29.1 C
Bhubaneswar
Tuesday, February 17, 2026
Homeଓଡିଶାଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’; ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’; ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଜାରି ରହିଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଇବର ଠକେଇ ପାଇଁ ବ୍ୟବହାର ହେଉଥିବା ‘ବେନାମୀ ବ୍ୟାଙ୍କ ଆକାଉଣ୍ଟ’ (Mule Accounts) ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମଗ୍ର ରାଜ୍ୟରେ ମୋଟ ୩୦୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚ କରାଯାଇଛି। ପୋଲିସ ୧୭ଟି ନୂତନ ସାଇବର ମାମଲା ରୁଜୁ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ବ୍ୟତୀତ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସାଇବର ଅପରାଧରେ ସହାୟତା କରୁଥିବା ୪ ଜଣ ବ୍ୟକ୍ତିଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ଅଭିଯାନରେ କେନ୍ଦୁଝର ଜିଲ୍ଲା ପୋଲିସ ସର୍ବାଧିକ ୨୦୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ସମ୍ବଲପୁର ଜିଲ୍ଲା ପୋଲିସ ୬୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୮ଟି ମାମଲା ରୁଜୁ ସହ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବୌଦ୍ଧ ଜିଲ୍ଲା ପୋଲିସ ୪ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରାଯାଇ ୨ଟି ନୂତନ ମାମଲା ରୁଜୁ ହେବା ସହ ୪ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ସେହିପରି ପୁରୀ ଜିଲ୍ଲା ପୋଲିସ ୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ସେହିପରି ନବରଙ୍ଗପୁର ଜିଲ୍ଲା ପୋଲିସ ବେନାମୀ ଆକାଉଣ୍ଟ ଯାଞ୍ଚ ପରେ ୧ଟି ନୂତନ ସାଇବର ମାମଲା ରୁଜୁ କରିଛି। ଏହି ଅଭିଯାନରେ ଜିଲ୍ଲା ଏସ.ପି. ଏବଂ ଡି.ସି.ପି. ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର ଟିମ୍ ସାମିଲ ହୋଇଥିଲେ। ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ନଷ୍ଟ କରିବା ଏହି ‘ସାଇବର କବଚ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଜନସାଧାରଣଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ସଂକଳ୍ପ ବଦ୍ଧ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking