ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷଣାରତ ପିଜି ଏବଂ ପି ଏଚ୍ ଡ଼ି ଛାତ୍ରଛାତ୍ରୀମାନେ ମାସିକ ଷ୍ଟାଇପେଣ୍ଡ ଦାବିରେ ଦୀର୍ଘ ଚାରିଦିନ ଧରି ଆହୋରାତ୍ର ଆମରଣ ଅନଶନ କରିଥିଲେ। ଏହା 22/12/25 ରୁ 25/12/25 ପର୍ଯ୍ୟନ୍ତ ଜାରି ରହିଥିଲା। କୃଷି ଗବେଷଣା ଏବଂ ଅନ୍ୟାନ୍ୟ ବ୍ୟୟ ବହୁଳ ପ୍ରକ୍ରିୟାରେ ଅଧିକ ଅର୍ଥବ୍ୟୟକୁ ଦୃଷ୍ଟିରେ ରଖି ସେମାନେ ଦୃଢ଼ ଭାବରେ ନିଜ ନ୍ୟାର୍ଯ୍ୟଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ।ସୁଶାସନ ଦିବସ ଅବସରରେ ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଏବଂ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଦାବିପତ୍ର ଗ୍ରହଣ କରିବା ସହ ତୁରନ୍ତ ସେ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ। ତେଣୁ ଆହୋରାତ୍ର ଆମରଣ ଅନଶନକୁ ଛାତ୍ରଛାତ୍ରୀ ଅସ୍ଥାୟୀ ରୂପେ ସ୍ଥଗିତ ରଖିଥିଲେ। ଦାବିପତ୍ରରେ ଜାନୁଆରୀ 15 ତାରିଖ ମଧ୍ୟରେ ସୁଦୃଢ ପଦକ୍ଷେପ ନେବାପାଇଁ ଗବେଷଣାରତ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।କିନ୍ତୁ ଆଜି ସୁଦ୍ଧା ସେ ଦିଗରେ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି ଯାହା ଫଳରେ ଛାତ୍ରଛାତ୍ରୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି lଯେତେବେଳେ କି ଆମ ପଡ଼ୋଶୀ ରାଜ୍ୟ ସହ ଅନ୍ୟ ସବୁ ରାଜ୍ୟ ର କୃଷି ବିଶ୍ୱବିଦ୍ୟାଳୟ ମାନେ ନିଜ ରାଜ୍ୟ ର କୃଷି ଓ କୃଷି ଆନୁଷଙ୍ଗିକ ବିଷୟରେ ଅଧ୍ୟୟନ କରୁଥିବା ପିଜି,ପିଏଚଡ଼ି ଛାତ୍ରଛାତ୍ରୀ ମାନଙ୍କୁ ମାସିକ ଷ୍ଟାଇପେଣ୍ଡ ପ୍ରଦାନ କରୁଛନ୍ତି ଉଚ୍ଚତର ଗବେଷଣା ନିମନ୍ତେ ତେବେ ଆମ ଓଡିଶା ଏଥି ପ୍ରତି କାହିଁକି ଦୃଷ୍ଟି ଆକର୍ଷଣ କରୁନାହିଁ। ଆଜି ଠାରୁ ଅର୍ଥାତ୍ ଜାନୁଆରୀ 22 ରୁ ଜାନୁଆରୀ 25 ତାରିଖ ଯାଏଁ ଚଳିତ ବର୍ଷର କୃଷି ଓଡିଶା ସମାବେଶ ବରମୁଣ୍ଡା ପଡିଆ ରେ ଅନୁଷ୍ଠିତ ହେବ ଏବଂ ସରକାର ସେଥିରେ କୋଟି କୋଟି ଟଙ୍କା ଅର୍ଥବ୍ୟୟ କରୁଛନ୍ତି ଏବଂ ଉତ୍ପାଦନ, କୃଷି ଯାନ୍ତ୍ରିକୀକରଣ ଉପରେ ଗୁରୁତ୍ଵାରୋପ କରୁଛନ୍ତି କିନ୍ତୁ ପ୍ରକୃତ ଗବେଷଣା ରେ ଲିପ୍ତ ଛାତ୍ରଛାତ୍ରୀ ମାନଙ୍କ ଦାବି କୁ ଅଣଦେଖା କଲା ଭଳି ମନେ ହେଉଛି । ଏ ପରିପ୍ରେକ୍ଷାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୃଷି ଓଡିଶା-2026 କାର୍ଯ୍ୟକ୍ରମ ରେ ପିଜି ଏବଂ ପିଏଚଡ଼ି ଛାତ୍ରଛାତ୍ରୀ ଙ୍କ ନିମନ୍ତେ ମାସିକ ଷ୍ଟାଇପେଣ୍ଡ ପ୍ରାପ୍ତି ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କୌଣସି ବଳିଷ୍ଠ ନିଷ୍ପତ୍ତି ଘୋଷଣା କରିବେ ବୋଲି ଛାତ୍ରଛାତ୍ରୀ ଲୋକଙ୍କ ସରକାର ଉପରେ ଆଶା ରଖିଛନ୍ତି ।










