21.1 C
Bhubaneswar
Wednesday, December 11, 2024
Homeଓଡିଶାମୁଲତବୀ ଆଲୋଚନା ଘେରିଲେ ବିରୋଧୀ; ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ ହେଉଛି ଉଦ୍ୟମ

ମୁଲତବୀ ଆଲୋଚନା ଘେରିଲେ ବିରୋଧୀ; ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ ହେଉଛି ଉଦ୍ୟମ

ଭୁବନେଶ୍ୱର: ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ ହେଉଛି ଉଦ୍ୟମ। ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଏହି ଶୀର୍ଷକରେ ବିଜେଡ଼ି ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲା। କଂଗ୍ରେସ ଉଭୟ ବିଜେଡି ଓ ବିଜେପି ଉପରେ ଦୋଷ ଲଦିଥିଲେ। ହେଲେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସବୁ ଅଭିଯୋଗ ଅମୁଳକ ବୋଲି ପ୍ରକାଶ କରିଥିଲେ। ସେ ପୁଣି କହିଥିଲେ, ସରକାର ମୁକ ହୋଇ ବସିବା ପୁରା ମିଛ କଥା। ବିଭାଗ ସଚିବ, ରାଜ୍ୟ କମିଶନ ସମସ୍ତେ ପ୍ରତିନିଧି ଦଳକୁ ଭେଟିଛନ୍ତି। ଆନ୍ଦୋଳନରୁ ଉଠିଯିବେ ବୋଲି କହିଲେ, କିନ୍ତୁ ଉଠିଲେ ନାହିଁ। ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। କାହା କଥାରେ ବିଭ୍ରାନ୍ତ ହୁଅନ୍ତୁ ନାହିଁ । ସରକାର ପଦକ୍ଷେପ ନେବ, କାହା କଥାରେ ରାସ୍ତାରେ ଗଡ଼ନ୍ତୁ ନାହିଁ ବୋଲି କହିଥିଲି। ଯେଉଁ ମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି, ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ। ଯେଉଁ ମାନଙ୍କର ୫ ବର୍ଷ ଅବଧି ପୁରି ଯାଇଛି। ସେମାନେ ଦରମା ପାଇ ସାରିଛନ୍ତି। ଆଉ ଯେଉଁ ମାନଙ୍କର ୫ ବର୍ଷ ଅବଧି ପୁରି ନାହିଁ, ସେମାନଙ୍କୁ ଦରମା ଦେବା ପାଇଁ ସରକାର ୪ ନଭେମ୍ବର ୨୦୨୪ରେ ନିର୍ଦ୍ଦେଶ ଦେଇ ସାରିଛନ୍ତି। ତେଣୁ ଏମାନଙ୍କୁ ନେଇ ବିଜେଡି ରାଜନୀତି ନକରୁ ବୋଲି ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୁଧବାର ବିଧାନସଭାରେ ଉଠିଥିଲା ଏହି ପ୍ରସଙ୍ଗ। ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଧାୟକ ସାରଦା ପ୍ରସନ୍ନ ନାୟକ ଆଣିଥିଲେ ମିଶନ ଶକ୍ତି ଉପରେ ମୁଲତବୀ ପ୍ରସ୍ତାବ। ମୁଲତବୀ ଆଲୋଚନାରେ ଆରମ୍ଭରୁ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଥିଲେ ସରକାର ଆସିବ ଯିବ, କିନ୍ତୁ ସମସ୍ୟା ସମାଧାନ କରିବା ସରକାରଙ୍କ ଦାୟିତ୍ୱ। ବିଜେପି ବର୍ତ୍ତମାନ ଦୁଇଟି ଗୋଡ଼ରେ ଠିଆ ହୋଇଛି। ଗଝଚ ଆଉ ସୁଭଦ୍ରା।ଗଝଚ ଭୁଷୁଡି ଗଲାଣି ଆଉ ସୁଭଦ୍ରା ରେ ସରକାର ଏକ୍ସପୋଜ ହୋଇ ସାରିଛନ୍ତି। ସରକାରଙ୍କୁ ଦୋଷ ଦୁର୍ବଳତା ସାମ୍ନାକୁ ଆଣିଲେ ପୁରୁଣା କେସ କଥା କହୁଛନ୍ତି। ଯଦି ପୁରୁଣା କେସ କିଛି ଅଛି ଆକ୍ସନ ନିଅ। ୬ ମାସ ନୁହଁ ବାଳ ପାଚିଯିବ କିନ୍ତୁ କିଛି କରିପାରିବନି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବିରୋଧୀ ଦଳ ଭାବେ ପ୍ରଶ୍ନ ପଚାରିବୁ, ସନ୍ତୋଷ ଜନକ ଉତ୍ତର ରଖିବା ସରକାରଙ୍କ ଦାୟିତ୍ୱ। ମିଶନଶକ୍ତି ମହିଳା ବିଜେଡି ପାଇଁ କାମ କରୁଥିଲେ ବୋଲି କୁହାଯାଉଛି। ଯଦି ମିଶନଶକ୍ତି ବିଜେଡି ପାଇଁ କାମ କରିଥାନ୍ତେ ଆମେ ସରକାର ରେ ତମେ ଏବେବି ବିରୋଧୀ ଦଳରେ ବସିଥାନ୍ତ ବୋଲି କହି ବିଜେପି କୁ ସମାଲୋଚନା କରିଛନ୍ତି। ମିଶନ ଶକ୍ତି କୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରାଯାଇଛି। ଗତବର୍ଷ ମିଶନ ଶକ୍ତି ପାଇଁ ୩ ହଜାର ୪ କୋଟି ବଜେଟ ହୋଇଥିବା ବେଳେ ଏଥର ୨ ହଜାର ୭୦୦ କୋଟି ଟଙ୍କା ବଜେଟ ହୋଇଛି। ଡବଲ ଇଞ୍ଜିନ ସରକାର ଡବଲ ଷ୍ଟାଣ୍ଡାର୍ଡ। ମହାରାଷ୍ଟ୍ର, ହରିଆନା, ଛତିଶଗଡ଼ ରେ ମହିଳାଙ୍କ ପାଇଁ ଅଧିକ ସୁବିଧା ଥିବା ବେଳେ ଓଡ଼ିଶାରେ ମା ମାନଙ୍କୁ ଅବହେଳା କରାଯାଇଛି। ମା ମାନେ ରାସ୍ତାରେ ବସିଛନ୍ତି। ତୁରନ୍ତ ସେମାନଙ୍କ ଦାବି ଉପରେ ଧ୍ୟାନ ଦିଆଯାଉ। ସନ୍ଧ୍ୟା ସୁଦ୍ଧା ସରକାର ସେମାନଙ୍କ ଦାବି ସଂକ୍ରାନ୍ତରେ ବିଚାର କରନ୍ତୁ।

ବିଜେଡି ବିଧାୟକ ଅରୁଣ ସାହୁ ସେହିପରି ସରକାରଙ୍କୁ ସମାଲୋଚନା କରି କହିଥିଲେ, ସବୁ ଦୋଷ ପୂର୍ବ ସରକାର କହିବା ଟ୍ୟାଗଲାଇନ୍ ସୃଷ୍ଟି କରୁଛନ୍ତି ସରକାର। ଯିଏ ସତ୍ତାକୁ ଆସିବ ତାର ସବୁ ଦାୟିତ୍ୱ। ମହିଳା ଶକ୍ତିକୁ ଯଦି କିଏ ଶକ୍ତି ହୀନ କରିଛି, ତାହା ପୂର୍ବ ସରକାର ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ। ଶୀତ କାକରରେ ହଜାର ହଜାର ମାଆ ମାନେ ରାଜରାସ୍ତାରେ ଅଛନ୍ତି। ସେଠାରେ ରାତ୍ରି ବି ଯାପନ କରୁଛନ୍ତି କିନ୍ତୁ ସରକାର ନୀରବ ଦ୍ରଷ୍ଟା । ତାଙ୍କୁ ଡାକି ଆଣି କହୁଛନ୍ତି ତାଙ୍କୁ ଗଡାଇବା ଭାରି କଷ୍ଟ ଦେଉଛି। ମହିଳା ମାନେ ପରିବାର ଗୁଜୁରାଣ ମେଣ୍ଟାଇବା ଓ ଭବିଷ୍ୟତ ପାଇଁ ଆସିଛନ୍ତି । କିନ୍ତୁ ଏହାକୁ ଗୁରୁତ୍ୱ ନଦେଇ ଅନେକ ଟିକା ଟିପ୍ପଣୀ ରଖିବା ସରକାର ପାଖରେ ଶୋଭା ପାଉନାହିଁ । ଆପଣ ନୂଆ ପ୍ରଥା ଆରମ୍ଭ କରିଛନ୍ତି କି କାହାକୁ ଦିଆ ଯିବନାହିଁ । ଏମାନେ କଣ ଓଡ଼ିଶାର ମାଆ ନୁହନ୍ତି କି ନା ପାକିସ୍ତାନରୁ ଚାଲି ଆସିଛନ୍ତି? ମାଆମାନଙ୍କୁ ନିଜର କରି ନିଅନ୍ତୁ। ସରକାର ଆସିବ, ସରକାର ଯିବ। ମାଆ ମାନଙ୍କ ସହ ଛିଡା ହୋଇଛୁ ବୋଲି ଆଗରୁ କହିଥିଲେ, କିନ୍ତୁ ଏବେ କରୁ ନାହାନ୍ତି । ବର୍ତ୍ତମାନ ଯେଉଁ ମାଆ ମାନେ ରାଜରାସ୍ତାରେ ବସିଛନ୍ତି, ତାଙ୍କ କଥା ସନ୍ଧ୍ୟା ସୁଦ୍ଧା ଶୁଣି ନେବାକୁ ଅନୁରୋଧ। ନଚେତ ତାଙ୍କ ଅଭିଶାପ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

ହେଲେ କଂଗ୍ରେସ ବିଧାୟିକା ସୋଫିଆ ଫର୍ଦୋଶ କହିଛନ୍ତି ଯେ, ମିଶନ ଶକ୍ତି ମହିଳାଙ୍କୁ ନେଇ ପରସ୍ପରକୁ କେବଳ ଦୋଷାରୋପ କରାଯାଉଛି। କାହାର ଭୁଲ ହୋଇଛି, କିଏ ଭୁଲ କରିଛି, ତା ଉପରେ କେବଳ ଆଲୋଚନା କରାଯାଉଛି। ଭୁଲ ଚକରରେ ଫଳାଫଳ ଶୂନ। ମିଶନ ଶକ୍ତି ମହିଳା ମାନେ ସଶକ୍ତ ହେବାର ସ୍ୱପ୍ନ ଦେଖିଛନ୍ତି। ସ୍କୁଟି ଋଣ ନେଇଛନ୍ତି। ଏବେ ସ୍କୁଟି ଋଣ କେମିତି ସୁଝିବେ ଚିନ୍ତାରେ ପଡ଼ିଛନ୍ତି। ସ୍କୁଟି ଋଣ ଶୁଝି ପାରୁନାହାନ୍ତି। ଫାଇନାନ୍ସ ସଂସ୍ଥା ମାନେ ସ୍କୁଟି ଋଣ ଶୁଝିବା ପାଇଁ ମହିଳା ମାନଙ୍କ ଉପରେ ଚାପ ପକାଉଛନ୍ତି। ସେମାନେ ଚାରି ଆଡୁ ଚାପରେ ଅଛନ୍ତି। ସେମାନଙ୍କର କଣ ଭୁଲ ଅଛି। ଆଗ୍ରିମେଣ୍ଟ କଥା କଣ ସେମାନେ ଜାଣି ନାହାନ୍ତି । ସେମାନେ ଏବେ ଙ୍ଖସମଗ୍ଧସଜ୍ଞ ଅଛନ୍ତି। ରାଜରାସ୍ତାରେ ମହିଳା ମାନେ ବସିବା ଅସମ୍ମାନ। ସେମାନେ ଏବେ ଅସହାୟ, ହତାଶ ଓ ଲାଚାର। ମାସକୁ ଯେତିକି ଦରମା ପାଉଥିଲେ, ସେଥିରେ ତାଙ୍କର ଘର ଚଳୁଥିଲା । ସେମାନେ ତିନି ଦିନ ହେଲା ବସିଲେଣି, ହେଲେ ପାଣି ଟୋପେ ବି କେହି ଦେଇ ନାହାନ୍ତି ।

ଶୌଚାଳୟ ବ୍ୟବସ୍ଥା ନାହିଁ । ପାଣି ବିନା ଅନେକ ମହିଳା ବେହୋଶ ହୋଇଯାଇଛନ୍ତି, ଥଣ୍ଡା ଜ୍ୱର ବି ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଆଡ଼ମିଶନ ହୋଇଛନ୍ତି। ସେମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବାର ଅଛି। ସେମାନେ ପରିବର୍ତ୍ତନ କରିଛନ୍ତି । ପୂର୍ବ ସରକାର କି ବର୍ତ୍ତମାନ ସରକାର ସେମାନେ ଜାଣିନାହାନ୍ତି। ତାଙ୍କ ଦାବି ପୂରଣ ପାଇଁ ସେମାନେ ବସିଛନ୍ତି । ସରକାର ତାଙ୍କ ଦାବି ପୂରଣ କରନ୍ତୁ। ବୁଝା ପଡୁନାହିଁ, ସେମାନଙ୍କ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ଅଟକାଉଛି। ସେମାନେ ମିଶନ ଶକ୍ତି