21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଆଇନରେ ପରିଣତ ହେଲା ଓ୍ବକଫ୍‌ ସଂଶୋଧିତ ବିଲ୍‌

ଆଇନରେ ପରିଣତ ହେଲା ଓ୍ବକଫ୍‌ ସଂଶୋଧିତ ବିଲ୍‌

ନୂଆଦିଲ୍ଲୀ: ଆଇନ୍‌ରେ ପରିଣତ ହୋଇଛି ଓ୍ବକଫ୍‌ ସଂଶୋଧିତ ବିଲ୍‌। ସଂସଦର ଉଭୟ ଗୃହରେ ବିଲ୍‌ଟି ପାସ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ୧୯୯୫ର ଓ୍ବକ୍‌ଫ ସମ୍ପତ୍ତି ପରିଚାଳନା ଆଇନରେ ସଂଶୋଧନ ପାଇଁ ଅଣାଯାଇଥିବା ଏହି ବିଲ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ବିରୋଧ କରି ଆସୁଛନ୍ତି। କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି ବିବାଦୀୟ ବିଲ୍‌କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଶନିବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନ୍‌ ବିରୋଧ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏନ୍‌ଜିଓ ଆସୋସିଏଶନ ଫର୍‌ ଦି ପ୍ରୋଟେକ୍‌ଶନ ଅଫ୍‌ ସିଭିଲ୍‌ ରାଇଟ୍ସ (ଏପିସିଆର୍‌) ମଧ୍ୟ ବିଲ୍‌ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛି।

ପ୍ରସ୍ତାବିତ ଆଇନ ମୁସଲମାନଙ୍କ ପ୍ରତି ପକ୍ଷପାତ ଏବଂ ସେମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। ସରକାରଙ୍କ ହସ୍ତକ୍ଷେପ ଦ୍ୱାରା ଧର୍ମୀୟ ଏବଂ ଦାତବ୍ୟ ଅନୁଷ୍ଠାନ ପରିଚାଳନାରେ ସଂଖ୍ୟାଲଘୁଙ୍କ ଅଧିକାର ଦୁର୍ବଳ ହେବ ବୋଲି ଆପ୍‌ ବିଧାୟକ ପିଟିଶନ୍‌ରେ ଦର୍ଶାଇଛନ୍ତି। ଉକ୍ତ ବିଲ୍‌ ସମ୍ବିଧାନର ଅନୁଚ୍ଛେଦ ୧୪, ୨୫, ୨୬ ଏବଂ ୩୦୦ଏ’ର ସିଧାସଳଖ ଉଲ୍ଲଂଘନ କରିବା ସହ ପ୍ରସ୍ତାବନା ମୂଲ୍ୟବୋଧର ଉଲ୍ଲଂଘନ ବୋଲି ଏନ୍‌ଜିଓ କହିଛି। ଏନ୍‌ଜିଓ ପକ୍ଷରୁ ଆଦିଲ ଅହମଦ ଉକ୍ତ ପିଟିଶନ ଦାଏର କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌, ୨୦୨୫କୁ ସଂସଦରେ ପାରିତ କରାଇବାରେ ସଫଳ ହେବା ଏହାକୁ ପ୍ରମାଣିତ କରିଛି। ମୁସଲମାନ ସମ୍ପ୍ରଦାୟର ଦାନ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବା ସକାଶେ ଉଦ୍ଦିଷ୍ଟ ଏହି ବିଧେୟକ ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ରାଜ୍ୟ ସଭାର ଅନୁମୋଦନ ଲାଭ କରିଥିଲା। ଉଚ୍ଚ ସଦନରେ ବିଲ୍‌ ସପକ୍ଷରେ ୧୨୮ ଭୋଟ ପଡ଼ିଥିବାବେଳେ ବିରୋଧୀ ଦଳଗୁଡ଼ିକର ୯୫ ସଦସ୍ୟ ଏହା ବିରୋଧରେ ମତଦାନ କରିଥିଲେ । ଚୂଡ଼ାନ୍ତ ମୋହର ପାଇଁ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯାଇଥିଲା। ରାଷ୍ଟ୍ରପତି ବିଧେୟକରେ ସ୍ବାକ୍ଷର କରିବା ପରେ ଏହା ଆଇନରେ ପରିଣତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking