ରାଜନଗର: ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ଜାତିର ଯୁବତୀ ସହାୟିକା ନିଯୁକ୍ତି ପାଇବା ପରେ ତିନି ମାସ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଜିଲ୍ଲା ଓ ବ୍ଲକ ପ୍ରଶାସନ ର କସରତ ପରେ ବିବାଦର ସମାଧାନ ହୋଇଛି। ସବୁଠାରୁ ବଡକଥା ହେଲା, ଏହିପରି ଏକ ଘଟଣା ପାଇଁ ୨୦୦୬ରେ ଯେପରି ରାଜନଗର ଅଞ୍ଚଳ ଜାତୀୟସ୍ତରରେ ନିନ୍ଦିତ ହୋଇଥିଲା । ଅନୁରୂପ ଭାବେ ନୂଆଗାଁ ଘଟଣାଟି ଏହି ଅଞ୍ଚଳର ଭାଇଚାରା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରାଇଲା । ଏତେ ସବୁ ଘଟଣା ଘଟିଥିବା ବେଳେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ରାଜନଗର ବିଧାୟକ ଧୃବ ସାହୁ ମୁହଁ ଖୋଲିଲେ ନାହିଁ କି ଗାଁରେ ପାଦ ପକାଇଲେ ନାହିଁ। ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ଲୋକଦେଖାଣିଆ ଭାବେ ସାଂସଦ ଓ ବିଧାୟକ ପହଞ୍ଚିବା ଘଟଣାକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅସରନ୍ତି ସମସ୍ୟା ଭିତରେ ପେଶି ହେଉଥିବା ଏହି ଗାଁର ବିକାଶ ସାତସପନ କହିଲେ ଚଳେ । ସୋମାବାର ଦିନ ତରବରିଆ ଭାବେ ବିଧାୟକ ଶ୍ରୀ ସାହୁ ନିଜ ସମର୍ଥକମାନଙ୍କ ସହ ନୂଆଗାଁରେ ପହଞ୍ଚି ଅଙ୍ଗନବାଡିକୁ ଆସୁଥିବା ପିଲାମାନଙ୍କ ସହିତ ସମୟ ବିତାଇବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ଏହି ଘଟଣାକୁ ପରୋକ୍ଷରେ ରାଜନୈତିକ ରୂପ ଦିଆଯାଇ ନାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।
ଅପରପକ୍ଷରେ ଅତି ତରବରିଆ ଭାବେ ବିଧାୟକ ଶ୍ରୀ ସାହୁ ଅଙ୍ଗନବାଡି କେନ୍ଦ୍ର ପାଇଁ ତାଙ୍କ ପାଣ୍ଠି ସହାୟତାରେ ନୂତନ ଗୃହ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ଯାହାକି ବିଧାୟକ ରାଜନୈତିକ ରୁଟି ସେକିବା ପାଇଁ ଏଭଳି ଅଭିନୟ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁ, ସିଡିପିଓ ଦିପାଳୀ ମିଶ୍ର, ସୁପରଭାଇଜର ରଜନୀ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଏସଂପର୍କରେ ରାଜନଗର ବ୍ଲକର ନବନିଯୁକ୍ତ କଂଗ୍ରେସ ସଭାପତି ପ୍ରଶାନ୍ତକୁମାର ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏପରି ଏକ ଭାଇଚାରା ସଂହତି ତିନିମାସ ତଳୁ ବ୍ୟାହତ ହୋଇ ଚାଲିଥିବା ବେଳେ ସାଂସଦ ଓ ବିଧାୟକ କାହିଁକି ନୀରବ ଥିଲେ । ଏହି ଘଟଣାକୁ କଂଗ୍ରେସ ଜାତୀୟସ୍ତରକୁ ନେଇ ସମାଧାନର ସୂତ୍ର ବାହାର କରିଛି । ସମାଧାନର ଦୁଇଦିନ ପରେ ଭରପୂର ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ନୂଆଗାଁକୁ ଯିବା ଏକ ହାସ୍ୟାସ୍ପଦ ଘଟଣା ବୋଲି କଂଗ୍ରେସ ସଭାପତି ଶ୍ରୀ ରାଉତ ତାଙ୍କ ବିବୃତିରେ କହିଛନ୍ତି। ସୂଚନା ଥାଉକି, ୨୦୨୫ ନଭେମ୍ବର ୨୦ତାରିଖରେ ଘଡିଆମାଳ ପଚାଂୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ଯୁବତୀ ଶର୍ମିଷ୍ଠା ସେଠୀ ସହାୟିକା ଭାବେ ନିଯୁକ୍ତି ପାଇବା ପରେ ଗାଁ ଲୋକେ ଏହାକୁ ବିରୋଧ କରି ସେବେଠାରୁ ଶୁଖିଲା ଖାଦ୍ୟ ନେଉନଥିଲେ କି ପ୍ରି-ସ୍କୁଲ ପିଲାଙ୍କୁ ଛାଡୁ ନଥିଲେ ।










