ଭୁବନେଶ୍ବର: ଭାରତ ସରକାରଙ୍କ ପୂର୍ବଦୋୟ ବିକାଶ ଯୋଜନା ଅନୁସାରେ ଏଥର ଓଡିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀର ୧୮ ତମ ସଂସ୍କରଣ ଅନୁଷ୍ଠିତ ହେବ। ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଓଡିଶାରେ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ତିନି ଦିନରେ ୧୭ଟି ସେସନ ରହିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ଅରୁଣ କୁମାର ଚାଟେର୍ଜି ଓ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯୁବ ସମାବେଶରୁ ଆରମ୍ଭ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମଳନୀ । ଯୁବ ଦିବସ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବସୀ ମାନଙ୍କ ସହିତ ଆଲୋଚନା ହେବ । ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ ।
୯ ତାରିଖରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ପ୍ରବାସୀ ଭାରତୀୟ ମାନଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ତିନି ଦିନ ଧରି ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ । ଅପରାହ୍ନରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀ ଭାରତୀୟମାନଙ୍କ ସହ ବିକଶିତ ଭାରତ ୨୦୪୭ ବିଷୟରେ ଆଲୋଚନା କରିବେ । ୧୦ ତାରିଖରେ ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ତିନି ଦିନିଆ ସମ୍ମିଳନୀରେ ଓଡିଶା ଏବଂ ଦେଶ ବିକାଶରେ ଥିବା ବିଭିନ୍ନ ସମ୍ଭାବନା ବିଷୟରେ ପ୍ରବାସୀମାନଙ୍କ ସହ ଆଲୋଚନା ହେବ। ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରବାସୀ ଦିବସର ବ୍ୟବସ୍ଥା ହୋଇଛି । ଏହା ସହ ବିଭିନ୍ନ ପ୍ଲେନାରି ସେସନରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ପ୍ରବାସୀମାନଙ୍କ ସହ ଆଲୋଚନା କରିବେ।
ଏହି ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରଦର୍ଶନ କରିବା ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ଶିଖ ଶେଖାୱାତ ନିର୍ଦ୍ଦିଷ୍ଟ ସେସନରେ ଯୋଗ ଦେଇ ପ୍ରବାସୀମାନଙ୍କ ସହ ଆଲୋଚନା କରିବେ । ପୁରୀ, କଟକ, ଭୁବନେଶ୍ୱର ଯାଜପୁରର ପ୍ରାୟ ୨୧ଟି ରୁ ଉର୍ଦ୍ଧ୍ବ ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ମାନଙ୍କୁ ବୁଲାଇ ନେବା ପାଇଁ ସବୁ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ନୂଆ ଭାଇରସ୍ ପାଇଁ କେନ୍ଦ୍ର ସରକାରଙ୍କ ଯାହା ସତର୍କତା ମୂଳକ ନିର୍ଦ୍ଦେଶ ରହିଛି ତାକୁ ଅନୁପାଳନ କରିବା ସହ ସମସ୍ତଙ୍କ ସୁରକ୍ଷା ଓ ନିରାପଦ କୁ ଦୃଷ୍ଟି ଦିଆ ଯାଉଛି ବୋଲି ଅରୁଣ କୁମାର ଚାଟେର୍ଜି ଓ ମନୋଜ କୁମାର ଆହୁଜା କହିଛନ୍ତି।