ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଓଡିଆ ସମାଜ । ଦୁବାଇରେ ଥିବା ପ୍ରବାସୀ ଓଡିଆଙ୍କ ବଢିଲା ଚିନ୍ତା । ମାର୍ଚ୍ଚ ୩୦ ପରେ ଇଣ୍ଡିଗୋ ସାଇଟରେ ବୁକ୍ ହେଉନି ଟିକେଟ୍ । ଭୁବନେଶ୍ୱରରୁ ଦୁବାଇ ଇଣ୍ଡିଗୋ ସିଧା ବିମାନ ବନ୍ଦ ହେବା ନେଇ ଆଶଙ୍କା । ଏହି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ନିବେଦନ କଲା ଓଡିଆ ସମାଜ । ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରୁ ଭୁବନେଶ୍ୱର-ଆବୁଧାବି ସିଧାସଳଖ ବିମାନ ସେବା ବନ୍ଦ ରହିଛି। ଏହାର ଗୋଟିଏ ମାସ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ଆଉ ୨ଟି ପ୍ରମୁଖ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାର ଯୋଜନା ରହିଛି। ମାର୍ଚ୍ଚ ୨୮ ପରେ ଭୁବନେଶ୍ୱରରୁ ଦୁବାଇ ଏବଂ ସିଙ୍ଗାପୁର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସିଧାସଳଖ ବିମାନ ସେବା ବନ୍ଦ କରାଯିବ। ୨୮ ମାର୍ଚ୍ଚ ପରେ ଇଣ୍ଡିଗୋ ଏହି ୨ଟି ରୁଟରେ ସିଧାସଳଖ ବିମାନ ସେବା ପାଇଁ ଅନଲାଇନ୍ ବୁକିଂକୁ ସ୍ଥଗିତ ରଖିଛି। ଏହି ସମ୍ପର୍କରେ ଓଡ଼ିଆ ସମାଜ ୟୁଏଇ ସଂଗଠନ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୂର୍ବରୁ, ଦୁବାଇ-ଭୁବନେଶ୍ୱର ବିମାନ ସେବା ସେପ୍ଟେମ୍ବର ୨୦୨୫ରେ ବନ୍ଦ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ, ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ, ବିମାନ ସେବା ଜାରି ରହିଥିଲା। ତେଣୁ, ୟୁଏଇରେ ଥିବା ଓଡ଼ିଆ ସମ୍ପ୍ରଦାୟ ଏହି ବିମାନ ସେବା ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡୁଛନ୍ତି।










