26.1 C
Bhubaneswar
Tuesday, March 24, 2026
Homeଓଡିଶାବିକଶିତ ଭାରତ ପାଇଁ ମହିଳା ସଶକ୍ତିକରଣ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱ

ବିକଶିତ ଭାରତ ପାଇଁ ମହିଳା ସଶକ୍ତିକରଣ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଠାରେ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତିର ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) କୁ ସୁଧ ରିହାତି ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଏବଂ ମହିଳା ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା।

ଏହି ସମାବେଶକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିକାଶ ଯାତ୍ରାରେ ମହିଳାମାନେ ଆଗଧାଡ଼ିରେ ଅଛନ୍ତି । ଆଗରୁ ମହିଳାମାନଙ୍କର ବିକାଶ କିପରି କରାଯିବ ଚିନ୍ତା କରାଯାଉଥିବା ବେଳେ ଏବେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ମହିଳାମାନେ କର୍ଣ୍ଣଧାର ସାଜିଛନ୍ତି । ସ୍ୱୟଂ-ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆର୍ଥିକ ରୂପେ ଦୃତ ଅଭିବୃଦ୍ଧି କରିବା ସହିତ ସଶକ୍ତ ଓ ସ୍ଵାବଲମ୍ବୀ ହେବାଦ୍ଵାରା ଆଗାମୀ ଦିନର ପରିକଳ୍ପିତ ବିକଶିତ ଓଡ଼ିଶାର ମୂଳଦୁଆ ସୁଦୃଢ ହେଉଅଛି । ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ପ୍ରତ୍ୟେକ ମହିଳା ଯେପରି ନିଜ ପରିବାର ସମସ୍ତ ଦାୟିତ୍ବ ନେଉଛନ୍ତି, ସେହିପରି ସରକାରଙ୍କ ଯୋଜନା ମାଧ୍ୟମରେ ମିଳୁଥିବା ଆର୍ଥିକ ସମ୍ବଳର ସୁବିନିଯୋଗ ତଥା ବ୍ୟାପାର ଲାଭାର୍ଥର ପୁନଃ ବିନିଯୋଗ କରିବା ଆବଶ୍ୟକ । ସଶକ୍ତ ହେବାପାଇଁ ନିଜକୁ ଆର୍ଥିକ ରୂପେ ସାକ୍ଷର କରି ଆଜିକାଲିର ବିଭିନ୍ନ ପ୍ରକାର ସାଇବର ଠକେଇ ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ସେ ସ୍ୱୟଂ-ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, ଆଭାସୀ ମାଧ୍ୟମରେ କୋରାପୁଟ, ବାଲେଶ୍ୱର, କଳାହାଣ୍ଡି, ଗଞ୍ଜାମ ଏବଂ କେନ୍ଦୁଝର ଭଳି ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟା ଓ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ କାର୍ଯ୍ୟକର୍ମରେ ଉପସ୍ଥିତ ଥିବା ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ତଥା ତୃଣମୂଳ ସ୍ତରରେ ଯୋଜନାର କାର୍ଯ୍ୟ କର୍ତ୍ତା ମାନଙ୍କ ସହ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ଏବଂ ଗୋଷ୍ଠୀଗୁଡ଼ିକ ନିକଟରେ ସୁଧ ରିହାତି ସୁବିଧା ସଫଳତାର ସହ ପହଞ୍ଚିଛି କି ନାହିଁ, ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ରାଜ୍ୟର ୨,୬୭,୧୩୧ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କର ବ୍ୟାଙ୍କ ଋଣ ଉପରେ ୨୦୮.୩୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯାଇଛି। ଏଥି ସହିତ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ସମୁଦାୟ ୩,୮୦,୭୬୩ ସ୍ଵୟଂ-ସହାୟକ ଗୋଷ୍ଠୀଙ୍କୁ ୭୨୪. ୩୯ କୋଟି ଟଙ୍କାର ବ୍ୟାଙ୍କ ଋଣ ସୁଧ ଫେରସ୍ତ କରାଯାଇଛି।ଆଜିର କାର୍ଯ୍ୟକ୍ରମରେ ଅବସରରେ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକୁ ମଜବୁତ କରିବା ପାଇଁ ବିଭିନ୍ନ ବର୍ଗରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ମୋଟ ୩,୫୧୦ଟି ଏସଏଚଜିକୁ ୬.୪୩ କୋଟି ଟଙ୍କା ରିଭଲଭିଂ ଫଣ୍ଡ ଭାବରେ ପ୍ରଦାନ କରାଯାଇଥିବା ବେଳେ, ୧୮୦ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ (GPLF) କୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ ଭାବରେ ୫୭.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ୧୦୧ଟି କ୍ଲଷ୍ଟର ସ୍ତରୀୟ ମହାସଂଘ (CLF) କୁ ଭଲନରାବିଲିଟି ରିଡକ୍ସନ ଫଣ୍ଡ ଅଧୀନରେ ୧.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ମାନସୀ ନିମ୍ଭାଲ, ଯୁଗ୍ମ ସଚିବ ମମତା ବି, ଅତିରିକ୍ତ ସଚିବ ଜ୍ୟୋତି ଶଙ୍କର ମହାପାତ୍ର ଏବଂ ୟୁକୋ ବ୍ୟାଙ୍କର ସାଧାରଣ ପରିଚାଳକ ଭଗବତ ସିଂ ଭକୁନୀଙ୍କ ସମେତ ମିଶନ ଶକ୍ତି ଏବଂ ସଂଶ୍ଳିଷ୍ଟ ଅନୁଷ୍ଠାନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାସ୍ତରରେ ବହୁ ସଂଖ୍ୟାରେ ସ୍ୱୟଂ-ସହାୟକ ଗୋଷ୍ଠୀ ସଦସ୍ୟା, କାର୍ଯ୍ୟକାରିଣୀ କମିଟିର କର୍ମକର୍ତ୍ତା ସମେତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ମିଶନ ଶକ୍ତି ବିଭାଗର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ, ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ଅନ୍ୟାନ୍ୟ ଅଧିକାରୀଗଣ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking