏହି ଘୃଣ୍ୟକାମ କରୁଥିବା କଥାକୁ ସ୍ୱୀକାର କରିଛନ୍ତି। ଏହି ଅବସରରେ ଆସିଫ୍ କହିଛନ୍ତି ଯେ, ପାକିସ୍ତାନକୁ ଏଥିପାଇଁ ବହୁମୂଲ୍ୟ ମଧ୍ୟ ଦେବାକୁ ପଡ଼ିଛି। ପାକିସ୍ତାନ ଅନେକ କ୍ଷତି ସହିଛି।

ଆସିଫ୍‌ଙ୍କ କହିବାନୁସାରେ ଯଦି ସୋଭିଏତ୍‌-ଆଫଗାନ୍ ଯୁଦ୍ଧ ଏବଂ ୯/୧୧ ପରେ ତାଲିବାନ ବିରୁଦ୍ଧରେ ଆମେରିକାର ଯୁଦ୍ଧରେ ପାକିସ୍ତାନ ଯୋଗଦେଇନଥାନ୍ତା, ତେବେ ପାକିସ୍ତାନର ଟ୍ରାକ୍ ରେକର୍ଡ ନିଶ୍ଚିତ ଭଲ ହୋଇଥାନ୍ତା। ସେ ସୋଭିଏତ ଯୁଦ୍ଧ ଏବଂ ୯/୧୧ ପରେ ଆମେରିକାର ଆଫଗାନିସ୍ତାନ ଯୁଦ୍ଧରେ ପାକିସ୍ତାନର ସହଭାଗୀତାକୁ ଦୋଷାରୋପ କରିଛନ୍ତି। ଆସିଫଙ୍କ ବୟାନ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନର ଦୀର୍ଘ ଇତିହାସକୁ ପୁନର୍ବାର ଆଲୋକପାତ କରିଛି। ୧୯୮୦ ଦଶକରେ ସୋଭିଏତ-ଆଫଗାନ ଯୁଦ୍ଧ ସମୟରେ ପାକିସ୍ତାନ, ଆମେରିକାର ସମର୍ଥନରେ, ମୁଜାହିଦ୍ଦିନ୍‌ଙ୍କୁ ତାଲିମ ଓ ଅର୍ଥ ଯୋଗାଇଥିଲା। ଏହି ଗୋଷ୍ଠୀଗୁଡ଼ିକ ପରେ ଅଲ୍‌-କାଏଦା ଭଳି ସଂଗଠନରେ ରୂପାନ୍ତରିତ ହୋଇଥିଲେ। ପ୍ରକାଶ, ୨୦୧୯ରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ସ୍ୱୀକାର କରିଥିଲେ ଯେ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ଆଫଗାନିସ୍ତାନରେ ଯୁଦ୍ଧ ପାଇଁ ଅଲ-କାଏଦାକୁ ତାଲିମ ଦେଇଥିଲା। ଏହାସହିତ, ୨୦୦୮ରେ ମୁମ୍ବାଇ ଆକ୍ରମଣରେ ଲସ୍କର-ଏ-ତୋଇବାର ସମ୍ପୃକ୍ତି ଏବଂ ପାକିସ୍ତାନର ଭୂମିକା ମଧ୍ୟ ଅନେକ ଥର ଆଲୋଚନାର ବିଷୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking