ଭୁବନେଶ୍ୱର: ନିରନ୍ତର ସାଧନା ଦ୍ୱାରା ନିଜ ସ୍ୱପ୍ନକୁ ସାକାର କରିହେବ। ସେଥିପାଇଁ ପିଲାମାନେ ଏବେଠାରୁ ପ୍ରଚେଷ୍ଟାଜାରି ରଖ। ନିଜ ଅଭିଜ୍ଞତା ଭିତ୍ତିରେ ଏଭଳି ପରାମର୍ଶ ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ପଦ୍ମଶ୍ରୀ କୁମକୁମ୍ ମହାନ୍ତି। ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଓ ଆଲୁମ୍ନି କନେକ୍ଟର ଯୌଥ ପ୍ରୟାସରେ ଅଷ୍ଟାଦଶ ‘ମିଟ୍ ଦି ଆଲୁମ୍ନି କାର୍ଯ୍ୟକ୍ରମ’ରେ ଯୋଗଦେଇ ପଦ୍ମଶ୍ରୀ କୁମକୁମ୍ ମହାନ୍ତି ଏହା କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସଫଳତା ପଛରେ ତାଙ୍କର ନୃତ୍ୟକୁ ଭଲ ପାଇବା, ନିଷ୍ଠା ଓ ସାଧନା ଥିଲା। ଜଣେ ବିବାହିତା ମହିଳା ତଥା ସର୍ବଭାରତୀୟ ଡାକ ସେବାର ଉଚ୍ଚ ଅଧିକାରୀ ହେବା ସତ୍ତ୍ୱେ ସେ କିପରି ସବୁଗୁଡ଼ିକରେ ସମନ୍ୱୟ ରଖି ଓଡ଼ିଶୀ ନୃତ୍ୟ ସାଧନା, ଅଭିନୟ ସହିତ ଗୁରୁ ପଦ୍ମଭୂଷଣ କେଳୁଚରଣ ମହାପାତ୍ରଙ୍କ ସହିତ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଏହାର ପ୍ରଚାର ପ୍ରସାର କରୁଥିଲେ ସେ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି ଶ୍ରୀମତୀ ମହାନ୍ତି ପ୍ରକାଶ କରିଥିଲେ।
ପ୍ରାରମ୍ଭରେ ପୁରାତନ ଛାତ୍ରସଂଘର ସଭାପତି ତଥା ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହିତ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶୀ ସଂଗୀତ କଣ୍ଠଶିଳ୍ପୀ ତଥା ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମିତାଲି ଚିନାରା ଓ ପୁରାତନ ଛାତ୍ରସଂଘର ସହ ସମ୍ପାଦକ ଡକ୍ଟର ବୀରକିଶୋର ଦାଶ, କାର୍ଯ୍ୟନିର୍ବାହୀ ସଦସ୍ୟବୃନ୍ଦ ତପନ କୁମାର ଜେନା, ଡକ୍ଟର ମନୋରଞ୍ଜନ ଭୂୟାଁ, ଡକ୍ଟର ନାରାୟଣ ତ୍ରିପାଠୀ, ଲକ୍ଷ୍ମୀଧର ଚାନ୍ଦ ଓ ବିଶ୍ୱଜିତ ନାୟକ, ଅନାଦି ଦାସ, ପ୍ରଦୋଷ ରଞ୍ଜନ ଦାସ, ଜୟପ୍ରକାଶ ପଟ୍ଟନାୟକ ଓ ମନୋଜ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଲୁମ୍ନି କନେକ୍ଟ ସଂଯୋଜକ ଡକ୍ଟର ଆଶିଷ ଚନ୍ଦ୍ର ପାଠୀ ଧନ୍ୟବାଦ ଦେଇଥିଲେ। ସଂଘର ଉପସଭାପତି ରଘୁନାଥ ପୃଷ୍ଟି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।










