ଜଗତସିଂହପୁର: ରୋଗୀ ସେବାରେ ନିୟୋଜିତ ଗାଡ଼ି ଏବେ ରୋଗାଗ୍ରସ୍ତ । ଅସୁସ୍ଥ ହୋଇଗଲାଣି ୧୦୮ ଆମ୍ବୁଲାନ୍ସ । ଭଙ୍ଗା ଦଦରା ଗାଡ଼ିରେ ଚାଲିଛି ରୋଗୀ ବୁହା । ଛାତ, କାନ୍ଥ କଳଙ୍କି ଲାଗି ଖାଇ ଗଲାଣି , ବର୍ଷାରେ ଗଲା ବେଳେ ଗାଡ଼ି ଭିତରେ ପାଣି ଗଳୁଛି । ଖାଲି ପାଣି ଗଳୁନି ଅଧା ବାଟରେ ଅଟକି ଯାଉଛି ଆମ୍ବୁଲାନ୍ସ । କେଉଁଥିରୁ ଧୂଆଁ ବାହାରିଲାଣି ତ ଆଉ କେଉଁଥିରେ କାମ କରୁନି ଏସି, ଫ୍ୟାନ୍ । କେତେକ ଆମ୍ବୁଲାନ୍ସର ଟାୟାର ଖରାପ ହୋଇଯାଇଥିବା ବେଳେ ଷ୍ଟେପିନ୍ ମଧ୍ୟ ନାହିଁ । ଏମିତି ଅବ୍ୟବସ୍ଥା ଭିତରେ ଗତି କରୁଛି ଜଗତସିଂହପୁର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ସେବା । ଅଧାରୁ ଅଧିକ ଆମ୍ବୁଲାନ୍ସର ଅବସ୍ଥା ବେହାଲ ହୋଇ ଯାଇଛି । ଆମ୍ବୁଲାନ୍ସ ଅସୁସ୍ଥ ହୋଇ ମରାମତି ଆବଶ୍ୟକ କରୁଥିବା ବେଳେ ଭଗବାନଙ୍କ ଭରସାରେ ଚାଲିଛି ରୋଗୀ ସେବା ।