ବାଲେଶ୍ୱର: ଗୋରୁ ଗାଡି ଅଟକାଇବା ହେଲା କାଳ । ଗୋରୁ ଗାଡି ଅଟକାଇବାକୁ ଯାଇ ଜଣେ ମୃତ, ଜଣେ ଗୁରୁତର । ବାଲେଶ୍ୱର ସୋର ଅଞ୍ଚଳରେ ଏହି ଅଘଟଣ ଘଟିଛି । ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ଯୁବକ ଗାଡିକୁ ଅଟକାଇବା ପାଇଁ ପିଛା କରିଥିଲେ । ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଫଚୁଲିଙ୍ଗେଶ୍ୱର ଅଚଳର କୃପାସିନ୍ଧୁ ବେହେରା ଓ ଲମ୍ବୋଧର ମହାପାତ୍ର ଏକ ବାଇକରେ ଗାଡିକୁ ପିଛା କରିଥିଲେ । ଗୋରୁ ବୋଝେଇ ଗାଡିଟି ଖନ୍ତାପଡା ନିକଟରେ ବାଇକରେ ଥିବା ୨ ଜଣ ଯୁବକଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିବା ବେଳେ ଖନ୍ତାପଡା ପୋଲିସ ଗାଡିକୁ ଜବତ କରିଛି । ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର କୃପାସିନ୍ଧୁ ଙ୍କୁ ମୃତ ଘୋଷଣା କରିଥିଲେ । ଲମ୍ବୋଦରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।









