ଭୁବନେଶ୍ୱର: ରାଜ୍ୟରେ ସ୍ଥାୟୀ, ଭବିଷ୍ୟତ-ଉପଯୋଗୀ ଏବଂ ନାଗରିକ-କୈନ୍ଦ୍ରିକ ସହର ଗଠନ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ IIT କାନପୁରର ‘AIRAWAT ରିସର୍ଚ୍ଚ ଫାଉଣ୍ଡେସନ’ (ARF) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ସହଭାଗିତା ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ପ୍ରଶାସନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗକୁ ଅଧିକ ସୁଦୃଢ଼ କରାଯିବ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀମତୀ ପାଢୀ କହିଛନ୍ତି ଯେ, “ଓଡ଼ିଶା ନିଜର ସହରଗୁଡ଼ିକୁ କେବଳ ସ୍ମାର୍ଟ ନୁହେଁ, ବରଂ ଅଧିକ ସମ୍ବେଦନଶୀଳ ଏବଂ ସମାବେଶୀ କରିବାକୁ ପ୍ରତିବଦ୍ଧ। ଏହି ସହଭାଗିତା AI ସହାୟତାରେ ସହରାଞ୍ଚଳ ସେବା ପ୍ରଦାନକୁ ଉନ୍ନତ କରିବ ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବ।”AIRAWAT ରିସର୍ଚ୍ଚ ଫାଉଣ୍ଡେସନର ସିଇଓ (CEO) ଶ୍ରୀ ଅମର ନାଥ କହିଛନ୍ତି ଯେ, ସରକାର ଏବଂ ପ୍ରତିଷ୍ଠିତ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଏଭଳି ସହଯୋଗ ଦ୍ୱାରା AI ସମାଧାନଗୁଡ଼ିକୁ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ବିକଶିତ କରାଯାଇପାରିବ। ARF ଓଡ଼ିଶାରେ ଏକ ଦୃଢ଼ ଏବଂ ଦାୟିତ୍ୱପୂର୍ଣ୍ଣ AI ବ୍ୟବସ୍ଥା ଗଠନ ପାଇଁ ପୂର୍ଣ୍ଣ ସହଯୋଗ କରିବ।
ଏହି ସହଭାଗିତା ମାଧ୍ୟମରେ ARF ବିଭାଗର AI ଇନୋଭେସନ ପାର୍ଟନର ଭାବରେ କାର୍ଯ୍ୟ କରିବ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ।ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ସ୍ୱତନ୍ତ୍ର AI-PMU ପ୍ରତିଷ୍ଠା କରାଯିବ, ଯାହା AI କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ରକ୍ଷା କରିବ। ରାଜ୍ୟ ପାଇଁ ଏକ ଦୀର୍ଘକାଳୀନ AI ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ, ଯାହା ପୌରସଂସ୍ଥା (ULBs) ଗୁଡ଼ିକରେ ବୈଷୟିକ ସଂସ୍କାର ଆଣିବ.ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ AI ର ନୈତିକ ଏବଂ ସ୍ୱଚ୍ଛ ପ୍ରୟୋଗ ପାଇଁ ତାଲିମ ପ୍ରଦାନ କରାଯିବ।ଏହି ସହଭାଗିତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଡକ୍ଟର ସୁବ୍ରତ ବିଶ୍ୱାଳଙ୍କ ନେତୃତ୍ୱରେ ‘eGov’ ଫାଉଣ୍ଡେସନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଖାରବେଳ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ eGov ଟିମର ସଦସ୍ୟମାନେ ଉପସ୍ଥିତ ଥିଲେ।









