ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାର ଆଇନଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳତା ଯୋଗୁଁ ବିଜୁ ଜନତା ଦଳ ସରକାରଙ୍କୁ ଦୃଢ଼ଭାବେ ନିନ୍ଦା କରିଛି । ଏହା ରାଜ୍ୟରେ ଆସୁଥିବା ବୋମା ଧମକ ଦ୍ୱାରା ପ୍ରମାଣିତ ହୋଇଛି । ଯାହା ଦ୍ୱାରା ଆମ ରାଜ୍ୟର ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବିଜେଡି ସରକାରଙ୍କ ସମୟରେ ଯେଉଁ ଶାନ୍ତିର ବାତାବରଣ ଥିଲା, ତାହା ବର୍ତ୍ତମାନ ବିଜେପି ଶାସନରେ ଅରାଜକତାରେ ପରିଣତ ହୋଇଛି । ବାରମ୍ୱାର ବୋମା ଧମକ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଖୋଲା ଆହ୍ୱାନ କରୁଛି ।
ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ବିଜେପି ସରକାରଙ୍କର ସୁରକ୍ଷା ତ୍ରୁଟିକୁ ଉଜାଗର କରିଛନ୍ତି, ବିଶେଷକରି ଯେତେବେଳେ ଭାରତର ମାନ୍ୟବର ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଅଛନ୍ତି । ବାରମ୍ୱାର ବୋମା ଧମକ ଘଟଣାଗୁଡ଼ିକ ଜନସାଧାରଣଙ୍କ ବିଶ୍ୱାସକୁ ହ୍ରାସ କରୁଛି ଏବଂ ନାଗରିକ, ପ୍ରତିଷ୍ଠାନ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ସିଧାସଳଖ ବିପଦ ସୃଷ୍ଟି କରୁଛି । ବିଜେଡି ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି କଟକ, ପୁରୀ, ଫୁଲବାଣୀ ଓ ଯାଜପୁର ଜିଲ୍ଲା ନ୍ୟାୟାଳୟଗୁଡ଼ିକୁ ଇ-ମେଲ ଜରିଆରେ ଆସିଥିବା ବୋମା ଧମକକୁ ନେଇ ଗମ୍ଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଡ. ମହାନ୍ତି ଆଜି ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟଙ୍କ ବେପରୁଆ ବିବୃତିକୁ କଡା ନିନ୍ଦା କରିଛନ୍ତି । ପୀତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି ଯେ ନ୍ୟାୟାଳୟ ପରିସର “ସମ୍ପୂର୍ଣ୍ଣ ସୁରକ୍ଷିତ” ସେ ନିଜେ ମୁଖ୍ୟ ବିଚାରପତିଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ସେ ଆହୁରି କହିଛନ୍ତି ଏକ “ଆତଙ୍କବାଦୀ” ଇ-ମେଲ୍ ପଠାଇଛି ବୋଲି କହିଛନ୍ତି, ଏହା କେଉଁ କ୍ଷମତାରେ ଓ କେଉଁ ଆଧାର ବଳରେ ଆଡଭୋକେଟ ଜେନେରାଲ ଏପରି ଦାବି କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି । ସେ ଏହିପରି ବେପରୁଆ ବିବୃତି ଦେବା ବନ୍ଦ କରିବା ଉଚିତ୍ ଯାହା ଜନସାଧାରଣଙ୍କୁ ଭ୍ରମିତ କରିପାରେ ଏବଂ ଚାଲିଥିବା ତଦନ୍ତ ବାଟବଣା ହୋଇପାରେ ବୋଲି ଡ. ମହାନ୍ତି କହିଛନ୍ତି ।
ଜାନୁଆରୀ ୮, ୨୦୨୬ରେ ସମ୍ୱଲପୁର, କଟକ ଓ ଦେବଗଡ଼ ଜିଲ୍ଲା ନ୍ୟାୟାଳୟଗୁଡ଼ିକୁ ସମାନ ଧମକ ଦିଆଯାଇଥିଲା, କିନ୍ତୁ ପୋଲିସ ଏହି ଇମେଲ୍ ଗୁଡ଼ିକର ଉତ୍ସ ପ୍ରକାଶ କରିନାହିଁ କିମ୍ୱା ଅପରାଧୀମାନଙ୍କୁ ଚିହ୍ନଟ କରିନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଧମକକୁ ତଦନ୍ତ କରିବାକୁ ଆଦେଶ ଦେଇଥିଲେ ଓ ମୁଖ୍ୟ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପୋଲିସ ମହାନିଦେ୍ର୍ଦଶକଙ୍କୁ ନିଦେ୍ର୍ଦଶ ଦେଇ ଦୋଷୀମାନଙ୍କୁ ଧରିବାକୁ କହିଥିଲେ । କିନ୍ତୁ ମାସ ମାସ ବିତି ଯାଇଥିଲେ ମଧ୍ୟ କୌଣସି ତଦନ୍ତ ରିପୋର୍ଟ ଆସିନାହିଁ କି କୌଣସି ଅପରାଧୀ ଗିରଫଦାରୀ ହୋଇନାହିଁ । ଏହାର ପୂର୍ବରୁ ନଭେମ୍ୱର ୩୦, ୨୦୨୫ରେ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଆତ୍ମଘୋଷିତ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଠାରୁ ଧମକପୂର୍ଣ୍ଣ ଇ-ମେଲ୍ ପ୍ରାପ୍ତ ହୋଇଥିଲା, ଯାହାର ତଦନ୍ତ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତରିତ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଫଳାଫଳ କିମ୍ୱା ରିପୋର୍ଟ ପ୍ରକାଶ ପାଇନାହିଁ । ରାଜ୍ୟ ବିଜେପି ସରକାରଙ୍କର ଅଯୋଗ୍ୟତା ପୂର୍ବବର୍ତ୍ତୀ ଘଟଣାଗୁଡ଼ିକ ଦ୍ୱାରା ଆହୁରି ସ୍ପଷ୍ଟ ହୋଇଛି, ଯେପରିକି ମେ ୯, ୨୦୨୫ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜଣା ହ୍ୟାଣ୍ଡବ୍ୟାଗ ଯୋଗୁଁ ବୋମା ଭୟ ଏବଂ ଅକ୍ଟୋବର ୨୪, ୨୦୨୪ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରକୁ ‘ମିଥ୍ୟା ବୋମା’ ଧମକ ଆସିଥିଲା ।
ବିଜେପି ସରକାର ଏହି ସମ୍ୱେଦନଶୀଳ ଘଟଣାଗୁଡ଼ିକୁ ହାଲୁକା ଭାବରେ ନେଇପାରିବେ ନାହିଁ, ବିଶେଷକରି ଯେତେବେଳେ ଏହା ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷାକୁ ବିପଦରେ ପକାଉଛି । ଯେଉଁଥିରେ ବିଚାରପତି, ଓକିଲ, ମାମଲାକାରୀ, ନ୍ୟାୟାଳୟ କର୍ମଚାରୀ ଓ ସାଧାରଣ ଜନତା ଅନ୍ତର୍ଭୁକ୍ତ । ଓଡ଼ିଶା ସରକାର ଏହି ସମସ୍ତ ବୋମା ଧମକ ମାମଲାରେ ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ତଦନ୍ତ ଆଦେଶ ଦେବାକୁ କାହିଁକି ଏତେ ଅନିଚ୍ଛୁକ? ଅନ୍ୟପଟେ ଏନଆଇଏ ଅକ୍ଟୋବର ୬, ୨୦୨୫ରେ ତିରୁପତିରେ ଏବଂ ଫେବୃଆରୀ ୨୩, ୨୦୨୫ରେ ଦିଲ୍ଲୀଗାମୀ ଉଡ଼ାଣରେ ସମାନ ମିଥ୍ୟା ବୋମା ଧମକର ଯାଞ୍ଚ କରିଥିଲା । ଯଦି “ଡବଲ ଇଞ୍ଜିନ” ବିଜେପି ସରକାରରେ ପ୍ରକୃତରେ ଓଡ଼ିଶାର ସୁରକ୍ଷାକୁ ପ୍ରାଧାନ୍ୟ ଦେବାର ସାହସ ଅଛି, ତେବେ ସେମାନେ ତୁରନ୍ତ ଏନଆଇଏ ତଦନ୍ତ ଆଦେଶ ଦେବା ଉଚିତ୍ ଏବଂ ସ୍ୱଚ୍ଛତା ନିଶ୍ଚିତ କରିବା ଆବଶ୍ୟକ । ଡ. ମହାନ୍ତି, ଏହି ସମସ୍ତ ଧମକ ମାମଲାରେ ଜାତୀୟ ତଦନ୍ତ ଏଜେନ୍ସି (ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି) ବା ଏନ୍ଆଇଏ ଦ୍ୱାରା ଶୀଘ୍ର, ସଠିକ ଏବଂ ନିରପେକ୍ଷ ତଦନ୍ତର ଦାବି କରିଛନ୍ତି । ଦୋଷୀମାନଙ୍କୁ ବିଳମ୍ୱ ନକରି ଗିରଫ କରାଯିବା ସହିତ ତଦନ୍ତର ଫଳାଫଳକୁ ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରାଯିବା ଉଚିତ୍ ଯାହା ବ୍ୟବସ୍ଥା ଉପରେ ପୁନଃ ବିଶ୍ୱାସ ସ୍ଥାପନ କରିବ । ଜନସାଧାରଣଙ୍କ ଧନଜୀବନ ସୁରକ୍ଷାରେ ଓଡିଶାର ଲୋକମାନେ ସରକାରଙ୍କ ଉପରେ ସଂପୂର୍ଣ୍ଣ ଭରସା ହରାଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।










