ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଜାନୁଆରୀ ୭ ଓ ୮ ତାରିଖରେ ଅନୁଷ୍ଠିତ ପରିବହନ ବିକାଶ ପରିଷଦ (TDC) ବୈଠକରେ ଓଡ଼ିଶା ସରକାର ନିଜର ସଶକ୍ତ ଓ ପ୍ରଭାବଶାଳୀ ଉପସ୍ଥିତି ଜାହିର କରିଛନ୍ତି। ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH) ଦ୍ୱାରା ଆୟୋଜିତ ଏହି ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିବହନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବୈଠକରେ ଓଡ଼ିଶାର ସାମଗ୍ରିକ ପରିବହନ ଏବଂ ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ର ଉପସ୍ଥାପନ କରିଥିଲେ। ସଡ଼କ ସୁରକ୍ଷା, ଡିଜିଟାଲ ପରିବହନ ଶାସନ, ଚାଳକ ପ୍ରଶିକ୍ଷଣ ଏବଂ ପ୍ରଯୁକ୍ତିଭିତ୍ତିକ ପ୍ରବର୍ତ୍ତନ କ୍ଷେତ୍ରରେ ରାଜ୍ୟର ଅଗ୍ରଣୀ ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଥିଲେ। ଓଡ଼ିଶା ପ୍ରତିନିଧି ଦଳର ସଦସ୍ୟ ଭାବେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଓଡ଼ିଶାର ସଂସ୍କାରମୁଖୀ ଆଭିମୁଖ୍ୟ ଏବଂ ସର୍ବୋତ୍ତମ କାର୍ଯ୍ୟଶୈଳୀ ଜାତୀୟ ସ୍ତରରେ ବ୍ୟାପକ ପ୍ରଶଂସା ସାଉଁଟିଛି।
ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦବିହୀନ ଚିକିତ୍ସା ସୁବିଧା ଯୋଗାଇବାକୁ ଥିବା ‘PM-RAHAT’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ଶତ ପ୍ରତିଶତ ପ୍ରସ୍ତୁତ ଥିବା ବୈଠକରେ ଜଣାଇଛି। ପୁଲିସ, ସ୍ୱାସ୍ଥ୍ୟ ଏବଂ ପରିବହନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ e-DAR ଏବଂ CCTNS ର ଦ୍ୱିମୁଖୀ ଏକୀକରଣ (Two-way integration) ହାସଲ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି। NIC, IIT ମାଡ୍ରାସ ଏବଂ MoRTH ର ମିଳିତ ସହଯୋଗରେ ହାସଲ ହୋଇଥିବା ଏହି ସଫଳତାକୁ ଉଚ୍ଚ ପ୍ରଶଂସା କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଓଡ଼ିଶାର ପ୍ରମୁଖ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଯଥା- ସୁବାହକ, ଆମ ସୁବାହକ, ସୁବାହକ ସୁବିଧା, ରକ୍ଷକ ଏବଂ ଜୁନିୟର ରକ୍ଷକକୁ ପ୍ରଶଂସା କରିଛନ୍ତି। ଓଡ଼ିଶାର ସଫଳ ଗୋଷ୍ଠୀଭିତ୍ତିକ ପଦକ୍ଷେପଗୁଡ଼ିକରୁ ଅନୁପ୍ରାଣିତ ହୋଇ ଜାତୀୟ ସ୍ତରରେ ‘ସଡ଼କ ସୁରକ୍ଷା ମିତ୍ର’ କାର୍ଯ୍ୟକ୍ରମ ପ୍ରସ୍ତାବ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି।
କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ଦୁଇଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (IDTR) ପାଇଁ ଯୋଗ୍ୟ ହୋଇଥିଲେ ସୁଦ୍ଧା, ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ଚାରୋଟି IDTR ପ୍ରତିଷ୍ଠା କରିସାରିଛନ୍ତି। MoRTH ଏହି କେନ୍ଦ୍ରଗୁଡ଼ିକୁ ଦେଶର ଅନ୍ୟତମ ଶ୍ରେଷ୍ଠ କେନ୍ଦ୍ର ଭାବେ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ଅଧିକ କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଚାର କରାଯିବ ବୋଲି ସଙ୍କେତ ଦେଇଛନ୍ତି। ଓଡ଼ିଶାର ବୈଷୟିକ ଦକ୍ଷତା ଏବଂ ସଂସ୍କାରଭିତ୍ତିକ ଶାସନ ପ୍ରଣାଳୀକୁ ସ୍ୱୀକୃତି ଦେଇ MoRTH ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ ସଚିବ କମିଟିରେ ଓଡ଼ିଶାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି କମିଟି ସମଗ୍ର ଦେଶ ପାଇଁ ପରିବହନ ନିୟମ ଓ ସଂଶୋଧନ ପ୍ରସ୍ତୁତ କରିବ। ଏଥିରେ ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ (ATS), ଭେହିକିଲ ଲୋକେସନ ଟ୍ରାକିଂ ଡିଭାଇସ (VLTD), PUCC, ପରମିଟ୍ ସଂସ୍କାର, ଲାଇସେନ୍ସ ଡି-ଡୁପ୍ଲିକେସନ ଏବଂ ମୋଟର ଯାନ ଆଇନ ଓ CMVR ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ସାମିଲ ରହିଛି।
VLTD ଏବଂ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (HSRP) ର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ପ୍ରବର୍ତ୍ତନ ଓ ସଚେତନତାକୁ ଅଧିକ କଡ଼ାକଡ଼ି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ଫେସଲେସ୍ (Faceless) ପରିବହନ ସେବା କ୍ଷେତ୍ରରେ ଅଗ୍ରଗତିକୁ ମଧ୍ୟ ପ୍ରଶଂସା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୮ଟି ମଧ୍ୟରୁ ୩୪ଟି ଆଧାର-ସଂଯୁକ୍ତ ସେବା କାର୍ଯ୍ୟକାରୀ ହୋଇସାରିଛି। ସେହିପରି ସ୍ୱେଚ୍ଛାକୃତ ଯାନବାହନ ଆଧୁନିକୀକରଣ କାର୍ଯ୍ୟକ୍ରମ (VVMP) କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଅନୁପାଳନକୁ ପ୍ରଶଂସା କରାଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ମନିଟରିଂ ପାଇଁ ‘ଇଣ୍ଟିଗ୍ରେଟେଡ୍ ରୋଡ୍ ସେଫ୍ଟି ଡ୍ୟାସବୋର୍ଡ’ ଏବଂ ଆଇଆଇଟି ଭୁବନେଶ୍ୱର ସହଯୋଗରେ ବିକଶିତ ‘ଘାଟି ରୋଡ୍ ୱାର୍ଣ୍ଣିଂ ସିଷ୍ଟମ୍’ ପ୍ରଦର୍ଶିତ କରାଯାଇଥିଲା। ସଡ଼କ ସୁରକ୍ଷା, ପରିବହନର ଡିଜିଟାଇଜେସନ ଏବଂ ସୁଶାସନ କ୍ଷେତ୍ରରେ ଓଡ଼ିଶା ଯେ ଏକ ଅଗ୍ରଣୀ ରାଜ୍ୟ, ତାହା ପରିବହନ ବିକାଶ ପରିଷଦ ବୈଠକରେ ପୁନଃ ପ୍ରତିପାଦିତ ହୋଇଛି।









