ଭୁବନେଶ୍ୱର: ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁଶାଏରା) ଆୟୋଜନ କରାଯାଇଛି। ଏହି ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାର ଶ୍ରୀ ଶ୍ରୀତମ୍ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉର୍ଦ୍ଦୁ କବିମାନେ ଏହି ଜାତୀୟ ସମ୍ମିଳନୀରେ ଯୋଗଦେଇ ଉର୍ଦ୍ଦୁ କବିତା ପାଠ କରିଥିଲେ। ଏଥିସହିତ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ ଉର୍ଦ୍ଦୁ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ପ୍ରାୟ ୧୧୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉର୍ଦ୍ଦୁ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଭାମାନଙ୍କୁ ଯଥାକ୍ରମେ ୪,୦୦୦, ୩,୫୦୦ ଓ ୩,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ “ଉର୍ଦ୍ଦୁ ଓ ହିନ୍ଦୀ ଗଳ୍ପରେ ନାରୀ ଚରିତ୍ର” ଶୀର୍ଷକକୁ ନେଇ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ ମଧ୍ୟ କରାଯାଇଥିଲା। ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପ-ସଭାପତି ଜନାବ୍ ନଫିସ୍ ମଞ୍ଜର ହସନ୍, ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।










