ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ହାତୀଙ୍କ ଆତଙ୍କ। ହାତ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଶନିବାର ଏକ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ପକାଇଥିବା ନେଇ ସୂଚନା ମିଳିଛି। ଜି.ଉଦୟଗିରିଠାରୁ ମାତ୍ର ୨ କିଲୋମିଟର ଦୂର ପାଜିମାହା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶନିବାର ଦନ୍ତାହାତୀ ଆକ୍ରମଣରେ ମାଲାସୁଙ୍ଗା ଗ୍ରାମର ସାମନ୍ତ ଦିଗାଲ ନାମକ ଜଣେ ବ୍ୟକ୍ତି(୫୫)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମାଲାସୁଙ୍ଗା ଗ୍ରାମର ସାମନ୍ତ ଦିଗାଲ ସଂଜୀବ ପ୍ରଧାନ ଓ ଅନ୍ୟଜଣେ ବ୍ୟକ୍ତି ପଦାସାହି ଠାରେ ମୂଲ ମଜୁରୀ କାମ ସାରି ଘରକୁ ଫେରୁଥିବା ସମୟରେ ହଠାତ୍ ପାଜିମାହା ଠାରେ ଦନ୍ତାହାତୀ ଆକ୍ରମଣ କରିଥିଲା। ଦୁଇଜଣ ସାଥୀ ହାତୀ ଆକ୍ରମଣ ଦେଖି ଦୌଡ଼ି ପଳାଇ ଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ମୃତ ସାମନ୍ତ ଦିଗାଲଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି କଚାଡ଼ି ମାରିବା ପରେ ପାଦରେ ଦଳି ଦେଇଥିଲା। ଫଳରେ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ମୃତଦେହର ସବୁ ଅଂଶ ପଡ଼ିଥିବା କହିଛନ୍ତି ସାଥିରେ ଯାଉଥିବା ସଂଜୀବ।
ରବିବାର ସକାଳୁ ଜି.ଉଦୟଗିରି ବନ ଅଧିକାରୀ ପ୍ରଶାନ୍ତ ସାହୁ, କଳିଙ୍ଗା ବନଅଧିକାରୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଡିଏଫ୍ଓଙ୍କ ସହ ଆଲୋଚନା କରି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ଖଣ୍ଡ ବିଖଣ୍ଡିତ ମୃତ ଶରୀର ଦେଖି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବହୁଦିନ ହେଲା ହାତୀପଲ ଯୋଗୁ ଧନ ଜୀବନ ନଷ୍ଟ ହେଉଥିବା ବେଳେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ସରକାର କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି। ଯାହାଫଳରେ ଆଜି ଏହି ଘଟଣା ଘଟିଛି। ଯାଥା ଶୀଘ୍ର ହାତୀପଲ ଆମ ଅଞ୍ଚଳରୁ ଘଉଡ଼ାଇବା ପାଇଁ ଉଚିତ୍ ପଦକ୍ଷେପ ନିଅନ୍ତୁ ନଚେତ ଆମେ ଗ୍ରାମବାସୀ ନିଜ ପରିବାର ଲୋକଙ୍କ ଜୀବନ ସୁରକ୍ଷା ପାଇଁ ହାତୀ ମାରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏଣେ ତେଣେ ପଡ଼ିଥିବା ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।










