31.1 C
Bhubaneswar
Friday, February 13, 2026
Homeଓଡିଶାଓଡ଼ିଆ ନାଟ୍ୟ ପରମ୍ପରା କାଳଜୟୀ, ଆମ ଓଡ଼ିଆ ସଂସ୍କୃତି ଆଜି ବିଶ୍ୱବିଦିତ: ବାବୁ ସିଂ

ଓଡ଼ିଆ ନାଟ୍ୟ ପରମ୍ପରା କାଳଜୟୀ, ଆମ ଓଡ଼ିଆ ସଂସ୍କୃତି ଆଜି ବିଶ୍ୱବିଦିତ: ବାବୁ ସିଂ

ଭୁବନେଶ୍ୱର:  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”। ଏହି ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହେବ।

ଆଜିର ଉଦଘାଟନୀ ସମାରୋହରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ନାଟ୍ୟକାର ଶ୍ରୀ ଦୋଳଗୋବିନ୍ଦ ରଥ, ବିଜୟ ଶତପଥୀ ପ୍ରମୁଖ ଉପସ୍ଥିତ ରହି ନାଟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଓଡ଼ିଆ ନାଟ୍ୟ ପରମ୍ପରା କାଳଜୟୀ ଏବଂ ଆମ ଓଡ଼ିଆ ସଂସ୍କୃତି ଆଜି ବିଶ୍ୱବିଦିତ ବୋଲି ମୁଖ୍ୟ ଅତିଥି ଶ୍ରୀ ବାବୁ ସିଂ ନିଜ ଅଭିଭାଷଣରେ କହିଥିଲେ।

ଆଜି ପ୍ରଥମ ସନ୍ଧ୍ୟାରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୀବନୀକୁ ଆଧାର କରି ମଞ୍ଚାୟିତ ହୋଇଥିଲା ନାଟକ “ନିଃସଙ୍ଗ ନାୟକ”। ଓଡ଼ିଆ ସାହିତ୍ୟ, ସଂସ୍କୃତି, ନାଟକ, ଓଡ଼ିଶୀ ସଂଗୀତ ଓ ନୃତ୍ୟ ଦିଗରେ ରହିଥିବା ତାଙ୍କର ଅତୁଳନୀୟ ଅବଦାନକୁ ନାଟକରେ ଖୁବ ସୁନ୍ଦର ଭାବେ ଚିତ୍ରିତ କରାଯାଇଥିଲା। ଜୀବନର ପ୍ରତିଟି ଘାତ ପ୍ରତିଘାତର ସାମ୍ନା କରି କବିଚନ୍ଦ୍ର କିପରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତାହାକୁ ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ ନାଟ୍ୟ ରଚୟିତା ଡ଼. ଶୈଳେଶ୍ୱର ନନ୍ଦ, ନିର୍ଦ୍ଦେଶକ ଶ୍ରୀ ଶ୍ରୀମନ ନାରାୟଣ ମିଶ୍ର ଓ କ୍ୟାନମାସ ସାଂସ୍କୃତିକ ଅନୁଷ୍ଠାନର କଳାକାର।

ଆଜି ପ୍ରେକ୍ଷାଳୟରେ ନାଟକ ପ୍ରଦର୍ଶିତ ହେଉଥିବା ବେଳେ ନାଟକ ଦେଖିବା ପାଇଁ ଭଞ୍ଜକଳା ମଣ୍ଡପରେ ଦକ୍ଷିଣ କୋରିଆରୁ ଆସିଥିବା ଦର୍ଶକମାନେ ଉପସ୍ଥିତ ଥିଲେ। ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନ କରୁଥିବା ଏହି ନାଟକଟିକୁ ଦେଖି ଦକ୍ଷିଣ କୋରିଆର ଦର୍ଶକମାନେ ଏହାର ଭୂୟସୀ ପ୍ରଶଂସା କରିଥିଲେ। ପ୍ରକାଶଯୋଗ୍ୟ ଯେ, ଆଗାମୀ ଦିନରେ ଏହି ରାଜ୍ୟସ୍ତରୀୟ ନାଟକ ଉତ୍ସବରେ ନିଚ୍ଛକ ଓଡ଼ିଆ ନାଟକ “ଦାନାପାଣି”, “ଚିତ୍ରପ୍ରତିମା”, “ମାଗୁଣିର ଶଗଡ଼”, “ଆସ୍ଥା” ଆଦି ପ୍ରଦର୍ଶିତ ହେବ। ଆଜିର କାର୍ଯ୍ୟକ୍ରମକୁ ସଂସ୍କୃତି ବିଭାଗ ଅଧିକାରୀ ଶ୍ରୀମତୀ ଭାଗ୍ୟଲିପି ମଲ୍ଲ ପରିଚାଳିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking