18.1 C
Bhubaneswar
Wednesday, February 4, 2026
Homeଓଡିଶାକୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରିବା ହେଉଛି ଆମର ଲକ୍ଷ୍ୟ : ଉଚ୍ଚଶିକ୍ଷା...

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରିବା ହେଉଛି ଆମର ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ “ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଡିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଥିମ୍ ରହିଛି “କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା”। ଏହି ସମ୍ମିଳନୀରେ ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ଅଧ୍ୟାପକ, ଶିକ୍ଷାବିତ୍‌, ଗବେଷକ, ଷ୍ଟାର୍ଟଅପ୍ ଫାଉଣ୍ଡର, ବିଭିନ୍ନ କର୍ପୋରେଟ୍‌ କମ୍ପାନୀରେ କାମ କରୁଥିବା ଉଚ୍ଚପଦସ୍ଥ ଅଧିକାରୀ, ଦେଶ ବାହାରର ଆଇଟି ଏବଂ ଏଆଇ (କୃତ୍ରିମ ବୁଦ୍ଧିମତା) କମ୍ପାନୀରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ଆଇଆଇଟି ଏବଂ ଏମ୍ସରେ କାର୍ଯ୍ୟରତ ପ୍ରଫେସର ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଆଜି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “କୃତ୍ରିମ ବୁଦ୍ଧିମତା ହେଉଛି ଭବିଷ୍ୟତ। କୃତ୍ରିମ ବୁଦ୍ଧିମତା ମନୁଷ୍ୟକୃତ। ମଣିଷ ହିଁ ଏହାକୁ ତିଆରି କରିଛି, ବ୍ୟବହାର କରୁଛି ଏବଂ ଆଗାମୀ ଭବିଷ୍ୟତରେ ଏହାର ବ୍ୟବହାର ଓ ଏହାକୁ କିପରି ସଦଉପଯୋଗ କରାଯାଇ ପାରିବ ତାହାକୁ ନେଇ ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଆୟୋଜନ ହୋଇଛି। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ, ସାଇବର ସିକ୍ୟୁରିଟି, କୃତ୍ରିମ ବୁଦ୍ଧିମତା ଉପରେ ଆଧାରିତ ନୂତନ ଉଦ୍ଭାବନ,କୃତ୍ରିମ ବୁଦ୍ଧିମତାକୁ ଆଧାର କରି ନିର୍ମିତ ହୋଇଥିବା ଷ୍ଟାର୍ଟଅପ୍ ଆଦି ସମ୍ବନ୍ଧରେ ଆଲୋଚନା କରାଯିବ।ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ କୃତ୍ରିମ ବୁଦ୍ଧିମତା ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ନିଜର ଲିଖିତ ବିଷୟବସ୍ତୁକୁ ମଧ୍ୟ ଉପସ୍ଥାପିତ କରିପାରିବେ ଏବଂ ବିଶେଷଜ୍ଞମାନଙ୍କ ଦ୍ୱାରା ଚୟନିତ ହୋଇଥିବା ବିଷୟବସ୍ତୁ (ଟେକନିକାଲ ରାଇଟଅପ୍)କୁ ଉତ୍କଳ ୟୁନିଭର୍ସିଟି ଜରନାଲ ଅଫ୍ କମ୍ପ୍ୟୁଟିଙ୍ଗ ଆଣ୍ଡ କମ୍ୟୁନିକକେସନ୍‌ରେ ସ୍ଥାନିତ କରାଯିବ”।

“ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ବିକଶିତ ଭାରତ ଓ ବିକଶିତ ଓଡ଼ିଶା ନିର୍ମାଣର ଆଧାର। ୨୦୪୭ ମସିହାରେ ଆମେ ଦେଶ ସ୍ୱାଧୀନ ହେବାର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବା। ତେଣୁ ଏହି ଅମୃତ ପିଢ଼ିର ନେତୃତ୍ୱ ନେବା ସହିତ ଆମ ଛାତ୍ରଛାତ୍ରୀମାନେ ଆମ ସମୃଦ୍ଧ ଇତିହାସ ଓ ଐତିହ୍ୟରୁ ଅନୁପ୍ରାଣିତ ହୋଇ ଆଗାମୀ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା ଓ ନୂତନ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ଉଦ୍ୟୋଗ ନିର୍ମାଣ, ଗବେଷଣା ଓ ନୂତନ ଉଦ୍ଭାବନ ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ମୋର ବିଶ୍ୱାସ। ଏଥିସହ କୃତ୍ରିମ ବୁଦ୍ଧିମତାକୁ ଉପଯୋଗ କରି ଓଡ଼ିଶାକୁ ଓ ଭାରତକୁ ଏକ ଟେକନିକାଲ ହବ୍ ଓ ଷ୍ଟାର୍ଟଅପ୍ ହବ୍‌ରେ ପରିଣତ କରାଯାଇ ପାରିବ ଏବଂ ଛାତ୍ରଛାତ୍ରୀମାନେ ଏଥିରେ ସକ୍ରିୟ ରୂପେ ଯୋଗଦାନ ଦେବେ”, ବୋଲି ମତପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଛାତ୍ର ବିଶ୍ୱ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଯୋଗଦେବା ସହ “ଯୁବ ସ୍ବେଦେଶୀ ନବ ପ୍ରଚାର ପ୍ରଦର୍ଶନୀ”କୁ ମଧ୍ୟ ବୁଲି ଦେଖିଥିଲେ। ଏହି ପ୍ରଦର୍ଶନୀରେ ୫୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। କୃତ୍ରିମ ବୁଦ୍ଧିମତା ଓ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ଛାତ୍ରଛାତ୍ରୀମାନଙ୍କର ଉଦ୍ଭାବନ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଏହି ପ୍ରଦର୍ଶନୀରେ ସ୍ଥାନିତ କରାଯାଇଛି ଯାହାକୁ ଦେଖି ମନ୍ତ୍ରୀ ଶ୍ରୀ ସୂରଜ ଖୁସିବ୍ୟକ୍ତ କରିଥିଲେ। ଏଥିସହ ମନ୍ତ୍ରୀ କୃତ୍ରିମ ବୁଦ୍ଧିମତା ଏବଂ ବର୍ତ୍ତମାନ ସମୟର ନୂତନ ପ୍ରଯୁକ୍ତିବିଦ୍ୟା ଉପରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରକାଶଯୋଗ୍ୟ ଯେ, ଯୁବ ସ୍ବେଦେଶୀ ନବ ପ୍ରଚାର ପ୍ରଦର୍ଶନୀର ସର୍ବଶ୍ରେଷ୍ଠ ୫ଟି ନବସୃଜନ ପ୍ରକଳ୍ପକୁ ସମୁଦାୟ ୧ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଆଜିର ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ରିପବ୍ଲିକ ଅଫ କୋରିଆର ଇଞ୍ଜେ ବିଶ୍ୱବିଦ୍ୟାଳୟର କଲେଜ ଅଫ୍ ଏଆଇ କନଭରଜେନ୍ସର ପ୍ରଫେସର ହି-ଚେଓଲ-କିମ୍ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ବିଶେଷତା ଓ ଏହାର ଉପଯୋଗିତା ଉପରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଡ଼. ସ୍ୱାତୀ ମିଶ୍ର, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ଶ୍ରୀ ପ୍ରଦୀପ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking