ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ର ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି । ୩ ଏକର ପରିମିତ ଜାଗାରେ ୧୭.୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟାଳୟ ଓ ଡିପୋରେ ୨୮ ହଜାର ବର୍ଗଫୁଟ ଷ୍ଟୋରେଜ୍ କ୍ଷମତା ରହିଛି । ଏହି ଡିପୋ ଓ କାର୍ଯ୍ୟାଳୟ ନିର୍ମାଣ ଫଳରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାର ୧୯୦ଟି ଖୁଚୁରା ବ୍ୟବସାୟୀଙ୍କୁ ସହଜ ଯୋଗାଣ ସମ୍ଭବ ହୋଇପାରିବ । ଏହି କାର୍ଯ୍ୟାଳୟ ଓ ଡିପୋ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଅବକାରୀ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ବେଆଇନ ମଦ କାରବାର ରୋକିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଆଜି ଉଦ୍ଘାଟିତ ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଶୃଙ୍ଖଳିତ ବିତରଣ, ପାର୍କିଂ ବ୍ୟବସ୍ଥା ଓ ରାଜ୍ୟର ଅଯଥା ରାଜସ୍ୱ ହାନିକୁ ରୋକିବାରେ ସହାୟକ ହେବ । ଆଜିର ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ଅବକାରୀ ଆୟୁକ୍ତ ପିି. ଅନେ୍ୱଷା ରେଡ୍ଡୀ, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବେନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ସେହିଭଳି ଛତ୍ରପୁରଠାରେ ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଓ ଜିଲ୍ଲାପାଳ ଭି. କୀର୍ତ୍ତି ବାସନ୍ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।










