25.1 C
Bhubaneswar
Thursday, July 4, 2024
Homeଓଡିଶାକଳିଙ୍ଗନଗରରେ ଆରମ୍ଭ ହେଲା ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ନୂଆ ଗ୍ରାସରୁଟ୍ ସେଣ୍ଟର

କଳିଙ୍ଗନଗରରେ ଆରମ୍ଭ ହେଲା ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ନୂଆ ଗ୍ରାସରୁଟ୍ ସେଣ୍ଟର

ଯାଜପୁର : ଯାଜପୁର ଜିଲ୍ଲା ଡୁବୁରି ନିକଟସ୍ଥ ଗୋବରଘାଟି ଏସଏସଡି ହାଇସ୍କୁଲରେ ମଙ୍ଗଳବାର ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟରର ୩୧ତମ ଗ୍ରାସରୁଟ୍ ସେଣ୍ଟର ଉଦଘାଟିତ ହୋଇଯାଇଛି । ତୃଣମୂଳ ସ୍ତରରେ ହକି ପ୍ରତିଭା ସୃଷ୍ଟି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଉଦ୍‌ଘାଟନୀ ଉତ୍ସବରେ ଟାଟା ଷ୍ଟିଲ୍ କଳିଙ୍ଗନଗର(ଟିଏସକେ)ର ଉପାଧ୍ୟକ୍ଷ ରାଜୀବ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ର ଏମ୍‌ଡି ଓ ସିଇଓ ସୁଧୀର କୁମାର ମେହେତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଟିଏସକେର ଉପାଧ୍ୟକ୍ଷ (ଅପରେସନ୍‌) ରାଜୀବ କୁମାର କହିଛନ୍ତି ଯେ ଗ୍ରାମାଞ୍ଚଳରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପର ଅଂଶ ହୋଇ ଆମେ ଗର୍ବିତ । ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ହକି ପ୍ରତି ଯେଉଁ ଉତ୍ସାହ ରହିଛି, ତାହା ଅତୁଳନୀୟ । ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଏହି ଗ୍ରାସରୁଟ୍ ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅଧିକରୁ ଅଧିକ ଖେଳାଳି ଏହି ସେଣ୍ଟରରୁ ଉପକୃତ ହୋଇପାରିବେ ।
ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱରର ପ୍ରକଳ୍ପ ନିର୍ଦେଶକ ତଥା ଟାଟା ଷ୍ଟିଲର କ୍ରୀଡ଼ା (ଓଡ଼ିଶା) ମୁଖ୍ୟ ରାଜୀବ ସେଠ ତାଙ୍କ ଅଭିଭାଷଣରେ କହିଲେ, ଆଗାମୀ ଦିନରେ ଅଧିକ ଖେଳାଳିଙ୍କୁ ରାଜ୍ୟ ସରକାର ଏବଂ ହକି ଏଚ୍‌ପିସିର କ୍ରୀଡ଼ା ହଷ୍ଟେଲ କୁ ଆଣିବା ଆମର ଲକ୍ଷ୍ୟ । ଏହି ଗ୍ରାସରୁଟ୍ ସେଣ୍ଟରରୁ ଖେଳାଳିମାନେ ସିଧାସଳଖ ହକି ହାଇପରଫର୍ମାନ୍ସ ସେଣ୍ଟରକୁ ପ୍ରବେଶ କରିପାରିବେ । ଆଗାମୀ ଦିନରେ ଏହି ଗ୍ରାସରୁଟ୍ ସେଣ୍ଟରରୁ ଭବିଷ୍ୟତର ଅନେକ ହକି ଖେଳାଳି ବାହାରିବେ ବୋଲି କହିଥିଲେ ।
ଅନ୍ୟ ପ୍ରମୁଖ ଅତିଥିଙ୍କ ମଧ୍ୟରେ ଟିଏସକେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ମୁକୁଲ ଚୌଧୁରୀ, ଟାଟା ଷ୍ଟିଲ କଳିଙ୍ଗନଗର ୱାର୍କର୍ସ ୟୁନିୟନ ସଭାପତି, ରବୀନ୍ଦ୍ର ଜାମୁଡା ଓ ଉପାଧ୍ୟକ୍ଷ ଜୟରାମ ମହାନ୍ତ, ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସ) ସମେତ ଟାଟା ଷ୍ଟିଲ କଳିଙ୍ଗନଗର, ଟାଟା ଷ୍ଟିଲ ଫାଉଣ୍ଡେସସନର ଅନ୍ୟ ବରିଷ୍ଠ ଅଧିକାରୀ, ଏନ୍‌ଆଇଏନ୍‌ଏଲ୍‌ର ବରିଷ୍ଠ ଅଧିକାରୀ ଓ ଟାଟା ଷ୍ଟିଲ୍ କଳିଙ୍ଗନଗର ଶ୍ରମିକ ସଂଘର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଓଡ଼ିଶା ନାଭାଲ ଟାଟା ହକି ଏଚପିସି ଟାଟା ଷ୍ଟିଲ ଏବଂ ଟାଟା ଟ୍ରଷ୍ଟ, ଓଡ଼ିଶା ସରକାରଙ୍କ ସହଭାଗିତାରେ ୨୦୧୯ରେ ଆରମ୍ଭ ହୋଇଥିବା ଏକ ଭଲ ପଦକ୍ଷେପ । ଏହା ଓଡ଼ିଶାର ୧୩ଟି ଜିଲ୍ଲାର ୩୧ଟି ଗ୍ରାସରୁଟ୍ ସେଣ୍ଟରରୁ ୬୧ ଜଣ ଅଭିଜ୍ଞ ପ୍ରଶିକ୍ଷକଙ୍କ ସହାୟତାରେ ବାଳିକା ଓ ବାଳକ ବର୍ଗରେ ୧୭ ବର୍ଷରୁ କମ୍ ବୟସ ବର୍ଗର ୩୫୦୦ରୁ ଅଧିକ ଯୁବ ଖେଳାଳିଙ୍କ ସହିତ ଯୋଡି ହୋଇ ରହିଛି ।
ତୃଣମୂଳ ସ୍ତରର ଏହି କାର୍ଯ୍ୟକ୍ରମ ୬୦:୪୦ ଲିଙ୍ଗ ଅନୁପାତ ବଜାୟ ରଖି ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟ ତଥା ଓଡ଼ିଶା ନାଭାଲ ଟାଟା ହକି ଏଚପିସି ପାଇଁ ଗୌରବ ଆଣିପାରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ଦ୍ୱାରା ପ୍ରଶିକ୍ଷିତ ୬୦ ଜଣ ବୈଷୟିକ ଅଧିକାରୀ ଏବେ ରାଜ୍ୟସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଜାତୀୟସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରୁଛନ୍ତି ।
ଓଡ଼ିଶା ଟାଟା ହକି ଅଭିଯାନର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରୁ ନୂତନ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବା । କଳିଙ୍ଗନଗରରେ ଏହି ନୂତନ ଗ୍ରାସରୁଟ୍ ସେଣ୍ଟର ଏକ ସମୃଦ୍ଧ ହକି ଇକୋସିଷ୍ଟମ ସୃଷ୍ଟି କରିବା ଏବଂ ଆଗାମୀ ପିଢ଼ିର ଖେଳାଳିଙ୍କୁ ପ୍ରେରଣା ଦେବା ପାଇଁ ଓଡ଼ିଶାର ଲକ୍ଷ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking