25.1 C
Bhubaneswar
Tuesday, February 24, 2026
Homeଓଡିଶାସଦସ୍ୟଙ୍କୁ ଓଡ଼ିଶା ରାଜ୍ୟ ବାର୍ ପରିଷଦର ଚେତାବନୀ: ଲାଭଜନକ ପଦବୀରେ ଥିଲେ ରଦ୍ଦ ହେବ ଲାଇସେନ୍ସ

ସଦସ୍ୟଙ୍କୁ ଓଡ଼ିଶା ରାଜ୍ୟ ବାର୍ ପରିଷଦର ଚେତାବନୀ: ଲାଭଜନକ ପଦବୀରେ ଥିଲେ ରଦ୍ଦ ହେବ ଲାଇସେନ୍ସ

କଟକ: ଓଡ଼ିଶା ରାଜ୍ୟ ବାର ପରିଷଦରୁ ଆଇନ ପେସାରେ ଯୋଗଦେବା ଲାଗି ଓକିଲାତି ଲାଇସେନ୍ସ ନେଉଥିବା ଅନେକ ଆଇନଜୀବୀ ବିଭିନ୍ନ କମ୍ପାନୀ, ବ୍ୟବସାୟ, ଠିକା କାମ, ସରକାରୀ ଚାକିରୀ ଓ ଅନ୍ୟାନ୍ୟ ପେସାରେ ଯୋଗଦେଇ କାର୍ଯ୍ୟ କରୁଛନ୍ତି। ଏଭଳି ଅଭିଯୋଗ ବହୁ ମାତ୍ରାରେ ଓଡ଼ିଶା ରାଜ୍ୟ ବାର ପରିଷଦ ନିକଟରେ ପହଞ୍ଚୁଛି। ତେବେ ଏଣିକି ଲାଭଜନକ ପଦବୀରେ ଥିବା ଆଇନଜୀବୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ। ପରିଷଦ ନିଷ୍ପତ୍ତି ଅନୁସାରେ ପରିଷଦର ସଦସ୍ୟଥିବା ଯେଉଁ ଆଇନଜୀବୀମାନେ ଲାଭ ଜନକ ପଦବୀ ଅବା ଅନ୍ୟାନ୍ୟ କାର୍ଯ୍ୟକଳାପ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଏକ ମାସ ମଧ୍ୟରେ ଅର୍ଥାତ୍ ୧ ଅଗଷ୍ଟ ବିଜ୍ଞପ୍ତି ପ୍ରକାଶ ତାରିଖଠାରୁ ସେପ୍ଟେମ୍ବର ମଧ୍ୟରେ ସେମାନଙ୍କର ଲାଇସେନ୍ସ ସରେଣ୍ଡର କରିବାକୁ ପଡ଼ିବ। ଏନେଇ ଓଡ଼ିଶା ରାଜ୍ୟ ବାର ପରିଷଦ ସମସ୍ତ ବାର ଆସୋସିଏସନ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଆଡ୍‌ଭୋକେଟ୍ ଆଇନ ୧୯୬୧ର ନିୟମ ଅନୁଯାୟୀ ଆଇନଜୀବୀ ଲାଇସେନ୍ସ ପାଇବା ପରେ ଜଣେ ଆଇନଜୀବୀ ଅନ୍ୟ ପେସାରେ ପୂର୍ଣ୍ଣାଙ୍ଗ ରୂପେ କାର୍ଯ୍ୟ କରିବା, ଏପରିକି କେତେକ ସ୍ଥଳରେ ସରକାରୀ ଦପ୍ତରରେ ଚୁକ୍ତିଭିତ୍ତିକ ପୂର୍ଣ୍ଣ ସମୟ ଲାଗି କନସଲଣ୍ଟାଣ୍ଟ୍ ଓ ରିସର୍ଚ୍ଚର ଭାବେ କାର୍ଯ୍ୟ କରିବା ପେସାଗତ ନୈତିକତାର ବିରୁଦ୍ଧାଚରଣ କରୁଛି।

ଏହି ଆଇନଜୀବୀମାନେ ସେମାନଙ୍କର ଲାଇସେନ୍ସ ରାଜ୍ୟ ଆଇନଜୀବୀ ପରିଷଦରେ ସରେଣ୍ଡର କିମ୍ବା ସସ୍‌ପେଣ୍ଡ କରିବାର ନିୟମ ରହିଛି। ମାତ୍ର ଏହି ଆଇନଜୀବୀମାନେ ତାହା ନକରି ନିୟମକୁ ଉଲ୍ଲଂଘନ କରୁଛନ୍ତି। ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଗତ ଏପ୍ରିଲ ମାସ ୧୨ ତାରିଖରେ ପରିଷଦର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବାବଦରେ ବାର ଆସୋସିଏସନଗୁଡ଼ିକୁ ପରିଷଦ ପକ୍ଷରୁ ଚିଠି ଲେଖି ଏଭଳି ଆଇନଜୀବୀମାନଙ୍କୁ ସେମାନଙ୍କ ଲାଇସେନ୍ସ ତୁରନ୍ତ ସରେଣ୍ଡର୍ କିମ୍ବା ସସ୍‌ପେଣ୍ଡ ଲାଗି ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁ ଆଇନଜୀବୀମାନେ ଏହି ନିୟମକୁ ଉଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଫୌଜଦାରି ମୋକଦ୍ଦମା କରାଯିବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ପରିଷଦର ସଦସ୍ୟ ସଚିବ ଯଯାତି କେଶରୀ ସାମନ୍ତସିଂହାର ସମସ୍ତ ବାର ଆସୋସିଏସନ୍‌କୁ ଏନେଇ ଜଣାଇଛନ୍ତି। ଆଇନ ପେସାରେ ପୂର୍ଣ୍ଣ ସମୟ ଦେଇ କାର୍ଯ୍ୟ କରୁଥିବା ଆଇନଜୀବୀମାନେ ଏଭଳି ଆଇନ ଉଲ୍ଲଂଘନ କରୁଥିବା ଆଇନଜୀବୀମାନଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ବାର ଆସୋସିଏସନ କିମ୍ବା ପରିଷଦରେ ଜଣାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ ଶୁକ୍ରବାର ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking