ଭୁବନେଶ୍ୱର: ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ୍ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ୍। ଗାଡ଼ିରେ ତେଳ ପକାଇବା ପୂର୍ବରୁ ଦେଖାଇବାକୁ ପଡ଼ିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(ପିୟୁସିସି)। ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକୁ ଚିଠି ଲେଖି ଅବଗତ କରାଯାଇଛି। ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି। ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖାଯାଇଛି। ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କୌଣସି ପେଟ୍ରୋଲ୍ ପମ୍ପରେ ତେଲ ନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣାବତ୍ତାମାନକୁ ଉନ୍ନତ ରଖାଯିବ ବିଶେଷ କରି ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ କମ କରାଯାଇପାରିବ ବୋଲି ଆଶା କରାଯାଇଛି। ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ। ଏଥିପାଇଁ ଗାଡ଼ି ଗୁଡିକୁ ନିୟମିତ ବ୍ୟବଧାନରେ ପଞ୍ଜିକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରାଇବାକୁ ହୋଇଥାଏ। ସେହିଭଳି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟ୍ରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି।










