ଲଣ୍ଡନ୍: ଅକ୍ସଫୋଡ୍ର୍ ବିଶ୍ୱବିଦ୍ୟାଳୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ରିପୋର୍ଟ ଅନୁସାରେ ମମତା ବିଶ୍ୱବିଦ୍ୟାଳୟର କେଲଗ୍ କଲେଜ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବାର ଥିଲା। ମମତା ମଧ୍ୟ ସମ୍ପ୍ରତି ଲଣ୍ଡନ୍ ଗସ୍ତରେ ଥିବାରୁ କଲେଜ୍ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସଫୋର୍ଡର କେଲଗ କଲେଜରେ ମହିଳା, ଶିଶୁ ଏବଂ ସମାଜର ଅବହେଳିତ ବର୍ଗର ସାମାଜିକ ବିକାଶ ଉପରେ ଭାଷଣ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେ ନିଜ ରାଜ୍ୟ ସରକାରଙ୍କ ‘ସ୍ୱାସ୍ଥ୍ୟ ସାଥୀ’ ଏବଂ ‘କନ୍ୟାଶ୍ରୀ’ ଯୋଜନା ବିଷୟରେ କହୁଥିଲେ। ଯେତେବେଳେ ସେ ବଙ୍ଗଳାରେ ନିବେଶ ଉପରେ କହିବା ଆରମ୍ଭ କଲେ, କିଛି ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଠିଆ ହୋଇଯାଇଥିଲେ ଏବଂ ତାଙ୍କ ଉଦ୍ଦେଶ୍ୟରେ “ଗୋ ବ୍ୟାକ୍ ମମତା” ନାରାବାଜି କରିଥିଲେ।
ମମତା ବାନାର୍ଜୀଙ୍କ ଭାଷଣ ସମୟରେ ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଉପରେ କିଛି ଛାତ୍ର ତାଙ୍କୁ ପ୍ରଶ୍ନ ପଚାରିବାରୁ ବିବାଦ ଆରମ୍ଭ ହୋଇଥିଲା। ମମତା ଏହି ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ମଝିରେ ଆଉ କିଛି ଛାତ୍ର ତାଙ୍କୁ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରଶ୍ନ ମଧ୍ୟ ପଚାରିଥିଲେ। ଏତଦ୍ବ୍ୟତୀତ ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ମଧ୍ୟ କିଛି ଛାତ୍ର ପ୍ରଶ୍ନ ଉଠାଇଥିଲେ, ଯାହାର ଉତ୍ତରରେ ମମତା କହିଥିଲେ,ତାଙ୍କ ପାଇଁ ସବୁ ଧର୍ମ ସମାନ। ହିନ୍ଦୁ ଓ ମୁସଲମାନ ସମସ୍ତେ ତାଙ୍କ ପାଇଁ ସମାନ। ସେ କିମ୍ବା ତାଙ୍କ ସରକାର କେବେ ଧର୍ମ ଆଧାରରେ ରାଜନୀତିକୁ ପ୍ରଶୟନ ଦେଇନାହାନ୍ତି। ତେବେ ମମତାଙ୍କ ଏହି ଉତ୍ତର ପରେ କିଛି ଛାତ୍ର ମମତା ବାନାର୍ଜୀଙ୍କୁ ଫେରିଯିବାର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଯାହା ଫଳରେ ମମତା ବାନାର୍ଜୀଙ୍କ ଭାଷଣରେ ବ।।ରମ୍ବାର ବାଧା ସୃଷ୍ଟି କରିଥିଲା। କିନ୍ତୁ ମମତା ନିଜ ସ୍ୱଭାବ ବିପରୀତ ଆଚରଣ ପ୍ରଦର୍ଶନ କରିଥିଲେ। ମମତା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ କହିଥିଲେ ଏପ୍ରକାର ସ୍ୱାଗତ ପାଇ ସେ ଅତ୍ୟନ୍ତ ଖୁସି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ମମତା ପିଲାମାନଙ୍କୁ ମିଠା ଖୁଆଇବେ ବୋଲି ମଧ୍ୟ କହିଥିଲେ।
ମମତା, ଛାତ୍ରମାନଙ୍କୁ କହିଥିଲେ ଯେ, ଯେଉଁସବୁ ପ୍ରସଙ୍ଗରେ ସେମାନେ ପ୍ରଶ୍ନ କରିବେ ସେ ସେସବୁର ଉତ୍ତର ଦେବାକୁ ପ୍ରସ୍ତୁତ। ଏହା ଏକ ଶିକ୍ଷାର ପରିସର, ଏହାକୁ ରାଜନୀତିର ଏକ ମଞ୍ଚ କରିବା ଠିକ୍ ନୁହେଁ। ତଥାପି ଯଦି କିଛି ପ୍ରଶ୍ନ ଅଛି ତେବେ ପଶ୍ଚିମବଙ୍ଗ ଆସ ଏବଂ ତୁମ ଦଳ (ବିଜେପି ଉଦ୍ଦେଶ୍ୟରେ)କୁ କୁହ ଯେ ସେମାନେ ନିଜକୁ ମଜବୁତ କରନ୍ତୁ ଯାହା ଦ୍ୱାରା ସେମାନେ ଆମ ସହିତ ଲଢ଼ିପାରିବେ। ଏପ୍ରକାର ମିଥ୍ୟା ଅଭିଯୋଗ ଆଣି କିଛି ଲାଭ ନାହିଁ। ମମତାଙ୍କ ଉତ୍ତର, ପ୍ରତିବାଦକାରୀ ଛାତ୍ରଙ୍କ ନାରାବାଜି ଉପରେ ମମତାଙ୍କ ପ୍ରତିକ୍ରିୟାକୁ ଦେଖି ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀ, ବରିଷ୍ଠ ବୁଦ୍ଧିଜୀବୀମାନେ ତାଳି ମାରି ସ୍ୱାଗତ କରିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ କାର୍ଯ୍ୟକ୍ରମ ଆୟୋଜକ ଏବଂ ଅତିଥିମାନେ ମିଳିତ ଭାବରେ ପ୍ରତିବାଦକାରୀଙ୍କ ବିରୁଦ୍ଧରେ କହିଥିଲେ ଏବଂ ସେମାନଙ୍କୁ ସେଠାରୁ ଚାଲିଯିବାକୁ ବାଧ୍ୟ କରାଯାଇଥିଲା। ଏହି ଅପ୍ରତ୍ୟାଶିତ ଘଟଣା ପାଇଁ ଆୟୋଜକମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ମଧ୍ୟରେ ମମତାଙ୍କ ଦଳ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିଏମ୍ସି) ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି। ଏଥିରେ ଟିଏମ୍ସି ଲେଖିଛି ଯେ, ମମତା ଜଣେ ରୟାଲ ବେଙ୍ଗଲ ଟାଇଗର। ସେ କାହାକୁ ଡରନ୍ତି ନାହିଁ କିମ୍ବା କାହା ପାଖରେ ମୁଣ୍ଡ ନୁଆଁନ୍ତି ନାହିଁ। ସେ ଝୁଣ୍ଟି ପଡ଼ନ୍ତି ନାହିଁ। ତୁମେ ଯେତେ ପ୍ରହାର କରିବ, ସେ ସେତେ ଜୋରରେ ଗର୍ଜନ କରିବେ। ସେ ନିର୍ଭିକ, ଦୃଢ଼ମନା। ଏପ୍ରକାର ଆଚରଣ ତାଙ୍କୁ ବିଚଳିତ କରିପାରିବନି।’