ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ପାଇଁ ଉଦ୍ଦିଷ୍ଟ ସିୟୁଇଟି-ୟୁଜି ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ କରିଥିବା ‘ପ୍ରଭାବିତ’ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପୁନଃ ପରୀକ୍ଷା ତାରିଖ ଘୋଷଣା କରିଛି । ରବିବାର ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୧୯ରେ ସିୟୁଇଟି-ୟୁଜି ପୁନଃ ପରୀକ୍ଷା ହେବ । ତେବେ ଏହି ପରୀକ୍ଷା ଓଏମ୍ଆର୍ ଆଧାରିତ ନହୋଇ କମ୍ପ୍ୟୁଟରଜନିତ ହେବ ବୋଲି ଏନ୍ଟିଏ ସ୍ପଷ୍ଟ କରିଛି ।
ସିୟୁଇଟି-ୟୁଜି ପରୀକ୍ଷାରେ ଭାଗ ନେଉଥିବା ପ୍ରାର୍ଥୀମାନେ ସମସ୍ତ ଅଫିସିଆଲ ୱେବସାଇଟ୍କୁ ଯାଇ ନୋଟିସ୍ ଯାଞ୍ଚ କରିପାରିବେ । ପରୀକ୍ଷାର୍ଥୀଙ୍କ ନିକଟକୁ ମେଲ୍ ଜରିଆରେ ମଧ୍ୟ ଏନ୍ଟିଏ ପକ୍ଷରୁ ସବିଶେଷ ସୂଚନା ପଠାଯାଇଥିବା (ଇ-ମେଲ୍) ସୂଚନା ଦିଆଯାଇଛି । ପ୍ରକାଶ, ଏନ୍ଟିଏ ଦର୍ଶାଇଛି ଯେ, ସମସ୍ତ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଖୁବଶୀଘ୍ର ଅଫିସିଆଲ୍ ୱେବ୍ସାଇଟ୍ରେ ଉପଲବ୍ଧ ହେବ । ପ୍ରାର୍ଥୀମାନେ ନିଜର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ନିଜ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପରୀକ୍ଷାର କିଛି ଦିନ ପରେ ଏହି ଅଫିସିଆଲ ୱେବ୍ସାଇଟ୍ରେ ହିଁ ଚୂଡାନ୍ତ ଉତ୍ତର କି’ ଅପଲୋଡ୍ କରାଯିବ । ପ୍ରକାଶ, ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ସିୟୁଇଟି-ୟୁଜି ପରୀକ୍ଷାର ଫଳାଫଳକୁ ନେଇ ଆପତ୍ତି ଉଠିଥିଲା । ପରେ ଏନ୍ଟିଏ ପକ୍ଷରୁ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । ଏସବୁ ଆବେଦନ ଉପରେ ବିଚାରବିମର୍ଶ କରାଯିବା ପରେ କେବଳ ପୂର୍ବ ପରୀକ୍ଷାରେ ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ହିଁ ପୁନଃ ପରୀକ୍ଷା ଦେବାର ସୁଯୋଗ ଦେବାକୁ ଏନ୍ଟିଏ ନିଷ୍ପତ୍ତି ନେଇଛି ।










