ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ଠାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା ପରିଷଦର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିକଶିତ ରାଜ୍ୟଗୁଡ଼ିକ ଜରିଆରେ ବିକଶିତ ଭାରତର ପରିକଳ୍ପନା ସାକାର ହୋଇପାରିବ। ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ଗ୍ରାମ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ଲାଗି ସଂକଳ୍ପବଦ୍ଧ ହେବା ଉଚିତ୍, ଯାହାଦ୍ୱାରା ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏବଂ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲାଗି ଅତିକମ୍ରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକଶିତ କରିବା ଲାଗି ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ସେହିପରି ରାଜ୍ୟଗୁଡ଼ିକୁ ନିବେଶ ଆକୃଷ୍ଟ କରିବା ଲାଗି ‘ନିବେଶ ଅନୁକୂଳ ଚାର୍ଟର’ ପ୍ରସ୍ତୁତ କରିବା ଲାଗି ନୀତି ଆୟୋଗକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ପରିଚାଳନା ପରିଷଦ ବୈଠକର ବିଷୟବସ୍ତୁ ଥିଲା “ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ରାଜ୍ୟ”। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କ ସ୍ମୃତିରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯିବା ସହିତ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ୨୪ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ସହ ନୀତି ଆୟୋଗ ଉପାଧ୍ୟକ୍ଷ, କେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ ବିଭାଗୀୟ ଶାସନ ସଚିବମାନେ ପ୍ରମୁଖ ଯୋଗଦେଇଥିଲେ।
ବୈଠକରେ ମୋଦୀ କହିଛନ୍ତି, ବିଶ୍ୱ ନିବେଶକମାନେ ଭାରତ ପ୍ରତି ଅତ୍ୟଧିକ ଆଗ୍ରହୀ, ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ଏହାକୁ ଉପଯୋଗ କରିବା ଦିଗରେ ରାଜ୍ୟ ସରକାର ଯତ୍ନବାନ ହେବା ଉଚିତ୍। ୟୁଏଇ, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ସହିତ ନିକଟରେ ହୋଇଥିବା ବାଣିଜ୍ୟ ରାଜିନାମା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ରାଜ୍ୟଗୁଡ଼ିକ ଏହାର ସର୍ବାଧିକ ଉପଯୋଗ କରିବା ଉଚିତ୍। ସେହିପରି ଜଳସମ୍ପଦର ପ୍ରଭାବୀ ଉପଯୋଗ ପାଇଁ ରାଜ୍ୟସ୍ତରରେ ରିଭର ଗ୍ରୀଡ୍ ନିର୍ମାଣ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଦୀର୍ଘସ୍ଥାୟୀ ସହରାଞ୍ଚଳ ବିକାଶ, ଯୋଜନାବଦ୍ଧ ସହରାଞ୍ଚଳ ଯୋଜନା, ଉଦୀୟମାନ କ୍ଷେତ୍ରଗୁଡ଼ିକୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଲାଗି ଯୁବକମାନଙ୍କ ଦକ୍ଷତା ବିକାଶ ଏବଂ ତାଲିମ୍ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ଏବଂ ମହିଳାମାନଙ୍କ ପାଇଁ ଆଇନରେ ପରିବର୍ତ୍ତନ ଆଣିବା, କର୍ମଜୀବୀ ମହିଳାମାନଙ୍କ ପାଇଁ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ସଂସ୍କାର ଆଣିବା ପୂର୍ବକ ଭାରତର ନାରୀ ଶକ୍ତିକୁ ଆହୁରି ବିଶାଳ କରିବା ଉପରେ ଜୋର ଦେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଭାରତ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଶକ୍ତି ଓ ବିକଶିତ ରାଜ୍ୟ ଚିନ୍ତାଧାରା ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ହାସଲ ପୂରଣ କରିବା ଦିଗରେ ଅଗ୍ରସର ହେଉଛି ବୋଲି ମୋଦୀ କହିଛନ୍ତି।
ମୋଦୀ କହିଥିଲେ ଯେ, ଦେଶ ବିକଶିତ ଭାରତ ହେବା ପ୍ରତ୍ୟେକ ଭାରତୀୟଙ୍କ ଅଭିଳାଷ। ଏହା କୌଣସି ଦଳର ଏଜେଣ୍ଡା ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା। ସେ କହିଥିଲେ ଯେ ଯଦି ସମସ୍ତ ରାଜ୍ୟ ଏହି ଲକ୍ଷ୍ୟ ଦିଗରେ ମିଳିତ ଭାବେ ବା ଟିମ୍ ଇଣ୍ଡିଆ ଭଳି କାର୍ଯ୍ୟ କରନ୍ତି, ତେବେ ଆମେ ଚମତ୍କାର ପ୍ରଗତି ହାସଲ କରିବୁ। ଆମେ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ୍ ଯେ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସହର, ପ୍ରତ୍ୟେକ ଗ୍ରାମ ବିକଶିତ ହେବ, ଏବଂ ତା’ପରେ ଯାଇ ୨୦୪୭ ମସିହା ପୂର୍ବରୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ସାକାର ହୋଇପାରିବ। ମୋଦୀଙ୍କ କହିବାନୁସାରେ ଭାରତ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇଛି ଏବଂ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଭାରତକୁ ଏହି ପରିବର୍ତ୍ତନର ଗତିକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ସେ ରାଜ୍ୟଗୁଡ଼ିକୁ ସେମାନଙ୍କ ଉତ୍ପାଦନ ସାମର୍ଥ୍ୟର ଲାଭ ଉଠାଇବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ମୋଦୀ ସାଇବର ସୁରକ୍ଷାକୁ ଏକ ଆହ୍ୱାନ ତଥା ସୁଯୋଗ ବୋଲି ଦର୍ଶାଇଥିଲେ।
ବିପୁଳ ସମ୍ଭାବନା ଏବଂ ସୁଯୋଗର କ୍ଷେତ୍ର ଭାବେ ହାଇଡ୍ରୋଜେନ୍ ଏବଂ ସବୁଜ ଶକ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମୋଦୀ ଜଳ ଅଭାବ ତଥା ବନ୍ୟା ମୁକାବିଲା କରିବା ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ନଦୀଗୁଡ଼ିକୁ ପରସ୍ପର ସହ ଯୋଡ଼ିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ କରିଥିଲେ। ନିକଟରେ କୋଶି-ମୋଚି ସଂଯୋଗ ଗ୍ରୀଡ ଆରମ୍ଭ କରିଥିବା ବିହାରକୁ ସେ ପ୍ରଶଂସା କରିଥିଲେ। ସେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ମଧ୍ୟ ପ୍ରଶଂସା କରିଥିଲେ, ଯାହା ସାମୂହିକ ପ୍ରୟାସ ମାଧ୍ୟମରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କୃଷି କ୍ଷେତ୍ରରେ ‘ଲ୍ୟାବ୍ ଟୁ ଲ୍ୟାଣ୍ଡ’ ବା ପ୍ରୟୋଗଶାଳାରୁ ଚାଷ ଜମି ଉପରେ ଧ୍ୟାନ ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମୋଦୀ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ବିଷୟରେ କହିଥିଲେ, ଯେଉଁଥିରେ ଆଗାମୀ ଦିନରେ ପାଖାପାଖି ୨୫୦୦ ବୈଜ୍ଞାନିକ ଗାଁ ଏବଂ ଗ୍ରାମୀଣ କେନ୍ଦ୍ରଗୁଡ଼ିକୁ ଯିବେ, ଯେଉଁଠାରେ ସେମାନେ ଫସଲ ବିବିଧକରଣ ଏବଂ ରାସାୟନିକ ମୁକ୍ତ ଚାଷ ଭଳି ବିଷୟ ଉପରେ ବିଚାର-ବିମର୍ଶ କରିବେ। ଏହି ପ୍ରୟାସକୁ ସମର୍ଥନ କରିବାକୁ ସେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେହିପରି ସ୍ୱାସ୍ଥ୍ୟା ସେବା, କରୋନା ସଂକ୍ରମଣଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉପରେ ମଧ୍ୟ ମୋଦୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ସଂକଟ ତଥା ଭାରତୀୟ ସେନାର ଅପରେସନ୍ ସିନ୍ଦୂର ପ୍ରସଙ୍ଗ ଉଠାଇଥିଲେ। ମୋଦୀ ପରାମର୍ଶ ଦେଇ କହିଥିଲେ ଯେ ‘ଅପରେସନ ସିନ୍ଦୁର’କୁ ଏକକାଳୀନ ପଦକ୍ଷେପ ଭାବେ ବିବେଚନା କରାଯିବା ଉଚିତ ନୁହେଁ ଏବଂ ଆମକୁ ଏକ ଦୀର୍ଘକାଳୀନ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ। ନାଗରିକ ପ୍ରସ୍ତୁତି କ୍ଷେତ୍ରରେ ଆମକୁ ଆମର ଆଭିମୁଖ୍ୟର ଆଧୁନିକୀକରଣ କରିବାକୁ ପଡ଼ିବ। ପରେ ଉପସ୍ଥିତ ସମସ୍ତ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନେ ଅପରେସନ ସିନ୍ଦୁରର ଯଥାର୍ଥତା ଏବଂ ଟାର୍ଗେଟ୍ ଷ୍ଟ୍ରାଇକ୍ ପାଇଁ ପ୍ରଶଂସା କରିଥିଲେ। ଗୋଟିଏ ସ୍ୱରରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ସଶସ୍ତ୍ର ବାହିନୀର ବୀରତ୍ୱକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ/ଉପରାଜ୍ୟପାଳମାନେ ୨୦୪୭ ମସିହାରେ ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟର ପରିକଳ୍ପନା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ଏବଂ ସେମାନଙ୍କ ରାଜ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିଥିଲେ। କୃଷି, ଶିକ୍ଷା ଏବଂ ଦକ୍ଷତା ବିକାଶ, ଉଦ୍ୟମୀତା, ପାନୀୟ ଜଳ, ଅନୁପାଳନ ହ୍ରାସ, ଶାସନ, ଡିଜିଟାଇଜେସନ୍, ମହିଳା ସଶକ୍ତିକରଣ, ସାଇବର ସୁରକ୍ଷା ଇତ୍ୟାଦି କ୍ଷେତ୍ରରେ କେତେକ ପ୍ରମୁଖ ପରାମର୍ଶ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋକପାତ କରାଯାଇଥିଲା। ଅନେକ ରାଜ୍ୟ ୨୦୪୭ ମସିହା ପାଇଁ ଏକ ରାଜ୍ୟ ସଂକଳ୍ପ ସୃଷ୍ଟି କରିବା ଲାଗି ସେମାନଙ୍କ ପ୍ରୟାସ ବିଷୟରେ ସୂଚନା ଦେଇଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପକ୍ଷରୁ ଆସିଥିବା ପରାମର୍ଶଗୁଡ଼ିକୁ ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନୀତି ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି।