ଭୁବନେଶ୍ୱର: ଅମାନିଆ ଆମ ବସ ଚାଳକ । ପୁଣି ବେପରୁଆ ଭାବେ ଡ୍ରାଇଭରର ଗାଡି ଚାଳନା । କେତେ ଆଉ ସଚେତନତା କରାଯିବ କେତେ ଆଉ ପ୍ରଶିକ୍ଷଣ ଦିଆଯିବ । ଏହି ଘଟଣା ନୂଆ ନୁହେଁ, ପ୍ରତିଦିନ ଗଣମାଧ୍ୟମରେ ଶୁଣିବାକୁ ମିଳୁଛି ‘ଆମ ବସ ଦୁର୍ଘଟଣା’ । ଆଜି ସକାଳୁ ସକାଳୁ ଭୁବନେଶ୍ୱର ପାତ୍ରପଡାରେ ସ୍କୁଟରକୁ ଧକ୍କା ଦେଇଛି ଆମ ବସ । ଗୁରୁତର ସ୍କୁଟର ଚାଳକକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପାତ୍ରପଡା ଆମ ବସ ଡିପୋରୁ ବସ ବାହାରିଥିବାବେଳେ ଦୁର୍ଘଟଣା ଘଟିଛି । ଡୁମଡୁମା ରୁଟରେ ଯାଉଥିବା ବେଳେ ୨୫ ନମ୍ବର ବସ ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନାଥାଉକି, ଗତକାଲି ମଧ୍ୟ ଆମ ବସ ଏକ ବାଇକକୁ ଧକ୍କା ଦେିତିଲା । ଗତକାଲି ଅପରାହ୍ଣରେ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ଅଭିମୁଖେ ଯାଉଥିଲା । ୮୨ ନମ୍ବର ରୁଟରେ ଆମ ବସ । ବ୍ୟସ୍ତ ବହୁଳ ଜନପଥ ରାସ୍ତାରେ ହଠାତ ଏକ ବାଇକକୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ବସ୍କୁ ପୁଲିସ ଜବତ କରିବା ପରେ ଘଟଣାସ୍ଥଳରେ ପ୍ରକାଶ ପାଇଥିଲା ଉତ୍ତେଜନା । ଏ ରୁଟରେ ଯାଉଥିବା କିଛି ଆମ ବସ୍କୁ ଆକ୍ରମଣ କରିଥିଲେ ସ୍ଥାନୀୟ ବାସିନ୍ଦା । ଏହା ପୂର୍ବରୁ ଚଳିତ ମାସ ୩ ତାରିଖରେ ଆମ ବସ୍ ଚାପି ଦେବାରୁ ଜଣେ ଅଟୋ ଚାଳଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ଆମ ବସ୍ ଦୁର୍ଘଟଣା ଘଟାଉଥିବାବେଳେ ଏଥିରେ କେବେ ରୋକ୍ ଲାଗିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।










