20.1 C
Bhubaneswar
Tuesday, February 10, 2026
Homeଓଡିଶାତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାପ୍ରତିଭା ବିକାଶ କରିବା ଆମ ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ

ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାପ୍ରତିଭା ବିକାଶ କରିବା ଆମ ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ଗୁଡ଼ିକରେ ହେବାକୁ ଥିବା ଷ୍ଟାଡିୟମ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ବୈଠକର ପ୍ରାରମ୍ଭରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ବ୍ଲକ ସ୍ତରରେ ହେବାକୁ ଥିବା ଷ୍ଟାଡିୟମର ରୂପରେଖ, ବୈଶିଷ୍ଟ୍ୟ ଓ ବିଶେଷତା ସମ୍ବନ୍ଧରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ଜିଲ୍ଲା ଅଧୀନରେ ଆସୁଥିବା ବ୍ଲକଗୁଡ଼ିକରେ ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥିରୀକୃତ ହୋଇଥିବା ଉପଯୁକ୍ତ ସ୍ଥାନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ। ଏଥିସହିତ ଯେଉଁ ବ୍ଲକ ଗୁଡ଼ିକରେ ଏଯାବତ ସ୍ଥାନ ନିରୂପଣ ହୋଇପାରିନାହିଁ, ସେହି ବ୍ଲକ ଗୁଡ଼ିକରେ ଉପଯୁକ୍ତ ସ୍ଥାନ ଚି଼ହ୍ନଟ କରି ଆସନ୍ତା ଫେବୃଆରୀ ୨୦ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଅବଗତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହିତ ସମସ୍ତ ଜନସାଧାରଣ ଓ କ୍ରୀଡ଼ାବିତମାନଙ୍କ ସୁବିଧା ନିମନ୍ତେ ଷ୍ଟାଡ଼ିୟମଗୁଡ଼ିକୁ ଯଥା ସମ୍ଭବ ବ୍ଲକ ହେଡ଼ କ୍ୱାର୍ଟର ପାଖରେ ରହିଥିବା ସ୍ଥାନରେ ନିର୍ମାଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମ ସରକାର ବିକଶିତ ଓଡ଼ିଶା-୨୦୩୬ର ଲକ୍ଷ୍ୟ ରଖିଛନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ କରିବା ହେଉଛି ଆମର ପ୍ରାଥମିକତା। ତୃଣମୂଳ ସ୍ତରରେ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କରିବା ସହ ଓଡ଼ିଶାର ପ୍ରତିଟି ବ୍ଲକ, ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ସେ ଲକ୍ଷ୍ୟ ନେଇ ବ୍ଲକ ସ୍ତରୀୟ ଷ୍ଟାଡିୟମର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଷ୍ଟାଡିୟମର ନିର୍ମାଣ କରିବା ସହ ଏହାର ସୁପରିଚାଳନା ଏବଂ କ୍ରୀଡ଼ାବିତମାନଙ୍କୁ ଯେପରି ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯିବ।ଏଥିସହିତ ତୃଣମୂଳ ସ୍ତରର କ୍ରୀଡ଼ାବିତମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯେପରି ଓଡ଼ିଶା ପାଇଁ ସୁନାମ ଅର୍ଜନ କରିପାରିବେ ତାହା ଲକ୍ଷ୍ୟ ରଖା ଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଜିର ବୈଠକରେ ମତପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking