19.1 C
Bhubaneswar
Friday, December 19, 2025
Homeଓଡିଶାକ୍ୟୋର ଇଣ୍ଡିଆ ଟ୍ରଷ୍ଟ ସହ ଓଡିଶା ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ

କ୍ୟୋର ଇଣ୍ଡିଆ ଟ୍ରଷ୍ଟ ସହ ଓଡିଶା ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:  ରାଜ୍ୟ ସରକାର କ୍ୟୋର ଇଣ୍ଡିଆ ଟ୍ରଷ୍ଟ ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରି କ୍ଲବଫୁଟ ଅଭିଯାନକୁ ଆଉ ଦୁଇବର୍ଷ ସମ୍ପ୍ରସାରିତ କରିଛନ୍ତି । କ୍ଲବଫୁଟ ଦ୍ୱାରା ପ୍ରଭାବିତ ହେଉଥିବା ନବଜାତ ଶିଶୁମାନଙ୍କ ସମ୍ପୂର୍ଣ ମାଗଣା ଓ ଉତ୍ତମ ଚିକିତ୍ସା ଏହି ଚୁକ୍ତିନାମାର ପ୍ରଧାନ ଆଭିମୁଖ୍ୟ ଅଟେ । “କ୍ଲବଫୁଟ କ୍ଷେତ୍ରରେ ପ୍ରାରମ୍ଭିକ ଚିକିତ୍ସା ଅର୍ଥାତ ପ୍ରଥମ ଏକ/ଦୁଇ ମାସ ନବଜାତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିତାମାତାମାନେ ନବଜାତ ଶିଶୁ କ୍ଲବଫୁଟରେ ଆକ୍ରାନ୍ତ ହୋଇଥିବା ଜାଣିବା କ୍ଷଣି ତୁରନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ସହଯୋଗୀଙ୍କ ସାହାଯ୍ୟ ନେଲେ ଆମେ କ୍ଲବଫୁଟକୁ ସମ୍ପୂର୍ଣ୍ଣ ପରାହତ କରିପାରିବା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଶାବ୍ୟକ୍ତ କରିଛନ୍ତି । କ୍ୟୁର ଇଣ୍ଡିଆ ଟ୍ରଷ୍ଟ ବିନା ଦେୟରେ ଏହି ସେବା ଯୋଗାଉଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଟ୍ରଷ୍ଟକୁ ସାଧୁବାଦ ଜ୍ଞାପନ କରିବା ସହ ରାଜ୍ୟବାସୀ ଏହି ଚିକିତ୍ସା ସୁଯୋଗକୁ ପୂର୍ଣ୍ଣମାତ୍ରାରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି । “କ୍ଲବଫୁଟର ଚିକିତ୍ସା ପାଇଁ ଅସ୍ତ୍ରୋପଚାରର ବିଶେଷ ଆବଶ୍ୟକତା ନାହିଁ । ଟ୍ରଷ୍ଟ ଏହାର ଉପଚାର ପାଇଁ ୨୨ ଆକାରର ସ୍ୱତନ୍ତ୍ର ଜୋତା ପ୍ରସ୍ତୁତ କରିଛି ଯାହାକୁ ଶିଶୁମାନେ ରାତିରେ ଶୋଇଲାବେଳେ ବ୍ୟବହାର କରିପାରିବେ । ବର୍ତ୍ତମାନ କ୍ଲବଫୁଟ ଚିକିତ୍ସାର ସଫଳତା ହାର ପାଖାପାଖି ୫୦ ପ୍ରତିଶତ ଅଟେ ସରକାରଙ୍କ ନିରନ୍ତର ସହଯୋଗ ଦ୍ୱାରା ଆସନ୍ତା କିଛି ବର୍ଷ ମଧ୍ୟରେ ସଫଳତା ହାରକୁ ଶତ ପ୍ରତିଶତରେ ପହଞ୍ଚାଯାଇ ପାରିବ” ବୋଲି ଟ୍ରଷ୍ଟର ନିର୍ଦ୍ଦେଶକ ଡା ସନ୍ତୋଷ ଜର୍ଜ ପ୍ରକାଶ କରିଛନ୍ତି ।

ଚୁକ୍ତିନାମାର ମୁଖ୍ୟ ବୈଶିଷ୍ଟ୍ୟ :
* ସାରା ରାଜ୍ୟରେ ଚିକିତ୍ସା ସୁବିଧା : ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରି ଏହି କାର୍ଯ୍ୟକ୍ରମକୁ ରାଜ୍ୟର କୋଣଅନୁକୋଣକୁ ବିସ୍ତାର କରିବାକୁ ଯୋଜନା କରିଛନ୍ତି ।
* ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ: ପୋନସେଟୀ ପଦ୍ଧତି ମାଧ୍ୟମରେ ସ୍ୱାସ୍ଥ୍ୟ ସହଯୋଗୀ ଓ ଆଶା କର୍ମୀଙ୍କୁ କ୍ଲବଫୁଟର ସଂଶୋଧନ ପାଇଁ ଅଣ-ସର୍ଜିକାଲ୍ କୌଶଳ ସମ୍ବନ୍ଧରେ ବ୍ୟାପକ ପ୍ରଶିକ୍ଷଣ ।
* ମାଗଣା ଚିକିତ୍ସା ସୁବିଧା : କ୍ୟୁର ଇଣ୍ଡିଆ ଟ୍ରଷ୍ଟ ଏହି ଅଭିଯାନ ସହିତ ଜଡିତ ସମସ୍ତ ଖର୍ଚ୍ଚ ଯଥା ପରାମର୍ଶଦାତା ନିଯୁକ୍ତି, ତାଲିମ, ସ୍ୱତନ୍ତ୍ର ଜୋତା ବଣ୍ଟନ ବହନ କରିବ ।
* ସଫଳତା : କ୍ୟୁର ଇଣ୍ଡିଆ ୧୮ ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟର ୬ ,୩୦୧ ଶିଶୁଙ୍କ ଚିକିତ୍ସା କରିଛି । ସରକାରଙ୍କ ସମୁଚିତ ସହଯୋଗ ଏବଂ ଗଣମାଧ୍ୟମ ମାଧ୍ୟମରେ ସଚେତନତାକୁ ସମ୍ପ୍ରସାରିତ କରି ଟ୍ରଷ୍ଟ କ୍ଲବଫୁଟ ମୁକ୍ତ ଓଡିଶା ଗଠନ ପାଇଁ ସଂକଳ୍ପିତ ହୋଇ କାର୍ଯ୍ୟ କରୁଛି ।

ଏହି ଚୁକ୍ତିନାମା ୧୬ ଜାନୁଆରୀ ୨୦୨୫ ରୁ ୧୫ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଅଭିଯାନର ପ୍ରମୁଖ ଅଂଶୀଦାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତାସହ ମହିଳା ଏବଂ ଶିଶୁ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏହି ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ । ବୁଝାମଣା ପତ୍ର ସ୍ଵାକ୍ଷର ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଜସ୍ମିନ ପଟ୍ଟନାୟକ, କ୍ୟୁର ଇଣ୍ଡିଆ ଟ୍ରଷ୍ଟର ରାଷ୍ଟ୍ରୀୟ ସଂଯୋଜକ ଡା ଅତୁଲା ଜମିର, କ୍ୟୁର ଇଣ୍ଡିଆ ଟ୍ରଷ୍ଟର ରାଜ୍ୟ ସଂଯୋଜକ ଉପାସନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଟ୍ରଷ୍ଟର କ୍ଲବଫୁଟ ହେଲ୍ପଲାଇନ ନମ୍ବର (ଓଡିଶା) ୮୮୦୦୦୨୦୫୨୭ ଅଟେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking