ଭୁବନେଶ୍ୱର: ଜାତୀୟ ପରିଚୟ ପ୍ରତିଷ୍ଠାରେ ଶାସ୍ତ୍ରୀୟ ଭାଷାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗୌରବମୟ ସାହିତ୍ୟ ପରଂପରାର ସ୍ୱାକ୍ଷର ବହନ କରୁଥିବା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଏହାର ସମୃଦ୍ଧ ସାରସ୍ୱତ ସମ୍ଭାର ପ୍ରତି ଉପଯୁକ୍ତ ସମ୍ମାନ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ଆଜି ଅଧିନସ୍ଥ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅର୍ନ୍ତଗତ ଭାରତୀୟ ଭାଷା ସଂସ୍ଥାନ ସହଯୋଗରେ ଭୁବନେଶ୍ୱରସ୍ଥ ଜୟଦେବ ଭବନଠାରେ ଆୟୋଜିତ “ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ” ପାଳନ ଅବସରରେ ‘ଭାରତର ଶାସ୍ତ୍ରୀୟ ଭାଷା – ଏକ ନୂତନ ଦୃଷ୍ଟି କୋଣ’ ଶୀର୍ଷକ ସେମିନାରକୁ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଏହି ଅବସରରେ ଜାତୀୟ ସେମିନାର ଆୟୋଜନ ଗୌରବର କଥା ବୋଲି କହିଥିଲେ। ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଆ ଭାଷାର ଗୌରବମୟ ପରଂପରା ଭାରତର ସାହିତ୍ୟ ଓ ଦର୍ଶନକୁ ସମୃଦ୍ଧ କରିଛି। ଓଡ଼ିଶା ଦୀର୍ଘ କାଳ ଧରି ସାହିତ୍ୟ, ସଂସ୍କୃତି ଏବଂ ଜ୍ଞାନର କେନ୍ଦ୍ର ଭାବେ ପରିଚିତ ହୋଇଆସିଛି।
ଜୟଦେବଙ୍କ ଭଳି ପ୍ରତିଭାବାନ୍ ସାରସ୍ୱତ ସ୍ରଷ୍ଟାଙ୍କ କାଳଜୟୀ ସୃଷ୍ଟି ଗୀତ ଗୋବିନ୍ଦର ଭକ୍ତି ସଂଗୀତ ଭାଷାଗତ ଓ ଭୌଗଳିକ ସୀମା ଅତିକ୍ରମ କରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ ଏବଂ କବିତାକୁ ପ୍ରଭାବିତ କରିଛି। ଓଡ଼ିଆ ଭାଷା ଓ ସାହିତ୍ୟ ସହ ଜଡ଼ିତ ଜଗନ୍ନାଥ ସଂସ୍କୃତି ଭାରତର ଆଧ୍ୟାତ୍ମିକ ଚେତନାକୁ ଋଦ୍ଧିମନ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପବିତ୍ର ଗନ୍ଥଗୁଡ଼ିକର ଓଡ଼ିଆରେ ଅନୁବାଦ ସହିତ ତାହାକୁ ସମସ୍ତଙ୍କ ପାଇଁ ସୁଗମ /ବୋଧଗମ୍ୟ କରିବା ତଥା ଜ୍ଞାନ ବିତରଣ କରିବା କ୍ଷେତ୍ରରେ ଓଡ଼ିଶାର ପ୍ରତିବନ୍ଧତା ସୂଚାଉଛି ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟପାଳ କହିଥିଲେ ଯେ ଶାସ୍ତ୍ରୀୟ ଭାଷାଗୁଡ଼ିକ ଆମ ଦେଶର ସଭ୍ୟତା ଓ ଐତିହ୍ୟର ସ୍ତମ୍ଭ ଏବଂ ଏହି ଶାସ୍ତ୍ରୀୟ ଭାଷା ସମୂହ ଶତାଦ୍ଦୀ ଶତାଦ୍ଦୀର ଜ୍ଞାନ, ସାହିତ୍ୟ ଓ କଳାତ୍ମକ ପ୍ରକାଶନକୁ ବହନ କରୁଛି ଏବଂ ଆମର ଜାତୀୟ ପରିଚୟ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଯେତେବେଳେ ଶାସ୍ତ୍ରୀୟ ଭାଷାର ଭବିଷ୍ୟତ ସଂପର୍କରେ ଆଲୋଚନା ହେଉଛି, ସେତେବେଳେ ଆମ ଯୁବପୀଢ଼ିଙ୍କ ମଧ୍ୟରେ ଭାଷା ପ୍ରତି ଗର୍ବ ଜାଗ୍ରତ କରିବା ଏବଂ ଶାସ୍ତ୍ରୀୟ ଭାଷା ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଛାତ୍ରବୃତି ବ୍ୟବସ୍ଥା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ସକ୍ରିୟ ଭୂମିକା ନିଭାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱରେ ଭାରତୀୟ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଜାତୀୟ ଶିକ୍ଷାନୀତି – ୨୦୨୦ ଜରିଆରେ ପଦକ୍ଷେପ ନିଆଯାଇଛି ।
ଏହି ନୂତନ ଶିକ୍ଷାନୀତିରେ ପ୍ରାଥମିକ ପର୍ଯ୍ୟାୟରେ ମାତୃଭାଷା କିମ୍ବା ସ୍ଥାନୀୟ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରିବା ସହିତ ନିଜ ଐତିହ୍ୟ ସହ ସଂଯୋଗ ହେବାକୁ ପ୍ରୋତ୍ସାହିତ କରିବ। ଭାଷାଗୁଡିକର ସଂରକ୍ଷଣ ଏବଂ ପ୍ରୋତ୍ସାହନ କେବଳ ଶିକ୍ଷାଗତ ନୁହେଁ ବରଂ ଆମର ଜାତୀୟ ପରିଚୟକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ। ନୂଆ ଶିକ୍ଷାନୀତି ଦେଶକୁ ବିକଶିତ ଭାରତ ଆଡକୁ ମାର୍ଗ ଦର୍ଶନ କରିବ ବୋଲି ରାଜ୍ୟପାଳ କହିଥିଲେ। ଏହି ଆଧୁନିକ ଯୁଗରେ ଆମର ଶାସ୍ତ୍ରୀୟ ଭାଷାଗୁଡ଼ିକୁ ପ୍ରଗତିଶୀଳ ହେବାକୁ ନିଶ୍ଚିତ କରିବା ଆବଶ୍ୟକ। ଭାଷା ସାହିତ୍ୟକୁ ଆଗାମୀ ପୀଢ଼ି ପାଇଁ ସୁରକ୍ଷିତ ରଖିବା ନିମନ୍ତେ ଡିଜିଟାଲାଇଜେସନ୍, କୃତ୍ରିମ ବୁଦ୍ଧିମତା ଏବଂ ଭାଷାଗତ ଗବେଷଣାକୁ ଆପଣେଇବା ପାଇଁ ରାଜ୍ୟପାଳ ଡ. କମ୍ଭମ୍ପାଟି ଆହ୍ୱାନ ଜଣାଇଥିଲେ। ଏହି ସମାରୋହରେ ସମ୍ମାନନୀୟ ଅତିଥିଭାବେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସୁନାମଧନ୍ୟା ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ ଏବଂ ଭାରତୀୟ ଭାଷା ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ଶୈଳେନ୍ଦ୍ର ମୋହନ ଓଡ଼ିଆ ଶାସ୍ତ୍ରୀୟ ଭାଷାର ଗରିମା, ଶାସ୍ତ୍ରୀୟ ଭାଷାର ସଂରକ୍ଷଣ ଏବଂ ଜାତୀୟ ସେମିନାର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଷକ ପ୍ରଫେସର ବସନ୍ତ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।










