15.1 C
Bhubaneswar
Monday, December 29, 2025
Homeଓଡିଶାନୂଆପଡ଼ା ଫଳାଫଳ ଓଡ଼ିଶା ରାଜନୀତିକୁ ନୂଆ ଦିଶା ଦେଖାଇବ : ପ୍ରସାଦ

ନୂଆପଡ଼ା ଫଳାଫଳ ଓଡ଼ିଶା ରାଜନୀତିକୁ ନୂଆ ଦିଶା ଦେଖାଇବ : ପ୍ରସାଦ

ଭୁବନେଶ୍ୱର (ବିପିନ୍ ସିଂ): ଭାରତ ବର୍ଷର ରାଜନୀତିକୁ ଆଗାମୀ ଦିନରେ ଯେଭଳି ବିହାର ନିର୍ବାଚନ ଫଳାଫଳ ପ୍ରଭାବିତ କରିବ ଠିକ୍ ସେହିପରି ନୂଆପଡାର ଉପନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିକୁ ଏକ ନୂଆ ଦିସା ଦେଖାଇବ। ନୂଆପଡାରେ ବିଜେପି ଓ ବିଜେଡ଼ି ମଧ୍ୟରେ ସଲାକୁସ୍ଥିର ଲଢେଇ ଚାଲିଛି । କିନ୍ତୁ ଜନତା ନିଷ୍ପତି ନେଇସାରିଛନ୍ତି, ଲୋକଙ୍କ ନିଷ୍ପତି କଂଗ୍ରେସ ସପକ୍ଷରେ ରହିଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସରକାରୀ କଳ ଓ କର୍ମଚାରୀଙ୍କୁ କାମରେ ଲଗାଇଛନ୍ତି ଡବଲ ଇଞ୍ଜିନ ସରକାର ।ଏମାନଙ୍କର ନୂଆପଡ଼ାବାସୀଙ୍କ ସହ କୌଣସି ସଂପର୍କ ନାହିଁ। ତେଣୁ ଲୋକମାନେ ସହଜରେ ଏମାନଙ୍କୁ ଗ୍ରହଣ କରୁନାହାନ୍ତି। ନୂଆପଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ଦ୍ବାରା ଛାପା ମରାଯାଇଥିଲା। ହେଲେ ମିଳିଲା କଣ ? ବିଜେଡି ଓ ବିଜେପି କାର୍ଯ୍ୟାଳୟ ମଧ୍ୟରେ କେବେ ପୋଲିସ ପଶିଛି କି ? ତେଣୁ ସରକାରୀ କର୍ମଚାରୀ ଓ ପୋଲିସ ମାଧ୍ୟମରେ ନିର୍ବାଚନ ପ୍ରଚାର ବିଜେପି ପାଇଁ ଫଳପ୍ରଦ ହେବନାହିଁ। ୭୧ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ପାଖରେ ୭୦ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ। ଗତ ବିଧାନସଭା ନିର୍ବାଚନରେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ବାବୁ କଣ୍ଟାବାଞ୍ଜିରେ ନିର୍ବାଚନ ଲଢି ବହୁ ଭୋଟ ବ୍ୟବଧାନରେ ପରାଜୟର ସ୍ବାଦ ଚାଖିଥିଲେ ।

ନୂଆପଡ଼ା ରେ ଚଳିତ ନିର୍ବାଚନରେ ମଧ୍ୟ ବିଜେଡି କଣ୍ଟାବାଞ୍ଜି ଭଳି ସମାନ ଫଳାଫଳ ଦେଖିବ। ବିଜେଡି ଦଳର ଯିଏ ପ୍ରାର୍ଥୀ ହୋଇଛନ୍ତି ସିଏ ସେହି ନିର୍ବାଚନ ମଣ୍ଡଳୀର ନୁହନ୍ତି କି ସେହି ଜିଲ୍ଲାର ନୁହନ୍ତି। ପ୍ରାର୍ଥୀ ବରଗଡ଼ ଜିଲ୍ଲାରୁ ଆସିଛନ୍ତି। ସେଥିପାଇଁ ନବୀନ ବାବୁ ନୂଆପଡ଼ା ନିର୍ବାଚନ ପ୍ରଚାରକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି। ନବୀନ ବାବୁ ପ୍ରଚାରକୁ ଓହ୍ଲାଇବେ ସତ, ପ୍ରଭାବ ନିଶ୍ଚିନ୍ତ ପଡିବ କିନ୍ତୁ ପ୍ରଭାବ ଆଖିଦୃଶିଆ ହେବ ନାହିଁ ବୋଲି ଶ୍ରୀ ହରିଚନ୍ଦନ ଉଲ୍ଲେଖ କରିଛନ୍ତି। ବିଜେଡିର ପୁରୁଣା ସଂଗଠନ ଅଛି, ଯେଉଁ ମାନଙ୍କୁ ଗତ ନିର୍ବାଚନର ରାଜ୍ୟବାସୀ ପ୍ରତ୍ୟାଖାନ କରିଛନ୍ତି । କଂଗ୍ରେସ ଜଣେ ସ୍ଥାନୀୟ ଆଦିବାସୀ ଶିକ୍ଷିତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି। ଦୁର୍ନୀତି ବିରୋଧରେ ଲଢେ଼ଇ କରି ସେ ନିଜ କାମ ମାଧ୍ୟମରେ ଲୋକଙ୍କ ମନରେ ନିଜ ପ୍ରତି ଦୃଢ଼ ବିଶ୍ୱାସ ସୃଷ୍ଟି କରିଛନ୍ତି । ଗତ ତିନୋଟି ନିର୍ବାଚନର ଫଳାଫଳ ଦେଖିଲେ ଏହା ଜଣାପଡୁଛି କି କ୍ରମାଗତ ଭାବେ ତାଙ୍କର ଭୋଟ ସଂଖ୍ୟା ବଢ଼ି ଚାଲିଛି। ସେ ୨୦୧୪ରେ ୨୬ ପ୍ରତିଶତ ଭୋଟ, ୨୦୧୯ ରେ ୨୭ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୪ ନିର୍ବାଚନରେ ଘାସିରାମ ମାଝୀ ସ୍ଵାଧୀନ ପ୍ରାର୍ଥୀ ହୋଇ ୫୧ ହଜାରରୁ ଅଧିକା ଭୋଟ ପାଇଛନ୍ତି ।ନୂଆପଡାରେ ନୂଆ ନାରା ଉଠୁଛି “ବାହାରି ଭଗାଓ, ଆପନା ଲାଓ” । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ ପଚାରିଛନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ କାହାର ? ବିଜେପିର ନା ବିଜେଡିର। କାରଣ ଉଭୟ ଦଳ ସ୍ବର୍ଗତ ଢୋଲକିଆଙ୍କ ଫଟୋକୁ ନିଜ ନିଜ ବ୍ୟାନର ଓ ପୋଷ୍ଟରରେ ଲଗାଇ ପ୍ରଚାର କରୁଛନ୍ତି। ତେଣୁ ସେଥିରୁ ସ୍ପଷ୍ଟ ଯେ ବିଜେଡି ଓ ବିଜେପି ମିଶିକି ନିର୍ବାଚନ ଲଢ଼ୁଛନ୍ତି। କିଏ କହୁଛି ତାଙ୍କ ମଧ୍ୟରେ ଦିଲ୍ଲୀରେ ଡିଲ ହୋଇଛି। ଆମେ କହୁନୁ ବାହାରେ ଆଲୋଚନା ଚାଲିଛି। ବର୍ତ୍ତମାନ ଆମେ ଆଶ୍ବସ୍ତ ଯେ ନୂଆପଡାର ସଚେତନ ଜନ ସାଧାରଣ ନିଶ୍ଚିତ ଭାବରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ। ତେଣୁ ଘାସିରାମ ମାଝୀଙ୍କ ଲୋକପ୍ରିୟତା ଉଭୟ ଦଳକୁ ଭୟଭିତ କରିଛି।

ଶ୍ରୀ ହରିଚନ୍ଦନ ନୂଆପଡ଼ା ଜିଲ୍ଲାକୁ କଂଗ୍ରେସର ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଦୁର୍ଭିକ୍ଷ ବେଳେ ଇନ୍ଦିରା ଗାନ୍ଧୀ ଏଠାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ଥିବାବେଳେ ରାଜୀବ ଗାନ୍ଧି ସୋନିଆ ଗାନ୍ଧୀଙ୍କ ସହିତ କୋମନା ବ୍ଲକ ଆସି ଆଦିବାସୀ ମାନଙ୍କ ପାଇଁ କାର୍ଯ୍ୟ କରିଛନ୍ତି। ମାଡ଼ା ଯୋଜନା ଓ କେବିକେ ଯୋଜନା ମାଧ୍ୟମରେ କଂଗ୍ରେସ ଅମଳରେ ନୂଆପଡାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। କଂଗ୍ରେସ ଶାସନ ସମୟରେ ନିର୍ମାଣ ହୋଇଥିବା ପୋତରା ଡ୍ୟାମର ଜଳଧାରଣ କ୍ଷମତା ପୂର୍ବ ବିଜେପି ଓ ବିଜେଡ଼ି ସରକାର ଗତ ୨୫ ବର୍ଷ ମଧ୍ୟରେ ବଢାଇଲେ ନାହିଁ। ବଢ଼ାଯାଇଥିଲେ ଏ ଅଞ୍ଚଳର ଜଳସେଚନ ଓ କୃଷି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥାନ୍ତା । ଯାହାଦ୍ବାରା ନୂଆପଡ଼ା ବାସୀ ଉପକୃତ ହୋଇଥାନ୍ତେ । ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ବେଳେ ଖୋର୍ଦ୍ଧା ଓ ବଲାଙ୍ଗୀର ରେଳପଥ ପ୍ରକଳ୍ପକୁ ପ୍ରଶାସନିକ ମଞ୍ଜୁରୀ ମିଳିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେ କାର୍ଯ୍ୟ ଶେଷ ହୋଇନାହିଁ। ଏବେ ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିଲେ ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ କୌଣସି ଏକ୍ସପ୍ରେସ ଟ୍ରେନର ରହଣୀ ବ୍ୟବସ୍ଥା ଏ ଯାଏଁ ହୋଇନାହିଁ। ଏବେ କହୁଛନ୍ତି ୧୧ଶହ କୋଟି ଦେବେ। ତାହା ସମୁଦ୍ରକୁ ଶଙ୍ଖେ। ସରକାର ଛାତ୍ର, ଯୁବକ, ଚାଷୀ ଓ ମହିଳା ଙ୍କ ପାଇଁ କୌଣସି ଦୃଷ୍ଟି ଦେଇନାହାନ୍ତି। ଏବେ ବି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ଶିକ୍ଷିତ ,ବେକାରୀ ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଜେଡି ଓ ବିଜେପିର ଶାସନରେ ନୂଆପଡ଼ାର ନୂଆ ପରିଚୟ ସୃଷ୍ଟି ହୋଇଛି – ଭୋକମାରୀ , ମହାମାରୀ ଓ ଦେଶାନ୍ତରୀକୁ ନେଇ। କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ଦିନଠୁ ଉତ୍ସାହ ଦେଖିବାକୁ ମିଳିଥିଲା। ନାମାଙ୍କନ ଦାଖଲ ଦିନ ବିଜେପି ପ୍ରାର୍ଥୀ ଗାଡ଼ି ଉପରେ ଓ ବିଜେପି ନେତା ଗାଡି ଭିତରେ ଥାଇ ଯାଉଥିଲେ। ଏଥିରୁ ସ୍ପଷ୍ଟ ଯେ ବିଜେପିର ସାହସ ନାହିଁ ତଳକୁ ଓହ୍ଲାଇ ଲୋକଙ୍କୁ ସାଙ୍ଗରେ ନେଇ ଶୋଭାଯାତ୍ରା କରିବା ପାଇଁ। ଆମ ପ୍ରାର୍ଥୀଙ୍କ ସହ ଆମେ ପାଦରେ ଚାଲି ଚାଲି ଯାଇଥିଲୁ। ଏ କଥା ଜଳଜଳ କରି ଦେଖାଇଦେଲା କାହା ସହ ଲୋକ ଅଛନ୍ତି ଓ ଉତ୍ସାହ ଅଛି।ମୁଖ୍ୟମନ୍ତ୍ରୀ ସଭାରେ ଲୋକ ହେଲେ ନାହିଁ, । ଖାଦ୍ୟ ନଷ୍ଟ ହେଲା, ବାସୀ ଖାଦ୍ୟ ଖାଇ ୧୭ଟି ଗାଈ ମଲେ । ଏହାର ପ୍ରଭାବ ଆଗାମୀ ଦିନରେ ନୂଆପଡା ନିର୍ବାଚନ ବିଜେପି ଦେଖିବେ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ବକ୍ତବ୍ୟରେ ପିସିସି ମୁଖପାତ୍ର ଡ଼ ଦେବାଶିଷ ଭୂୟାଁ କହିଥିଲେ ଯେ ଯଦିଓ ଆମ ରାଜ୍ୟରୁ ମୌସୁମୀ ଫେରିଯାଇ ହାଲୁକା ଶୀତ ଆରମ୍ଭ ହେଲାଣି, କିନ୍ତୁ ଓଡ଼ିଶାରେ ଏବେ ବି ତାତି ଅନୁଭବ ହେଉଛି। ଏହି ତାତି ନୂଆପଡ଼ା ଉପନିର୍ବାଚନକୁ ନେଇ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ପିସିସିର ବରିଷ୍ଠ ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking