15.1 C
Bhubaneswar
Saturday, December 6, 2025
Homeଓଡିଶାକ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଆମ ସରକାର ଚେଷ୍ଟିତ: ମୁଖ୍ୟମନ୍ତ୍ରୀ

କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଆମ ସରକାର ଚେଷ୍ଟିତ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କ୍ରୀଡ଼ା କ୍ଷେତ୍ରରେ ଆମର ନିରନ୍ତର ପ୍ରୋତ୍ସାହନ ପାଇଁ ଆଜି ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ। ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛି। ବିଗତ ଦିନରେ ଓଡିଶା ଦ୍ୱାରା ଓଡ଼ିଶା ଇଣ୍ଡିଆନ୍ ସୁପର ଲିଗ୍‌, କଳିଙ୍ଗ ସୁପର କପ୍‌, ବିଡବ୍ଲ୍ୟୁଏଫ୍ ଓଡ଼ିଶା ମାଷ୍ଟର୍ସ (ବ୍ୟାଡମିଣ୍ଟନ୍‌), ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ଆଦି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ସଫଳତାର ସହିତ ଆୟୋଜନ ହୋଇଛି। ଭାରତରେ କ୍ରୀଡ଼ା ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ମର୍ଯ୍ୟାଦା ଅଧିକ ସୁଦୃଢ଼ ହୋଇଛି। ଗୋଷ୍ଠୀସ୍ତରୀୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ କରିବା ପାଇଁ ଏକ ପରିବର୍ତ୍ତନମୂଳକ ପଦକ୍ଷେପ ଭାବରେ ସି.ଏମ୍ ଟ୍ରଫି ଶୁଭାରମ୍ଭ କରାଯାଇଛି। ଗ୍ରାମୀଣ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଶ୍ୱସ୍ତରୀୟ ସ୍ୱୀକୃତି ଆଣିଦେବା ହେବ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।

କେନ୍ଦୁଝରର ରାଇକଳା ଠାରେ ଆୟୋଜିତ ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି କହିଥିଲେ ଯେ ଆମ ନୂଆ ସରକାର ଆସିବା ପରେ ରାଜ୍ୟରେ ଆମେ କ୍ରୀଡ଼ାକୁ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରୁଛୁ। ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଭଲିବଲ୍‌, କ୍ରିକେଟ୍‌, ଫୁଟବଲ୍ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ରହିବ। ଏହାବ୍ୟତୀତ ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଏବଂଅନ୍ୟାନ୍ୟ ଇଣ୍ଡୋର କ୍ରୀଡା ପାଇଁ ଏକ ଇଣ୍ଡୋର ହଲ୍ ରହିବ। ତୃଣମୂଳସ୍ତରରେ କ୍ରୀଡାର ବିକାଶ ନିମନ୍ତେ ଆଗାମୀ ୫ ବର୍ଷରେ ୩୧୪ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।୨୦୨୫-୨୬ ରେ ବ୍ଲକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟସ ହବ୍ ଭାବେ ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ “ଅନୁରାଗ ଏଫସି, ଶୁଆକାଟୀ’ ଦଳକୁ ପୁରସ୍କୃତ କରିବା ସହିତ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟଯେ, ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୧୨ ତାରିଖ ଠାରୁ ରାଇଜିଂ ଷ୍ଟାର, ରାଇକଳା ଦ୍ୱାରା ଆୟୋଜିତ ହୋଇଥିଲା। ଏହାର ଫାଇନାଲ ମ୍ୟାଚ ଆଜି ଅନୁରାଗ ଏଫସି, ଶୁଆକାଟୀ ଏବଂ ରିଷି ଫାଇଟର, ଝୁମ୍ପୁରା ମଧ୍ୟରେ ହୋଇଥିଲା। ରନର୍ସ ଅପ ରିଷି ଫାଇଟର, ଝୁମ୍ପୁରାକୁ ୧. ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡ଼ା. ଫକୀର ମୋହନ ନାଏକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ଆୟୋଜକ ରାଇଜିଂ ଷ୍ଟାର କ୍ଲବର ଚେୟାରମ୍ୟାନ ଗଣେଶ୍ୱର ମହାନ୍ତ, ସଭାପତି ଶ୍ରୀକାନ୍ତ ନାଏକ, ସାଧାରଣ ସମ୍ପାଦକ ଗୋପାଳ ବାରିକ, ଉପସଭାପତି ରାମଚନ୍ଦ୍ର ମହାନ୍ତ, ହୃଷିକେଶ ମହାନ୍ତ, ବୀରେନ୍ଦ୍ର ମହାନ୍ତ, ସମ୍ପାଦକ ତରଣୀସେନ ମହାନ୍ତ, ଲୋଚନ ମହାନ୍ତ, ମହମ୍ମଦ ମଝାର ହୁସେନ ଓ ବଳଭଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking