ପୁରୀ: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଏହି ଟଙ୍କା ପଠାଇଛନ୍ତି । ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ନାରୀ ଶକ୍ତିଙ୍କୁ ସଶକ୍ତ କରିବା ପାଇଁ ଲୋକଙ୍କ ସରକାର ସଂକଳ୍ପବଦ୍ଧ। ସୁଭଦ୍ରା ଯୋଜନା ହେଉଛି ଏହି ସଂକଳ୍ପର ଏକ ଜ୍ୱଳନ୍ତ ଉଦାହରଣ। ଏହା ସାମାଜିକ ଓ ଆର୍ଥିକସ୍ତରରେ ସଶକ୍ତ କରିବା ସହିତ ସ୍ୱାବଲମ୍ବୀ କରିଛି। ମହିଳାଙ୍କୁ ସୁଭଦ୍ରା ଆର୍ଥିକ ରୂପେ ସ୍ଵାଧୀନ ସହିତ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ମହିଳାଙ୍କ ଶକ୍ତି ହିଁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। ଚଳିତ ଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆ ଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।