ଅଫିସକୁ ଗଲେ କୁହା ଯାଉଛି, କେତେବେଳେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କହୁଛନ୍ତି, ତ କେତେବେଳେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା କଥା କୁହାଯାଉଛି । ଏପରିକି ମିଶନ ଶକ୍ତିର ହେଲ୍ପ ଲାଇନ ନମ୍ବର ବି କାମ କରୁନି। ସୁଭଦ୍ରା ଯୋଜନାରେ ବି ଏହି ମହିଳା ମାନେ କାମରେ ଲାଗିଛନ୍ତି । ସରକାର ବଦଳିଛି, କିନ୍ତୁ ବ୍ୟବସ୍ଥା କାହିଁକି ବଦଳିନି। ତେଣୁ ସରକାର ସେମାନଙ୍କର ଦାବି ତୁରନ୍ତ ପୂରଣ କରନ୍ତୁ ଏବଂ ଧାରଣା ସ୍ଥଳକୁ ପାଣି ପଠାନ୍ତୁ ବୋଲି ବିଧାୟିକା ଦାବି କରିଥିଲେ।

ଶେଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ପୂର୍ବ ସରକାରରେ ମିଶନ ଶକ୍ତି ଫେଲ। ହୀନ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବିରୋଧୀ ମାଆ ମାନଙ୍କର ସାମଗ୍ରିକ ବିକାଶ ଚାହୁଁନାହାଁନ୍ତି । ମାଆ ମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା ବିଜେଡ଼ି। ମହିଳାଙ୍କ ସଶକ୍ତିକରଣ ପାଇଁ ଡିଣ୍ଡିମ ପିଟୁଥିବା ପୂର୍ବତନ ସରକାର ହିଁ ଭଣ୍ଡୁର କରିଛନ୍ତି। କମ୍ୟୁନିଟି ଷ୍ଟାଫ୍‌ଙ୍କର ଜୀବନ ଜୀବିକା ପ୍ରତି ସରକାର ସଚେତନ ଅଛନ୍ତି ଏବଂ ସେ ଦିଗରେ କାର୍ଯ୍ୟ କରୁଛନ୍ତି। ବିରୋଧୀ ଦଳ ନେତା କହିଲେ, ବିଜେପି ଷଡ଼ଯନ୍ତ୍ର କରୁଛି। ଯିଏ ଏପରି କହୁଛନ୍ତି, ସେ ନିଜେ ମହିଳାଙ୍କୁ ଷଡ଼ଯନ୍ତ୍ର ପାହାଡ ଉପରେ ବସାଇ ଦେଇ ଝୁଲାଇ ଦେଇଛନ୍ତି। ମିଶନ ଶକ୍ତିକୁ ପୋଲିଓ ଶିଶୁ ଭାବେ ପରିଣତ କରିଥିଲା ବିଜେଡ଼ି ସରକାର। ବିଜୁ ଜନତା ଦଳ ମହିଳା ମାନଙ୍କ ବଳ ବୋଲି କହୁଥିଲା । ନିର୍ବଳୁଆ ମହିଳା ମାନଙ୍କୁ ଢାଲ କରିଥିଲେ ବିଜେଡ଼ି ନେତା। ୨୦୧୯ ଏପ୍ରିଲ ୧ ରେ ମିଶନ ଶକ୍ତି ସପୋର୍ଟିଂ ଷ୍ଟାଫ ପାଇଁ ଠିକ୍ ନିର୍ବାଚନ ପୂର୍ବରୁ ୩୪ ହଜାରରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀ ତିଆରି କଲେ। କାଳେ ଏହି ଲୋକମାନେ ପୁଣି ଥରେ ପୁନଃ ନିଯୁକ୍ତି ପାଇ ଯିବେ, ସେଥିପାଇଁ ପ୍ରଥମେ ଦଶମ ଠାରୁ କମ୍ ଯୋଗ୍ୟତା ରଖିଥିବା ବେଳେ ୨୦୨୨ରେ ଯୋଗ୍ୟତାକୁ ଯୁକ୍ତ ଦୁଇ ପାସ କରିଦେଲେ। ପୂର୍ବ ସରକାର ଚାହିଁଥିଲେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଚୁକ୍ତି ନବୀକରଣ କରିପାରିଥାନ୍ତେ ବୋଲି ସେ ଉତ୍ତର ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking