22.1 C
Bhubaneswar
Friday, December 5, 2025
Homeଓଡିଶାସୋଆ ପ୍ରାଣୀବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ଓରିଏଂଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

ସୋଆ ପ୍ରାଣୀବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ଓରିଏଂଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ସୋମବାର କ୍ୟାମ୍ପସ୍ -୪ ଅଡିଟୋରିୟମ୍‌ରେ ବ୍ୟାଚଲର ଅଫ୍ ଭେଟେରୀନାରି ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ବି.ଭି.ଏସ୍‌ସି.ଆଣ୍ଡ ଏ.ଏଚ୍‌)ର ୨୦୨୫ -୨୬ ବର୍ଷ ବ୍ୟାଚ୍‌ର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ପ୍ରାଣୀ ଚିକିତ୍ସା ପରିଷଦର ପୂର୍ବତନ ଅଧ୍ୟକ୍ଷ ଲେଫ୍ଟନାଂଟ୍ ଜେନେରାଲ୍ (ଡାକ୍ତର) ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବୃତିଗତ ଶିକ୍ଷା ଏକ ମହାନ୍ ଶିକ୍ଷା । ପ୍ରାଣୀମାନେ ନିଜର ସମସ୍ୟା ଓ କଷ୍ଟକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ମନୁଷ୍ୟମାନଙ୍କୁ ସେମାନଙ୍କ ସମସ୍ୟାକୁ ଠିକ୍ ଭାବେ ବୁଝିବା ସହ ସକାରାତ୍ମକ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି । ସେମାନଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ସ୍ନେହ ଓ ମମତା ସହ ଚିକିତ୍ସା କରିବା ଜରୁରୀ ବୋଲି ସେ ମତ ବ୍ୟକ୍ତ କରିଥିଲେ ।

କଠିନ ପରିଶ୍ରମ, ଅଧ୍ୟବସାୟ, ଶୃଙ୍ଖଳା ଓ ସମୟାନୁବର୍ତିତା ଏହି ସବୁ ବିଶେଷ ଗୁଣ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ରହିବା ଜରୁରୀ । ଏହାଫଳରେ ସେମାନେ ସଫଳତାର ପାହାଚ ଛୁଇଁ ପାରିବେ । ସଦାସର୍ବଦା ଅନ୍ୟମାନଙ୍କ ଠାରୁ ଭିନ୍ନ ହେବା ସହିତ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସଦାସର୍ବଦା ତତ୍ପର ରହିବା ଜରୁରୀ ବୋଲି ଲେପ୍ଟନାଂଟ୍ ଜେନେରାଲ୍ (ଡାକ୍ତର) ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁନେ ସ୍ଥିତ ଭେଙ୍କିସ ରିସର୍ଚ୍ଚ ଆଣ୍ଡ ବ୍ରିଡିଂ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍‌ର ଡେପୁଟି ଜେନେରାଲ ମ୍ୟାନେଜର (ଡିଜିଏମ୍‌) ଡକ୍ଟର ରମେଶ ଚନ୍ଦ୍ର ହଜାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରାଣୀ ଚିକିତ୍ସା ଏକ ବୃତିଗତ ଶିକ୍ଷା ନୁହେଁ ବରଂ ଏହା ଏକ ମହାନ ବୃତି ବୋଲି କହିଥିଲେ । ନିଜ ଭିତରେ ସେବା ମନୋବୃତି ନେଇ ପ୍ରାଣୀମାନଙ୍କର ଭାବକୁ ବୁଝି ଚିକିତ୍ସା କରିବା ଜରୁରୀ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପାଠପଢ଼ା ସହ ନିଜର ଆବେଗକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର ବୋଲି କହିଥିଲେ । ସେ ସକାରାତ୍ମକ ଚିନ୍ତାଧାରା ଓ ସେବା ମନୋଭାବ ଦ୍ୱାରା ପ୍ରାଣୀମାନଙ୍କ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ ।

ସୋଆ ଉପକୁଳପତି ପ୍ରଫେସର (ଡକ୍ଟର) ଅନୁପ କୁମାର ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ପ୍ରାଣୀମାନେ କେବଳ ସ୍ନେହର ଭାଷା ବୁଝୁଥିବାରୁ ସେମାନଙ୍କର ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ତଥ୍ୟ ଅନୁଯାୟୀ ନିଜ ଘରେ କୌଣସି ଗୃହପାଳିତ ପ୍ରାଣୀକୁ ରଖିବା ଦ୍ୱାରା ଲୋକମାନେ ଅଧିକ ସୁସ୍ଥ ରହୁଛନ୍ତି ବୋଲି ପ୍ରଫେସର ସାମନ୍ତରାୟ କହିଥିଲେ । ପରିବେଶର ସନ୍ତୁଳନ ପାଇଁ ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ କିପରି ଭାବେ ଧୈର୍ଯ୍ୟର ସହ ସମ୍ମୁଖୀନ ହୋଇ ଏହାର ସମାଧାନର ପନ୍ଥା ଖୋଜିବା ସହିତ ଆଗକୁ ବଢିବା ଦରକାର ସେ ସମ୍ପର୍କରେ ଶିକ୍ଷା ଲାଭ କରିବା ଜରୁରୀ ବୋଲି ସେ କହିଥିଲେ । ଏହି ଅବସରରେ ସୋଆ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଆଇଭିଏସ୍‌ଏଏଚ୍‌ର ଲାଇଭଷ୍ଟକ୍ ପ୍ରଡକ୍ସନ୍ ମ୍ୟାନେଜମେଂଟ (ଏଲ୍‌ପିଏମ) ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର (ଡକ୍ଟର) ନବକୃଷ୍ଣ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking