ଯାଜପୁର: ଅନଲାଇନ ଖେଳ କାହାର ଜୀବନ ନେଉଛି ତ , ଆଉ କାହା ଜୀବନରେ ଭାଗ୍ୟ ବଦଳାଇ ଦେଉଛି । ଖାଲି ଜୀବନ ଯାଉନି , ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଡିଯାଉଛି । ହେଲେ ଅନଲାଇନ ଗେମ ଖେଳି ଜଣଙ୍କ ଭାଗ୍ୟ ବଦଳି ଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରଖାପଦା ଗାଁରୁ ଏଭଳି ଖବର ସାମ୍ନାକୁ ଆସିଛି । ବାପା ହେଉଛନ୍ତି ମାଛ ବ୍ୟବସାୟୀ । ପୁଅ ଅନୀଲ ତରାଇ ଯିଏ ସାଙ୍ଗମାନେ ଅନଲାଇନ ଗେମ ଖେଳୁଥିବା ଦେଖି ମାତ୍ର ୪ ଦିନ ତଳେ ମାଇ ଇଲଭେନ ସର୍କଲ ଗେମ ଆପରେ ମାତ୍ର ୪୯ ଟଙ୍କା ବିନିଯୋଗ କରି ୧୧ ଜଣିଆ ଟିମ କରିଥିଲେ । ୪ ଦିନ ଗେମ୍ ଖେଳିବା ପରେ ଗତକାଲି ରାତି ଏଗାରଟା ବେଳେ ତାଙ୍କୁ ଏକ ଫୋନ କଲ୍ ଆସିଥିଲା । ଯେଉଁଥିରୁ ଅନୀଲ ୩ କୋଟି ଟଙ୍କା ସହ ଏକ ଥାର୍ ଗାଡି ଜିତିଥିବା ସୂଚନା ପାଇଥିଲେ । ରାତି ଗୋଟାଏ ବେଳକୁ ତାଙ୍କ ବ୍ୟାଙ୍କ ଖାତାକୁ ୩ କୋଟି ଟଙ୍କା ଆସିଥିଲା । ଏ ଖବର ଜାଣିବା ପରେ ଅନୀଲଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଛି।