ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ଆୟୋଜିତ ହୋଇଛି ଓଡ଼ିଶା ଉତ୍ସବ। କୋଲକାତା ସ୍ଥିତ ନ୍ୟାସନାଲ ଲାଇବ୍ରେରୀ ଅଡ଼ିଟୋରିୟମ୍ ଠାରେ ଆଜି “ଓଡ଼ିଶା ଉତ୍ସବ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, “ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଓଡ଼ିଶା ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ଐତିହ୍ୟ ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଆମ ପ୍ରବାସୀ ଓଡ଼ିଆମାନେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ପ୍ରବାସୀ ଓଡ଼ିଆ ମାତୃଶକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଓଡ଼ିଆ ଘରର ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ଏହାକୁ ବିଶ୍ୱବିଦିତ କରିବା ଦିଗରେ ଆମ ମାତୃଶକ୍ତିର ଭୂମିକା ଅଗ୍ରଗଣ୍ୟ। ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଓଡ଼ିଶାର ସାଂସ୍କୃତିକ ରାଜଦୂତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନେ ଓଡ଼ିଶା ବାହାରେ ରହୁଛନ୍ତି ସତ, କିନ୍ତୁ ଓଡ଼ିଆମାନଙ୍କ ଭିତରୁ ଓଡ଼ିଶାକୁ କେହି କାଢ଼ି ପାରିବେ ନାହିଁ। ତେଣୁ ବିକଶିତ ଓଡ଼ିଶା-୨୦୩୬ ନିର୍ମାଣରେ ପ୍ରବାସୀ ଓଡ଼ିଆମାନଙ୍କ ଯୋଗଦାନ ଏକାନ୍ତକାମ୍ୟ।”
ସେ ଆହୁରି ମଧ୍ୟ କହିଥିଲେ ଯେ, “ପ୍ରବାସୀ ଓଡ଼ିଆମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ନିରନ୍ତର ଭାବେ ନିଜର କାର୍ଯ୍ୟ କରିଆସୁଛି। ପ୍ରବାସୀ ଓଡ଼ିଆ ସମାଜର ବିକାଶ ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ” ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୂରଜ ପ୍ରବାସୀ ଓଡ଼ିଆ ସାହିତ୍ୟିକ ଓ ପ୍ରବାସୀ ଓଡ଼ିଆ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ଉତ୍ସବରେ ଓଡ଼ିଶାର ଲୋକକଳା, ସମୃଦ୍ଧ ଐତିହ୍ୟ ଓ ପରମ୍ପରା, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ଆଦିକୁ ପ୍ରଦର୍ଶିତ କରାଯାଇଥିଲା। ଏଥିସହ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ, ସାହିଯାତ, ଛଉ, ଘୁମୁରା, ଢେମସା, ପଶୁମୁଖା, ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଉତ୍କଳୀୟ ମିଳିତ ମଞ୍ଚର ସଭାପତି ଶ୍ରୀ ରବି ନାରାୟଣ ମହାପାତ୍ର, ସାଧାରଣ ସଂପାଦକ, ଶିକ୍ଷା ସମୂହ, ଉତ୍କଳୀୟ ମିଳିତ ମଞ୍ଚ ଶ୍ରୀ ବିଜୟ କୁମାର ବାରିକ, ଅଧ୍ୟକ୍ଷ, ଶିକ୍ଷା ସମୂହ, ଉତ୍କଳୀୟ ମିଳିତ ମଞ୍ଚ ଶ୍ରୀ କ୍ଷୀରୋଧ କୁମାର ଧଳ, ବିଭିନ୍ନ ପ୍ରବାସୀ ଓଡ଼ିଆ ସମାଜର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରିତିଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।










