ଥିରୁଅନନ୍ତପୁରମ୍: କେରଳ ଭଳି ଏକ ବାମପନ୍ଥୀ ଚିନ୍ତାଧାରା ପ୍ରବଣ ରାଜ୍ୟରେ ବିଜେପିକୁ ଏକ ବଡ଼ ସଫଳତା ମିଳିଛି। ରିପୋର୍ଟ ଅନୁସାରେ ରାଜଧାନୀ ଥିରୁଅନନ୍ତପୁରମ୍ରେ ପ୍ରଥମ ଥର ପାଇଁ ବିଜେପି କୌଣସି ଏକ ନିର୍ବାଚନ ଜିତିଛି। ଥିରୁଅନନ୍ତପୁରମ୍ର ମହାନଗର ନିଗମ ନିର୍ବାଚନରେ ବିଜେପି ବିଜୟୀ ହେବା ସହ ମେୟର ପଦକୁ ନିଜ ଅକ୍ତିଆରକୁ ନେଇଛି। ଏଥିସହ ଏଠାରେ ଦୀର୍ଘ ୪୫ବର୍ଷ ଧରି କ୍ଷମତାରେ ରହିଥିବା ବାମପନ୍ଥୀ ଦଳକୁ ପ୍ରଥମ ଥର ପାଇଁ ଏଭଳି ଏକ ବଡ଼ ପରାଜୟ ମିଳିଛି। ଥିରୁଅନନ୍ତପୁରମ୍ ମହାନଗର ନିଗମ ଦୀର୍ଘ ସମୟ ଧରି ସିପିଆଇ(ଏମ୍) ନେତୃତ୍ୱାଧୀନ ଏଲ୍ଡିଏଫ୍ ଅଧୀନରେ ଗତ ୪୫ବର୍ଷ ଧରି ରହିଆସିଥିଲା। କିନ୍ତୁ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନ ଫଳାଫଳ ଅନୁସାରେ ନଗର ନିଗମର ମୋଟ୍ ୧୦୧ଟି ୱାର୍ଡରୁ ଏନ୍ଡିଏ ୫୦ଟି ୱାର୍ଡ ଜିତିବାରେ ସଫଳ ହୋଇଛି। ସେହିପରି ଶାସକ ଏଲ୍ଡିଏଫ୍ ମାତ୍ର ୨୯ଟି ଆସନ ପାଇବାରେ ସଫଳ ହୋଇଛି। ଅନ୍ୟପକ୍ଷେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରୁଥିବା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୧୯ଟି ଆସନ ଏବଂ ସ୍ୱାଧୀନ ପ୍ରାର୍ଥୀ ଦୁଇଟି ଆସନରେ ବିଜୟୀ ହୋଇଛନ୍ତି। ଗତ ସପ୍ତାହରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଗୋଟିଏ ଆସନରେ ନିର୍ବାଚନ ବାତିଲ କରାଯାଇଛି।
ବିଜେପି ପାଇଁ ନଗର ନିଗମ ନିର୍ବାଚନରେ ଏପ୍ରକାର ବିଜୟକୁ ବହୁତ ବଡ଼ ବିଜୟ ଭାବେ ବିବେଚନା କରାଯାଉଛି। କାରଣ ବିଜେପି ଗତ ବର୍ଷ ଏହି ଦକ୍ଷିଣ ରାଜ୍ୟରେ ପ୍ରଥମ ଥର ପାଇଁ ଲୋକସଭା ଆସନ ଜିତିଥିଲା। ଏତଦ୍ବ୍ୟତୀତ କେରଳ ବିଧାନସଭାରେ କେବଳ ଜଣେ ମାତ୍ର ବିଜେପି ବିଧାୟକ ଅଛନ୍ତି। ଶନିବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳରେ ମିଳିଥିବା ଏହି ଜନାଦେଶକୁ “ଜଳବିଭାଜି ମୁହୂର୍ତ୍ତ’ ବୋଲି ଅଭିହିତ କରିଛନ୍ତି ଏବଂ ଏହା ବିଜେପି କର୍ମୀଙ୍କ କଠିନ ପରିଶ୍ରମର ଫଳାଫଳ ବୋଲି କହିଛନ୍ତି। ଏକ୍ସ’ରେ ମୋଦୀ ଲେଖିଛନ୍ତି ଯେ, ଥିରୁଅନନ୍ତପୁରମ୍ କର୍ପୋରେସନରେ ବିଜେପି-ଏନ୍ଡିଏ ପାଇଥିବା ଜନାଦେଶ କେରଳ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ। କେରଳର ଲୋକମାନେ ନିଶ୍ଚିତ ଯେ ରାଜ୍ୟର ବିକାଶ ଆକାଂକ୍ଷା କେବଳ ଆମ ଦଳ ଦ୍ୱାରା ସମ୍ବୋଧିତ ହୋଇପାରିବ। ଆମ ଦଳ ଏହି ସ୍ପନ୍ଦନଶୀଳ ସହରର ଅଭିବୃଦ୍ଧି ଏବଂ ଲୋକଙ୍କ ପାଇଁ ‘ସହଜ ଜୀବନଯାପନ’କୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବ। ଧନ୍ୟବାଦ ତିରୁବନନ୍ତପୁରମ୍!” ଅନ୍ୟପକ୍ଷେ ଥିରୁଅନନ୍ତପୁରମ୍ ଲୋକସଭା ଆସନରୁ ସାଂସଦ ଥିବା ବରିଷ୍ଠ କଂଗ୍ରେସ ନେତା ଏହି ବିଜୟ ପାଇଁ ବଜେପିକୁ ଶୁଭେଚ୍ଛା ଜଣାଇଛନ୍ତି ଯାହାକୁ ନେଇ କଂଗ୍ରେସରେ ଏବେ ଆଉ ଏକ ନୂଆ ଆଭ୍ୟନ୍ତରୀଣ ବିବାଦ ସୃଷ୍ଟି ହୋଇଛି।










