ଭୁବନେଶ୍ୱର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି।ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏସ୍.ପି. ଓ ଡି.ସି.ପି. ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍ ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକ ମାନଙ୍କୁ ଚିହ୍ନଟ କରାଯାଇ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୧,୪୯୮ଟି ମ୍ୟୁଲ୍/ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ୧୦୯୦ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସାଇବର ମାମଲା, ଏ.ଟି.ଏମ୍ ଉଠାଣ ସମ୍ପର୍କିତ ୩୪ଟି, ଚେକ୍ ଉଠାଣ ସମ୍ପର୍କିତ ୩୫ଟି ଏବଂ ୨୩ଟି ନକଲି ସିମ୍/PoS ଯାଞ୍ଚ ସମ୍ପର୍କିତ ମାମଲା ରୁଜୁ କରାଯାଇଛି। ଏହା ସହ ୩୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହ, ନୂଆ ଓ ପୁରୁଣା ୧୮୩ଟି ଏଫ୍.ଆଇ.ଆର୍ ସହ ସଂପୃକ୍ତ ୬୫୩୨ ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।
ଏହି ବିଶେଷ ଅଭିଯାନରେ ପୁରୀ ଜିଲ୍ଲା ପୋଲିସ ୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ରାଉରକେଲା ଜିଲ୍ଲା ପୋଲିସ ୨୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସଂପୃକ୍ତ ୩ଟି ଏବଂ ଚେକ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ମାମଲା ରୁଜୁ କରି ୩ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ଭୁବନେଶ୍ୱର (UPD) ପୋଲିସ ୧୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିବା ସହ ୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୪ ଜଣଙ୍କୁ ନୋଟିସ୍ ଜାରି କରିଛି। କଟକ (UPD) ପୋଲିସ ଚେକ୍ ଟଙ୍କା ଉଠାଣ ସଂପୃକ୍ତ ୧ଟି ମାମଲା ରୁଜୁ କରିଛି।
ସେହିପରି ନୟାଗଡ଼ ଜିଲ୍ଲା ପୋଲିସ ୮୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩୦ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ବଲାଙ୍ଗିର ଜିଲ୍ଲା ପୋଲିସ ୬ଟି, ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୮୦ଟି, ବାଲେଶ୍ୱର ଜିଲ୍ଲା ପୋଲିସ ୩୩ଟି ଏବଂ ଭଦ୍ରକ ଜିଲ୍ଲା ପୋଲିସ ୨୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି।ସେହିପରି ମୟୂରଭଞ୍ଜ ଜିଲ୍ଲା ପୋଲିସ ୨୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୮ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ବ୍ରହ୍ମପୁର ଜିଲ୍ଲା ପୋଲିସ ୮୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ପୁରୁଣା ଏଫ୍.ଆଇ.ଆର୍ ସଂପୃକ୍ତ ୮୦ ଜଣଙ୍କୁ ନୋଟିସ୍ ଜାରି କରିଛି। ବୌଦ୍ଧ ଜିଲ୍ଲା ପୋଲିସ ୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୭ ଜଣଙ୍କୁ ନୋଟିସ୍ ଜାରି କରିଛି।
ସେହିପରି ଗଞ୍ଜାମ ଜିଲ୍ଲା ପୋଲିସ ୧୧ଟି, କଳାହାଣ୍ଡି ଜିଲ୍ଲା ପୋଲିସ ୧୨୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୪ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। କୋରାପୁଟ ଜିଲ୍ଲା ପୋଲିସ ୨୩ଟି, ମାଲକାନଗିରି ଜିଲ୍ଲା ପୋଲିସ ୬ଟି ଏବଂ ନୂଆପଡ଼ା ଜିଲ୍ଲା ପୋଲିସ ୧୧୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି।ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ। ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।










