25.1 C
Bhubaneswar
Tuesday, March 17, 2026
Homeଓଡିଶାଏଲ୍.ପି.ଜି ଯୋଗାଣ ସମସ୍ୟାର ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବେ ଓଡ଼ିଶା ସରକାର

ଏଲ୍.ପି.ଜି ଯୋଗାଣ ସମସ୍ୟାର ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବେ ଓଡ଼ିଶା ସରକାର

​ଭୁବନେଶ୍ୱର: ଶକ୍ତି ସୁରକ୍ଷା ନିଶ୍ଚିତ କରିବା ଏବଂ ଅସ୍ଥିର ବିଶ୍ୱ ଇନ୍ଧନ ବଜାରର ଏକ ସ୍ଥାୟୀ ବିକଳ୍ପ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର ଏକ ରଣନୈତିକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସିଟି ଗ୍ୟାସ୍ ବିତରଣ(ସି ଜି ଡ଼ି ) ନେଟୱାର୍କର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଜରୁରୀକାଳୀନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ​ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ​ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସଂଜୟ କୁମାର ସିଂଙ୍କ ସମେତ ଗେଲ୍‌, ବିପିସିଏଲ୍‌ ଏବଂ ଆଦାନୀ ଟୋଟାଲ ଗ୍ୟାସ୍ ଭଳି ପ୍ରମୁଖ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଗ୍ୟାସ୍ ଭିତ୍ତିଭୂମି ନିର୍ମାଣରେ ଥିବା ସମସ୍ୟାର ସମାଧାନ ପାଇଁ ଏଠାରେ ବିସ୍ତୃତ ଆଲୋଚନା ହୋଇଛି। ​ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘରୋଇ ଖାଉଟି ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଯଥା: ଡାକ୍ତରଖାନା, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ଏଲ୍.ପି.ଜି ପରିବର୍ତ୍ତେ ପାଇପ୍ ପ୍ରାକୃତିକ ଗ୍ୟାସ୍(ପିଏନଜି) ଏବଂ ସିଏନ୍‌ଜି ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବା। ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପାଇପ୍ ପ୍ରାକୃତିକ ଗ୍ୟାସ୍(ପିଏନଜି ) ଏବଂ ସିଏନ୍‌ଜି ପାଇଁ ଆବଶ୍ୟକ ପ୍ରଶାସନିକ ଅନୁମତି ଏବଂ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ‘ଯୁଦ୍ଧକାଳୀନ ଭିତ୍ତିରେ’ ଶେଷ କରିବାକୁ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ପେଟ୍ରୋଲିୟମ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି। ଫଳରେ ଏଲ୍‌ପିଜି ଉପଲବ୍ଧତା ସୀମିତ ହୋଇପଡ଼ିଛି। ଭାରତ ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ, ଓଡ଼ିଶା ଏବେ ପ୍ରାକୃତିକ ଗ୍ୟାସ୍ ବ୍ୟବହାରକୁ ପ୍ରାଥମିକତା ଦେଉଛି। ଏହା ମୁଖ୍ୟତଃ ଘରୋଇ ଉତ୍ସରୁ ମିଳୁଥିବାରୁ ଘରୋଇ ଏବଂ ବାଣିଜ୍ୟିକ ଉଭୟ ଶ୍ରେଣୀର ଖାଉଟିଙ୍କ ପାଇଁ ଦୀର୍ଘକାଳୀନ ଦର ସ୍ଥିରତା ପ୍ରଦାନ କରିବ। ୩୦ ଜୁନ୍, ୨୦୨୬ ସୁଦ୍ଧା ଭିତ୍ତିଭୂମି କାର୍ଯ୍ୟକୁ ଦ୍ରୁତଗତିରେ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପଗୁଡ଼ିକ ହେଉଛି- ମ୍ୟୁନିସିପାଲିଟି କର୍ପୋରେସନ୍, ପୂର୍ତ୍ତ ବିଭାଗ ଏବଂ ଜଳସମ୍ପଦ ବିଭାଗ ନିକଟରେ ପାଇପଲାଇନ ବିଛାଇବା ପାଇଁ ଥିବା ସମସ୍ତ ଆବେଦନକୁ ୨୪ ଘଣ୍ଟା ମଧ୍ୟରେ କ୍ଲିୟରାନ୍ସ ଦିଆଯିବ। ସିଟି ଗ୍ୟାସ୍‌ ସଂସ୍ଥାଗୁଡ଼ିକ ପାଇଁ ରାସ୍ତା ମରାମତି ଶୁଳ୍କ ଏବଂ ଅନୁମତି ଶୁଳ୍କ ଛାଡ଼ କରିବାକୁ ସହରାଞ୍ଚଳ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ସିଟି ଗ୍ୟାସ୍ ସଂସ୍ଥାଗୁଡ଼ିକୁ ଦିନରାତି(୨୪ ଘଣ୍ଟା) କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି। ଶିଳ୍ପ, ନଗର ଉନ୍ନୟନ ଏବଂ ଖାଦ୍ୟ ଯୋଗାଣ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଏକ ରାଜ୍ୟସ୍ତରୀୟ ନୋଡାଲ୍ ଅଫିସର ନିଯୁକ୍ତ କରାଯିବ। ଘରୋଇ ଗ୍ରାହକମାନଙ୍କୁ ପି.ଏନ.ଜି ସଂଯୋଗ ପାଇଁ ରିହାତି ପ୍ରଦାନ କରିବାକୁ ଗେଲ୍‌, ବିପିସିଏଲ ଏବଂ ଆଦାନୀ ଟୋଟାଲ ଗ୍ୟାସ୍ ଭଳି ସଂସ୍ଥାଗୁଡ଼ିକୁ ମଧ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ​ବିଶ୍ୱସ୍ତରୀୟ ଶକ୍ତି ସଂକଟରୁ ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ଏବଂ ରାଜ୍ୟରେ ଏକ ଆତ୍ମନିର୍ଭରଶୀଳ ଇନ୍ଧନ ଭିତ୍ତିଭୂମି ଗଠନ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking