21.1 C
Bhubaneswar
Monday, December 8, 2025
Homeଓଡିଶାନିଶା ନିବାରଣ ପାଇଁ ଓଡ଼ିଶା ସରକାର ଗୁଜରାଟ ମଡେଲ ଆପଣାନ୍ତୁ

ନିଶା ନିବାରଣ ପାଇଁ ଓଡ଼ିଶା ସରକାର ଗୁଜରାଟ ମଡେଲ ଆପଣାନ୍ତୁ

ଭୁବନେଶ୍ୱର: ନିଜ ନିର୍ବାଚନ ପ୍ରତିଶ୍ରୁତିର ପ୍ରତିପାଳନ କରି ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିବା ପାଇଁ ନୂଆ ଅବକାରୀ ନୀତିରେ ଗୁଜରାଟ ମଡେଲକୁ ଆପଣାଇବା ଲାଗି ନିଶା ମୁକ୍ତି ଆନ୍ଦୋଳନ ସହ ପ୍ରାୟ ୪୦ବର୍ଷ ଧରି ଜଡ଼ିତ ଥିବା ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲ୍ଲାଦ କୁମାର ସିଂହ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ୱରିତ ପଦକ୍ଷେପ ନେବାକୁ ସେ କହିଛନ୍ତି।

ଓଡ଼ିଶାରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ସେ ମନେ ପକାଇ ଦେଇଛନ୍ତି ଯେ ୨୦୨୪ ନିର୍ବାଚନ ସମୟରେ ଓଡ଼ିଶା ଶାଖା ବିଜେପି ପକ୍ଷରୁ ଯେଉଁ ସଂକଳ୍ପ ପତ୍ର ଓ ମୋଦି ଗ୍ୟାରେଣ୍ଟି ଜାରି କରାଯାଇଥିଲା ସେଥିରେ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ବଡ଼ ଘୋଷଣା ରହିଥିଲା। ଗତ ନିର୍ବାଚନରେ ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ। ଶ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସେଠାରେ ଜାରି ଥିବା ନିଶା ନିବାରଣ ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ। ତାଙ୍କ ସହଯୋଗୀ ତଥା ବର୍ତ୍ତମାନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜରାଟ ସରକାରକୁ ମଧ୍ୟ ଚୋରା ନିଶା ଦମନ ପାଇଁ ନୂଆ ଦିଶା ଦେଖାଇଥିଲେ।

କେନ୍ଦ୍ର ସରକାର ନିଶାମୁକ୍ତ ଭାରତ ଅଭିଯାନ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ଚଳାଇଛନ୍ତି ଏବଂ ଏଥିଲାଗି ମଧ୍ୟ ପ୍ରଚୁର ଅର୍ଥ ଦେଉଛନ୍ତି। ଅଥଚ ଓଡ଼ିଶା ନିଶାମୁକ୍ତ ହେବା ପରିବର୍ତ୍ତେ ଏଠାରେ ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ବିଭିନ୍ନ କିସମର ନିଶାର ପ୍ରସାର ଘଟି ଚାଲିଛି। ଏଥିଯୋଗୁ ଅନେକ ମହିଳାଙ୍କ ସିନ୍ଥିରୁ ସିନ୍ଦୁର ଲିଭୁଥିବାବେଳେ ବହୁ ପିଲା ବାପା-ମା’ ଛେଉଣ୍ଡ ହେଉଛନ୍ତି, ନାରୀ ଓ ଶିଶୁ ନିର୍ଯାତନା ବଢ଼ୁଛି, ବଳାତ୍କାର ସମେତ ବିଭିନ୍ନ କିସମର ଅପରାଧ ଲାଗି ରହୁଛି, ରୋଗ, ଦୁର୍ଘଟଣା, ଆତ୍ମହତ୍ୟା, ବେକାରୀ, ବେରୋଜଗାରୀ ଆଦି ମଧ୍ୟ ବଢ଼ୁଛି।

ଓଡ଼ିଶା ସରକାର ଯେତେ ପରିମାଣର ଅବକାରୀ ରାଜସ୍ୱ ପାଉଛନ୍ତି ତାହା ତୁଳନାରେ ବ୍ୟକ୍ତି, ପରିବାର, ସମାଜ, ରାଜ୍ୟ ଓ ରାଷ୍ଟ୍ରର କ୍ଷତି ୧୦୦ ଗୁଣରୁ ଅଧିକ। କେବଳ ସେତିକି ନୁହେଁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନା ମଧ୍ୟ ନିଶା ପ୍ରସାର ଯୋଗୁ ବାଟବଣା ହେଉଛି। ଓଡ଼ିଶା ରାଜ୍ୟ ଯୁବନୀତିରେ ନିଶାର ଭୟାବହତା ସଂପର୍କରେ ଉଲ୍ଲେଖ କରାଯାଇ ଆଲକହଲ ମୁକ୍ତ ଗ୍ରାମ ପ୍ରତିଷ୍ଠା କଥା କୁହାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଓଡ଼ିଶା ନିଶା ନିବାରଣ ଆଇନ୍‍କୁ ଲାଗୁ କରାଯାଉନାହିଁ। ଏହାଛଡ଼ା ପ୍ରଚଳିତ ଅବକାରୀ ଆଇନ୍‍ର ୯୩ ଧାରାରେ ନିଶା ନିବାରଣ କଥା ଉଲ୍ଲେଖ ଥିଲେ ବି ବର୍ଷବର୍ଷ ଧରି ସରକାର ନିଜ ଆଇନ୍‍ର ନିଜେ ଅନୁପାଳନ କରୁନଥିବା କଥା ଶ୍ରୀ ସିଂହ ଦର୍ଶାଇଛନ୍ତି।

ଗତ ନିର୍ବାଚନଠାରୁ ଏ ଯାବତ୍‍ ସରକାର ଚଳାଉଥିବା ବ୍ୟକ୍ତି ବିଶେଷ ଗୁଜରାଟ ମଡେଲ୍‍ କଥା କହୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଶଖ୍ୟାତି ବଖାଣୁଛନ୍ତି। ଏ ପରିପ୍ରେକ୍ଷୀରେ ଗୁଜରାଟରେ ଯେଭଳି ସଂପୂର୍ଣ୍ଣ ନିଶା ନିବାରଣ ବ୍ୟବସ୍ଥା ଲାଗୁ କରାଯାଇଛି ସେହି ମଡେଲ୍‍କୁ ଓଡ଼ିଶା ସରକାର ବିକଶିତ କରି ଆମ ରାଜ୍ୟକୁ ନିଶାମୁକ୍ତ କରିବା ସହ କେବଳ ପ୍ରଧାନମନ୍ତ୍ରୀଙ୍କ ନାମ ନନେଇ ସେ ଯେଉଁ ନିଶାମୁକ୍ତି କାମ ଗୁଜରାଟରେ ବ୍ୟାପକ କରିଥିଲେ ତାହାକୁ ଓଡ଼ିଶାରେ ମଧ୍ୟ ସୀମିତ ସମୟ ମଧ୍ୟରେ ଲାଗୁ କରିବା ପାଇଁ ସେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking