ଭୁବନେଶ୍ୱର: ଓଡ଼ିଶା ମାଟି ତଳେ ହୀରାର ଭଣ୍ଡାର । ନୂଆପଡାରେ ହୀରା ଖଣିର ସନ୍ଧାନ ମିଳିଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ । ନୂଆପଡ଼ା ଜିଲ୍ଲାର ନୂଆପଡା ବ୍ଲକ ଅନ୍ତର୍ଗତ କାଲମିଦାଦର ଠାରେ ହୀରାପଥର ଥିବାର ଚିହ୍ନଟ ହୋଇଛି । ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ୟ୍ୟ ଚାଲୁଅଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି । ଏନେଇ ଗୃହରେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି ମୋତି ଖଣି ଚିହ୍ନଟ କରାଯାଇ ନାହିଁ । ରାଜ୍ୟରେ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି, ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି ଓ କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି ।










