20.1 C
Bhubaneswar
Wednesday, December 31, 2025
Homeଓଡିଶାବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡିଶା ଲଜ୍ଜିତ ଓ
ନିନ୍ଦିତ ହେଉଛି: ବିଜେଡି

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡିଶା ଲଜ୍ଜିତ ଓ
ନିନ୍ଦିତ ହେଉଛି: ବିଜେଡି

ଭୁବନେଶ୍ୱର: ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହିତ ଓଡିଶା ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ ହୋଇଛି ବୋଲି ବିଜୁ ଜନତା ଦଳ କହିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟାରେ ଏହି ୧୮ ମାସରେ ଅହେତୁକ ବୃଦ୍ଧି ପାଇଛି ବୋଲି ବିଜେଡି ତଥ୍ୟ ଉପସ୍ଥାପନ କରିଛି ।ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଆଇନ ଶୃଙ୍ଖଳା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଏକ ଲମ୍ୱା ତାଲିକା ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।ଡ଼ ସସ୍ମିତ ପାତ୍ର କହିଥିଲେ, ଗତ ୧୮ ମାସର ବିଜେପି ଶାସନରେ ଓଡିଶା କେବଳ ନିଜ ରାଜ୍ୟ ଭିତରେ ନୁହେଁ ବରଂ ଜାତୀୟ ସ୍ତରରେ ଗୋଟିଏ କ୍ଷେତ୍ରରେ ନିନ୍ଦା ଓ ଲଜ୍ଜ୍ୟା ପାଇଛି, ଯାହା ହେଉଛି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜୁନ ୨୦୨୪ରେ ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ମୂଳଦୁଆ ପଡିଥିଲା, ମାନ୍ୟବର ରାଜ୍ୟପାଳଙ୍କ ପୁଅ ଦ୍ୱାରା । ପୁରୀ ସ୍ଥିତ ରାଜ୍ୟପାଳଙ୍କ ବାସଭବନ ଭିତରେ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ସହିତ ଜୋତାରେ ଛେପ ପକାଇ ତାଙ୍କୁ ଚାଟିବାକୁ ବାଧ୍ୟ କରାଯାଇଥିଲା । ଏହି ନିନ୍ଦନୀୟ ଘଟଣାକୁ ରାଜ୍ୟ ବିଜେପି ସରକାର ଚାପି ଦେଇଥିଲେ । ସେହିପରି ବିଜେପି କର୍ମୀ ମାନଙ୍କ ଦ୍ୱାରା ବିଏମ୍ସି କମିସନରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାଟି ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ନ୍ୟାୟ ପ୍ରଦାନ କରିବାରେ ବିଜେପି ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତ ହୋଇ ଚାଲିଛି । ଗତ ୧୮ ମାସରେ ରାଜ୍ୟରେ ୪୦,୯୪୭ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ଏହି ସଂଖ୍ୟାରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା କୁହନ୍ତୁ କି ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା କୁହନ୍ତୁ ବା ବାଲିହରଚଣ୍ଡୀ ଗଣଦୁଷ୍କର୍ମ ମାମଲା ହେଉ କି ଧଉଳି ଗଣଦୁଷ୍କର୍ମ ମାମଲା ହେଉ, ଏହି ଘଟଣା ସବୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇ ଓଡିଶା ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଛି । ଏହାଛଡା ଅପରାଧ କ୍ଷେତ୍ରରେ ଓଡିଶା ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଭାବେ ଚିହ୍ନିତ ହୋଇ ଏକ ଅଲୋଡ଼ା କୀର୍ତ୍ତିମାନ ହାସଲ କରିଛି ।

ଡ଼ ପାତ୍ର କହିଥିଲେ, ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନରହିଲେ ରାଜ୍ୟର ବିକାଶ ଉପରେ ବାଧକ ହୋଇଥାଏ । ଏହା ମଧ୍ୟ ଗତ ୧୮ ମାସରେ ଦେଖିବାକୁ ମିଳିଛି । ଗୁରୁ ଖଣିଜ ସମ୍ପଦରୁ ରାଜ୍ୟକୁ ମିଳୁଥିବା ରାଜସ୍ୱ ଯଥାକ୍ରମେ ୫୦,୦୦୦ କୋଟିରୁ ୩୪,୦୦୦ କୋଟିକୁ ଖସିଆସିଛି । ସେହିପରି ଲଘୁ ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟିକୁ ଖସିଆସିଛି । ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି ପାଇଁ ହେଉଥିବା ପରୀକ୍ଷା ଗୁଡିକ ଠିକ ଭାବେ ହୋଇପାରୁନାହିଁ । ଗତ ୧୮ ମାସରେ ୨୦ଟି ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା ଦୁର୍ନୀତିକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ଦେବା ପାଇଁ ବାଧ୍ୟ ହୋଇଥିଲେ । ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି, କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ରଖିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।ଡ଼ ଲେନିନ ମହାନ୍ତି କହିଥିଲେ, ଗତ ଏକ ବର୍ଷଟି ଗଣଦୁଷ୍କର୍ମର ବର୍ଷ ହୋଇଛି । ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ମହିଳା ମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଅନୁଭବ ହେଉଛି । ଏଥିଯୋଗୁଁ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ଅହେତୁକ ହ୍ରାସ ପାଇଛି । ଏକାଧିକ ପର୍ଯ୍ୟଟନସ୍ଥଳୀରେ ଗଣଦୁଷ୍କର୍ମ ଘଟଣା ଘଟିବା ପରେ ଆମେରିକା ଏକ ଟ୍ରାଭେଲ ଆଡ଼ଭାଇଜରୀ ଜାରି କରି ଓଡିଶା ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ ବୋଲି କହିବା ସହିତ ଏଠାକୁ ଆସିବାକୁ ଆମେରିକୀୟ ନାଗରିକ ମାନଙ୍କୁ ବାରଣ କରିଥିଲା । ଏହାଦ୍ୱାରା ଓଡିଶା ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଥିଲା । ସେହିପରି ବିଗତ ବର୍ଷଟି ମଧ୍ୟ ଦଙ୍ଗାର ବର୍ଷ ହୋଇଛି । ରାଜ୍ୟ ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ କଟକ ଭଳି ଭାଇଚାରାର ସହରରେ ଦଙ୍ଗାର ଅଲୋଡ଼ା କୀର୍ତ୍ତିମାନ ସ୍ଥାପିତ ହେଲା । ଆଶା କରିବା ଇଂରାଜୀ ନୂତନ ବର୍ଷ ଠାରୁ ରାଜ୍ୟରେ ଶାନ୍ତି ଫେରି ଆସୁ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସୁ, ରାଜ୍ୟବାସୀ ନିଜକୁ ସୁରକ୍ଷିତ ମଣନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking