କାଶୀନଗର: କାଶୀନଗରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର। ବଜ୍ରାଘାତରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ସୂଚନା ଅନୁସାରେ, କାଶୀନଗର ଥାନା ଅନ୍ତର୍ଗତ ଖାରଡ଼ା ଗ୍ରାମର ହରିଜନ ସାହିର ବାସିନ୍ଦା ବାଲଗା କ୍ରିଷ୍ଣା ତାଙ୍କ ମା ବାଲଗା ପାର୍ବତୀ(୫୪) ଓ ସ୍ତ୍ରୀ ବାଲଗା ମୋହିନୀଙ୍କ ସହ ଜମିକୁ ଗତକାଲି ଅପରାହ୍ନରେ ଘାସ ବାଛିବାକୁ ଯାଇଥିଲେ। ଗତ କିଛି ଦିନ ହେଲା କାଶୀନଗର ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ମାରି ବର୍ଷା ହେଉଛି।
ଏହି ବର୍ଷା ସମୟରେ ସେମାନେ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ବାଲଗା ପାର୍ବତୀ ବିଲରେ ପଡ଼ି ଯାଇଥିଲେ। କିନ୍ତୁ ତାଙ୍କ ବୋହୂ ଓ ପୁଅ ଟିକେ ଦୂରରେ କାମ କରୁଥିବାରୁ ସେ ଦୁହେଁ ବର୍ତ୍ତି ଯାଇଥିଲେ। ପୁଅ କ୍ରିଷ୍ଣା ମା’ଙ୍କ ଏହି ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଞ୍ଚ କରିବା ସମୟରେ ପାର୍ବତୀଙ୍କୁ ମୃତ ଘୋଷଣା କରିଥିଲେ। କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ଦେଇଛନ୍ତି।









