14.1 C
Bhubaneswar
Friday, December 19, 2025
Homeଓଡିଶାଭାରତରୁ ଭିଏତନାମକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ...

ଭାରତରୁ ଭିଏତନାମକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଣିବା ପାଇଁ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ ଓଡିଶାର ରାଜ୍ୟପାଳ

ଭୁବନେଶ୍ୱର : ଆଗାମୀ ଜୁନ ୨ ତାରିଖରେ ଭାରତରୁ ଭିଏତନାମକୁ ନିଆଯାଇଥିବା ଭଗବାନ ବୁଦ୍ଧଙ୍କର ପବିତ୍ର ଅବଶେଷ ଆଣିବା ପାଇଁ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି। ଏହି ଉଦ୍ଦେଶ୍ୟରେ ରାଜ୍ୟପାଳ ଶୁକ୍ରବାର ନୂଆଦିଲ୍ଲୀରୁ ଭିଏତନାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।ବିଶ୍ୱବ୍ୟାପୀ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଗଭୀର ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଥିବା ପବିତ୍ର ଅବଶେଷଗୁଡ଼ିକୁ ଭାରତରୁ ଭିଏତନାମକୁ ଜାତିସଂଘ ଭେଶକ ଦିବସ ଉତ୍ସବ ଅବସରରେ ପ୍ରଦର୍ଶନ ପାଇଁ ନିଆଯାଇଥିଲା, ଯାହା ପ୍ରତିବର୍ଷ ମେ’ ମାସ ପୂର୍ଣ୍ଣିମାରେ ଭଗବାନ ବୁଦ୍ଧଙ୍କ ଜନ୍ମ, ଜ୍ଞାନ ଏବଂ ଇହଲୀଳା ସମ୍ବରଣକୁ ସ୍ମରଣ କରିବା ପାଇଁ ପାଳନ କରାଯାଏ। ଏହି ଅବଶେଷଗୁଡ଼ିକ ୨୦୨୫ ମଇ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଭେଶକ ଉତ୍ସବ ଅବସରରେ ଭିଏତନାମରେ ପ୍ରଦର୍ଶିତ ହୋଇଥିଲା।

ବର୍ତମାନ ଏହା ସେହି ଦେଶରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହେଉଛି। ଇଂଟରନ୍ୟାସନାଲ ବୁଦ୍ଧିଷ୍ଟ କନ୍‌ଫିଡେରେସନ ସହଯୋଗରେ ମହାବୋଧି ସୋସାଇଟି ଅଫ ଇଣ୍ଡିଆ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ୍ ମ୍ୟୁଜିୟମ୍ ଦ୍ୱାରା ଏହି ଅବଶେଷଗୁଡ଼ିକ ଯୋଗାଇ ଦିଆଯାଇଛି। ଭଗବାନ ବୁଦ୍ଧ ତାଙ୍କର ଧର୍ମ ପ୍ରଚାର କରିଥିବା ପ୍ରଥମ ସ୍ଥାନ ସାରନାଥରୁ ଅବଶେଷକୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭିଏତନାମକୁ ନିଆଯାଇଥିଲା। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜଜୁ, ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ କାଣ୍ଡୁଲା ଦୁର୍ଗେଶ, ପୂଜ୍ୟ ଭିକ୍ଷୁ ଏବଂ ବରିଷ୍ଠ ଭାରତୀୟ ଅଧିକାରୀମାନେ ପବିତ୍ର ଅବଶେଷ ସହ ଯାଇଥିଲେ। ଏତଦ୍‌ବ୍ୟତୀତ ଏକ ଭାରତୀୟ ସାଂସ୍କୃତିକ ଦଳ ଶାକ୍ୟ ମୁନି ବୁଦ୍ଧଙ୍କ ଜୀବନ ଏବଂ ଶିକ୍ଷାକୁ ଚିତ୍ରଣ କରି ନୃତ୍ୟ ନାଟକ “ଗୌତମ ବୁଦ୍ଧଙ୍କ ଜୀବନ ଯାତ୍ରା” ପରିବେଷଣ ପାଇଁ ଭିଏତନାମ ଯାତ୍ରା କରିଥିଲେ।

ଚଳିତ ମଇ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ହୋ ଚି ମିନ୍ ସିଟି, ତାଏ ନିନ୍‌, ହାନୋଇ ଏବଂ ଅନ୍ୟାନ୍ୟ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜୁନ୍ ୨ ତାରିଖ ଦିନ ପ୍ରଦର୍ଶନୀ ଶେଷ ହେବା ପରେ ଡା ନାଙ୍ଗ ସିଟିରୁ ପବିତ୍ର ଅବଶେଷକୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଅଣାଯିବ। ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ଫେରାଇ ଆଣିବା ପାଇଁ ପ୍ରତିନିଧିମଣ୍ଡଳୀର ଭିଏତନାମ ଯାତ୍ରା ପୂର୍ବରୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି ଯେ, “ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ସହିତ ଭାରତକୁ ଫେରିବା ଏକ ମହାନ ସମ୍ମାନର ବିଷୟ। ଏହି ଆଧ୍ୟାତ୍ମିକ ଯାତ୍ରା ଭିଏତନାମ ସହିତ ଆମର ସହଭାଗୀ ସଭ୍ୟତା ଐତିହ୍ୟକୁ ପ୍ରତିଫଳିତ କରେ । ଭାରତ ଭିଏତନାମ ସହିତ ଥିବା ଏହାର ସମୃଦ୍ଧ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସଂପର୍କକୁ ଗଭୀର ଭାବେ ଗୁୁରୁତ୍ୱ ଦେଇଥାଏ ବୋଲି ରାଜ୍ୟପାଳ କହିବା ସହିତ ତାଙ୍କର ଗସ୍ତ ସମୟରେ ଆୟୋଜିତ କାର୍ଯ୍ୟକ୍ରମ ସହିତ ଭଗବାନ ବୁଦ୍ଧଙ୍କର ପବିତ୍ର ଅବଶେଷ ଭାରତ ଫେରିବା ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ସ୍ଥାୟୀ ବନ୍ଧୁତାକୁ ସୁଦୃଢ଼ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking